Home Environment ହେନ୍ତାଳ ବନ ସୃଷ୍ଟିରେ ପ୍ରଥମ

ହେନ୍ତାଳ ବନ ସୃଷ୍ଟିରେ ପ୍ରଥମ

ଭୁବନେଶ୍ୱର : ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଛି । ସେହିପରି ଓଡ଼ିଶା ୮.୩୪ କିମି ହେନ୍ତାଳବନ ସୃଷ୍ଟି କରି ଦେଶର ପ୍ରଥମ ସ୍ଥାନରେ ରହିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟ ସରକାର ୩.୪୯ କୋଟି ଚାରାରୋପଣ କରୁଥିଲାବେଳେ ୧.୯୫ କୋଟି ଚାରା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ବଣ୍ଟନ କରିଛନ୍ତି ।

ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ‘ଆମ ଜଙ୍ଗଲ ଯୋଜନା’କୁ ୨୨ ବନଖଣ୍ଡ ଅଧିନସ୍ଥ ପ୍ରାୟ ୪୬୦୧ ବନ ସୁରକ୍ଷା ସମିତି ମାଧ୍ୟମରେ ୪.୨ ଲକ୍ଷ ପରିବାର ପାଖକୁ ପହଞ୍ଚାଇ ସେମାନଙ୍କୁ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ଅବକ୍ଷୟିତ ଜଙ୍ଗଲର ସଂରକ୍ଷଣ ଆଦି କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଅଣାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ।

ଜଙ୍ଗଲ ନିଆଁ କିମ୍ବା ବନ୍ୟଜନ୍ତୁ-ମଣିଷ ବିବାଦକୁ ପ୍ରଶମିତ କରିବା ଅବା ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଓ ସଂରକ୍ଷଣ ଦେବା ସହଜ କାର୍ଯ୍ୟ ନୁହେଁ । ସମନ୍ୱିତ ଓ ନିଷ୍ଠାପର ଭାବରେ ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀ, କର୍ମଚାରୀ ଓ ଗ୍ରାମାଞ୍ଚଳର ସେ୍ୱଚ୍ଛାସେବୀମାନେ କାର୍ଯ୍ୟ କରୁଥିବାରୁ ଓଡ଼ିଶାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କର ଅଭିବୃଦ୍ଧି ଘଟୁଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପ୍ରକାଶ କରିଛନ୍ତି ।

ଏହି ଅବସରରେ ରାଜ୍ୟ ବନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟଧାରା ଉପରେ ଆଲୋକପାତ କରି ‘ହାଇଲାଇଟସ୍‌ ଅଫ୍‌ ଓଡ଼ିଶା ଫରେଷ୍ଟି୍ର ସେକଫର-୨୦୨୩’ ଶୀର୍ଷକ ଏକ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୪ ଜଣ ବନରକ୍ଷୀ, ୧୧ ଜଣ ବନପାଳ ଓ ୪ ଜଣ ବନାଞ୍ଚଳ ଅଧିକାରୀ, ମୋଟ ୩୯ ଜଣ କ୍ଷେତ୍ର କର୍ମଚାରୀଙ୍କୁ ରାଜ୍ୟ ବନୀକରଣ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଥିଲା । ପୁରସ୍କାର ସ୍ୱରୂପ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି, ମେଡ଼ାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସମାରୋହ ଆରମ୍ଭ ହେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ଅମାତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ବନ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ବନ ଓ ସ୍ୱାସ୍ଥ୍ୟ’ ଉପରେ ବିଶଦ ଆଲୋକପାତ କରିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ଏମ୍‌ଇ ଆଣ୍ଡ ଆଇଭି) ଶ୍ରୀ ଓମ୍‌ ପ୍ରକାଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।