ଭୁବନେଶ୍ୱର : ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନ୍ ଓଡିଶାରେ କିପରି ଲାଗୁ ହେବ ସେଥିଘେନି ବିଭିନ୍ନ ମହଲରେ ତର୍ଜମା ଚାଲିଛି । ଏହା ଲାଗୁ କରାଯିବା ଫଳରେ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିବା ସମ୍ଭାବନା ଥିବା ଦୃଷ୍ଟିରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେବେ କିଭଳି ଆଇନ୍ ଆଣିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ।
ସଂସଦରେ ଏ ସଂକ୍ରାନ୍ତୀୟ ବିଲ୍ର ଆଲୋଚନାବେଳେ ଉଭୟ କଂଗ୍ରେସ ଓ ବିଜେଡି ସମେତ ବହୁ ରାଜନୈତିକଦଳ ସମର୍ଥନ ଜଣାଇଥିଲେ । ଏବେ ବିଜେଡି, ବିଜେପି ଓ କଂଗ୍ରେସ ଏହି ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ସପକ୍ଷରେ କହୁଛନ୍ତି । ତେବେ ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରୀୟ ଆଇନ୍ ଆଧାରରେ ରାଜ୍ୟମାନେ ଏହାକୁ ଲାଗୁ କରିବାପାଇଁ ନିଜର ବ୍ୟବସ୍ଥା କରିବେ । ତେଣୁ ଏହି ୧୦ପ୍ରତିଶତ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ନିୟମ କିମ୍ବା ସଙ୍କଳ୍ପ ଆଣିବାକୁ ପଡିବ ।
ଏହି ସଂରକ୍ଷଣ କାର୍ଯ୍ୟକାରୀ ହେଲେ ଚାକିରି ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ନାମାଙ୍କନବେଳେ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୦ ପ୍ରତିଶତ ଆସନ ସଂରକ୍ଷିତ ରହିପାରିବ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତ ଭିତ୍ତିରେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଥିବାବେଳେ ପଛୁଆବର୍ଗ ବା ଓବିସିଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି । ତେଣୁ ଏବେ କେନ୍ଦ୍ରୀୟ ସଂରକ୍ଷଣ ସୀମା ୫୦ ପ୍ରତିଶତ ଟପି ୫୯.୫ ପ୍ରତିଶତରେ ପହଞ୍ଚିଛି ।
ଓଡିଶାରେ ଜନସଂଖ୍ୟା ଅନୁପାତ ଭିତ୍ତିରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୬.୨୫ ପ୍ରତିଶତ ଆସନ ସଂରକ୍ଷିତ ଥିବାବେଳେ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ ତାହାରି ଆଧାରରେ ଓଡିଶା ସରକାର ବସାଇଥିବା ଜଷ୍ଟିସ ଏନ କେ ଦାଶ କମିଶନ ସୁପାରିଶ୍ କରିବାରୁ ଏସଇବିସିଙ୍କ ପାଇଁ ଓଡିଶାରେ ପ୍ରଥମେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଥିଲା ।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ୨୭ ପ୍ରତିଶତକୁ ଦୁଇ ଥର ବଢାଇ ଥିଲେ ମଧ୍ୟ ତାହା ଅଦାଲତରେ କାଟ୍ ଖାଇଯିବାରୁ ଏହି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ସୀମାକୁ ପୁଣି ୧୧.୨୫ ପ୍ରତିଶତକୁ କମାଇବାକୁ ବାଧ୍ୟ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କଲେ ପୂର୍ବରୁ ଆଇନ୍ ଅଦାଲତ ଯେଉଁ ରାୟ ଦେଇଥିଲେ ତାହାର ଉଲ୍ଲଙ୍ଘନ ହେବ ବୋଲି କୁହାଯାଉଛି ।
ଆଇନ୍ ବିଶାରଦମାନେ କହୁଛନ୍ତି ଯେ ଏବେ ଏହି ପ୍ରସଙ୍ଗ ସୁପ୍ରିମ୍କୋର୍ଟରେ ବିଚାରାଧିନ ଥିବା ଦୃଷ୍ଟିରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନନେଇ ଓଡିଶା ସରକାର ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଆବଶ୍ୟକ । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଓଡିଶା ସରକାର ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣସୀମା ବଢାଇଥିଲେ ମଧ୍ୟ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପରବର୍ତ୍ତୀ ସମୟରେ ତାହାକୁ ପ୍ରତ୍ୟାହାର କରିନେଇ ପୁଣି ସଂରକ୍ଷଣସୀମାକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ରଖିଥିଲେ ।
ଏବେ ଶିକ୍ଷାନୁଷ୍ଠାନଗୁଡିକରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଥିବାବେଳେ ପଛୁଆବର୍ଗ ଓ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିଲେ ଅଣସଂରକ୍ଷିତବର୍ଗର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖାଇ ପାରିବେନାହିଁ ବୋଲି ବିଭିନ୍ନ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି । (ତଥ୍ୟ)