Home News in Odia ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ସ୍ନାନବେଦୀରେ ଦୁର୍ଲ୍ଲଭ ହାତୀ ବେଶରେ ସହସ୍ରାଧିକ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ । ଆଜି ସୁରକ୍ଷା ବଳୟ ଭିତରେ ହୋଇଥିଲା ସାହାଣମେଲା ଦର୍ଶନ । ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ମାଞ୍ଜଳି ଓ ଡୋରଲାଗି ହୋଇ ରାତି ୧୧ଟା ୩୦ରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି । ଶାନ୍ତିଶୃଙ୍ଖଳା ପାଇଁ ପୁରୀରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ବଡଦାଣ୍ଡରୁ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ କରି କୃତ କୃତ ହୋଇଛନ୍ତି ଭକ୍ତ । ଘଣ୍ଟ ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର । ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଛି ଦାରୁଦିଅଁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ ଟା ୩୦ରେ ମଙ୍ଗଳାର୍ପଣ ସରି ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପର୍ଣ୍ଣ ହୋଇଥିଲା । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ ।

 ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା ପରେ ମହାପ୍ରଭୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ନୀତିକାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ସେବାୟତ।

ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ଏହାପରେ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା ମହାପ୍ରଭୁଙ୍କ ହାତୀବେଶ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ସାଢେ ୩ଟାରେ ଛେରା ପହଁରା ହୋଇ ସନ୍ଧ୍ୟା ୫ଟାରେ ଶ୍ରୀଜିଉଙ୍କ ହାତୀବେଶ ସମ୍ପନ୍ନ ହୋଇଥିଲା । ପରେ ମହନ୍ତଶାଢ଼ି ବନ୍ଧା, ଦକ୍ଷିଣୀଘର ଭୋଗ ସରି ସନ୍ଧ୍ୟା ସାଢ଼େ ୭ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ରାତି ୧୧ଟାରେ ହାତୀ ବେଶ ଓଲାଗି ହୋଇ ରାତି ସାଢେ ୧୧ଟାରୁ ବାହୁଡା ପହଣ୍ଡି ହୋଇଥିଲା ।

ଭିଡ଼କୁ ଦୃଷ୍ଟିର ରଖି ସହରକୁ ବିଭିନ୍ନ  ଜୋନରେ ବିଭକ୍ତ କରାଯାଇଥିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ ରୁ ପ୍ଲାଟୁନ ଫୋର୍ସ ସହ ୨୫୦ ଅଧିକ ଅଧିକାରୀ ମୁତୟନ ହୋଇଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବାବେଳେ କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସିସିଟିଭିରେ ନଜର ରଖିଥିଲା ପୋଲିସ । ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା ଚାଲିବ ଗୁପ୍ତ ଉପଚାର । ଏପଟେ ଶ୍ରୀମନ୍ଦିରରେ ଦର୍ଶନ ଦେବେ ପଟିଦିଅଁ ।