Home Environment ହ୍ରାସ ପାଉଛି ନଦୀ ଜଳ ପ୍ରଦୂଷଣ

ହ୍ରାସ ପାଉଛି ନଦୀ ଜଳ ପ୍ରଦୂଷଣ

ଭୁବନେଶ୍ୱର : ରାଜ୍ୟରେ ନଦୀ ଜଳ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ୨୦୧୮ରେ ବିଭିନ୍ନ ନଦୀର ୧୯ଟି ସ୍ଥାନରେ ଜଳ ପ୍ରଦୂଷଣ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ୭କୁ ହ୍ରାସ ପାଇଛି ।

ନଦୀଜଳ ପ୍ରଦୂଷଣ ହ୍ରାସ ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେତେକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି । ବିଶେଷକରି ନଦୀଜଳକୁ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥା, ପୌରାଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବାବେଳେ ଖୋଲାରେ ମଳତ୍ୟାଗ ଏକ ପ୍ରକାର ବନ୍ଦ ହୋଇଥିବାରୁ ନଦୀଜଳ ପ୍ରଦୂଷଣର ମାତ୍ରା ହ୍ରାସ ପାଇବାରେ ଲାଗିଛି ।

ନଦୀ ଜଳର ମାନ ସଂକ୍ରାନ୍ତରେ ଜାଣିବାପାଇଁ ବୋର୍ଡ ପକ୍ଷରୁ ୧୧ଟି ପ୍ରମୁଖ ନଦୀ ଯଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ ଏବଂ ବାହୁଡାର ୧୨୯ ଟି ସ୍ଥାନରେ ଜଳର ୩୬ଟି ମାନ ନିୟମିତ ଭାବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଦ୍ୱାରା ପରଖାଯାଉଛି । ଏହାବାଦ୍‍ ବିଭିନ୍ନ ଧାର୍ମିକ ପୁଷ୍କରଣୀ ଯଥା ଭୁବନେଶ୍ୱରର ବିନ୍ଦୁସାଗର, ପୁରୀର ନରେନ୍ଦ୍ର, ମାର୍କଣ୍ଡ, ପାର୍ବତୀସାଗର, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ୱେତଗଙ୍ଗା ଭଳି ଜଳଉତ୍ସ ଥିବାବେଳେ ଚିଲିକା, ଅଂଶୁପା ଏବଂ ତାମ୍ପରା ହ୍ରଦ ସମେତ ପୁରୀ, ଗୋପାଳପୁର ଓ ପାରାଦୀପର ତଟବର୍ତ୍ତୀ ଜଳ ଏବଂ ତାଳଦଣ୍ଡା ଓ ପୁରୀ କେନାଲର ଜଳକୁ ମଧ୍ୟ ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଧାମରା ଠାରୁ ପାରାଦୀପ ପର୍ଯ୍ୟନ୍ତ ୮୦ କିଲୋମିଟର ବ୍ୟାପି ଜଳସୀମାର ୭୩ ଟି ସ୍ଥାନରେ ମାନ ଅନୁଧ୍ୟାନ କରାଯାଉଛି ।

ଏହାଛଡା ୮ଟି ପ୍ରମୁଖ ନଦୀ ଯଥା ମହାନଦୀ, ବ୍ରାହ୍ମଣୀ, ଋଷିକୂଲ୍ୟା, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କେରାଣ୍ଡି, ବଂଶଧାରା ଓ ନାଗାବଳୀର ୨୫ଟି ସ୍ଥାନରେ ବାୟୋ-ମନିଟରିଂ କରାଯାଉଛି । ଏଥି ସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୯୧ଟି ସ୍ଥାନରେ ନଦୀଜଳର ସ୍ଥିତି ଓ ଏହାର ଆଖପାଖରେ ଥିବା ସହରରଗୁଡିକର ଭୂତଳ ଜଳ ସଂକ୍ରାନ୍ତରେ ମଧ୍ୟ ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି ।

ଜଳ ସହିତ ବାୟୁ ପ୍ରଦୂଷଣ ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ ପ୍ରଦୂଷଣ କରୁଥିବା ବଡ ବଡ ଶିଳ୍ପସଂସ୍ଥା ଉପରେ ୨୪ଘଣ୍ଟା ନଜର ରଖାଯାଇଛି । ଏହିସବୁ କାରଖାନାକୁ ଅନଲାଇନ୍‍ରେ ଟ୍ରାକ୍‍ କରିବାପାଇଁ ରିୟଲ ଟାଇମ୍‍ ଡାଟା ଟ୍ରାନ୍ସମିଶନ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୧୭୦ ଶିଳ୍ପ ଓ ୨୪ଟି ଖଣିରେ ଏହା ଲଗାଯାଇଥିବାବେଳେ ୧୨୦ ଶିଳ୍ପ ସସ୍ଥାରେ ଆଇପି କ୍ୟାମେରା ଲଗାଯାଇଛି ।

ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ପ୍ରଦୂଷଣ ପ୍ରବଣ ସହର ଯଥା ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର, ରାଉରକେଲା ଓ ତାଳଚେରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ଚଳାଯାଉଛି । ଏହି ମିଶନ ଯୋଗୁଁ ବାୟୁ ପ୍ରଦୂଷଣକୁ ୨୦୧୭ ତୁଳନାରେ ୨୦ ରୁ ୩୦ ପ୍ରତିଶତ ହ୍ରାସ କରାଯାଇ ପାରିଛି । ଏହା ଦ୍ୱାରା ଓଡିଶା ସରକାର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଗ୍ରହଣ କରିବାରେ ଆଗରେ ରହିଛନ୍ତି । (ତଥ୍ୟ)