Home Culture ହାତୀ ବେଶରେ ଦର୍ଶନ ଦେଲେ ମହାବାହୁ

ହାତୀ ବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ : ଜଗତର ନାଥ ଶ୍ରୀଗଜନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ଆଜି ଏକ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୫ଟା ୫ରେ ମଙ୍ଗଳାର୍ପଣ ସହ ଆରମ୍ଭ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମାର ସ୍ୱତନ୍ତ୍ର ନୀତିକାନ୍ତି । ୫ଟା ୧୫ ବେଳକୁ ସହଳ ସହଳ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ।

ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀକୁ ଆସିଥିଲେ ଚତୁର୍ଦ୍ଧାମୂରତି । ଟାହିଆ ହଲାଇ ଝୁଲି ଝୁଲି କାଳିଆ ସାଆନ୍ତ ଆସିବାର ଦୃଶ୍ୟ ଯେତିକି ଦିବ୍ୟ ଥିଲା ସେତିକି ଭବ୍ୟ ଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ଚକା ଆଖିରେ ଆଖି ମିଶାଇ କିଏ ଲୁହ ଢାଳୁଥିଲା, କିଏ ଦୀପଟିଏ ଜାଳି ମଉଡ଼ମଣିଙ୍କୁ ଜଣାଉଥିଲା ମନର କଥା। ଆଉ କିଏ ମନଭରି କାଳିଆଙ୍ର ଶ୍ରୀମୁଖକୁ ଚାହିଁ ରହିଥିଲା।

ଦିନ ବଢ଼ିବା ସହ ସ୍ନାନ ମଣ୍ଡପରେ ନୀତି ବଢ଼ୁଥିଲା, ଏଣେ ବଡ଼ଦାଣ୍ଡରେ ବଢ଼ୁଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ପରେ ପହଞ୍ଚିଥିଲା ସେହି ମହାର୍ଘମୁହୂର୍ତ୍ତ। ମହାପ୍ରଭୁଙ୍କ ମାନବୀୟ ଲୀଳା। ସୁନାକୂଅରୁ ଆସିଥିଲା ୧୦୮ ଗରା ସୁବାସିତ ଜଳ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଦିବ୍ୟଜଳରେ ସ୍ନାନ କରିଥିଲେ ତିନି ଦିଅଁ । ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା।

ଗଜପତି ମହାରାଜା ଦିବ୍ୟସିଂହ ଦେବ ପହଞ୍ଚି ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିବା ସହ ଛେରା ପହଁରା ନୀତି କରିଥିଲେ। ଏହା ପରେ ବିଭିନ୍ନ ଅଳଙ୍କାର ପରିଧାନ କରିଥିଲେ ଶ୍ରୀଜିଉ । କିଛି ସମୟ ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାବହୁ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀରେବ୍ୟାପକ ବ୍ୟବସ୍ଥା ହୋଇଥିଲା। ଭକ୍ତଙ୍କ ସୁରକ୍ଷା ପାଇଁ ୫୫୦ ଅଗ୍ନିଶମ କର୍ମଚାରୀ ଓ ୫୦ ସିଭିଲ ଡିଫେନ୍ସ ଯୁବକ ଯୁବତୀ ନିୟୋଜିତ ହୋଇଥିଲେ । ୮ଟି ସ୍ପେସିଆଲ ରେସ୍କ୍ୟୁ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ଭିଡ଼ ଭିତରେ କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ଅକ୍ସିଜେନ କଣ୍ଟେନର ସହ ପ୍ରସ୍ତୁତ ରହିଥିଲା ଅଗ୍ନିଶମ ବାହିନୀ ।

ବେଶ ଭିତରେ ବେଶ ଅତି ନିଆରା ଗଜାନନ ବେଶର ଦିବ୍ୟବେଶ ଦର୍ଶନ କରି କୋଟି ପୂଣ୍ୟ ଅର୍ଜିଛନ୍ତି ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇବା ପରେ, ଆସନ୍ତାକାଲିଠୁ ଜ୍ବରରେ ପଡ଼ିବେ ଜଗତର ନାଥ । ଅଣସର ଘରେ ୧୫ ଦିନର ଗୁପ୍ତସେବା ପରେ, ସୁସ୍ଥ ହୋଇ ଜୁଲାଇ ୧୪ରେ ଦେବେ ନବଯୌବନ ଦର୍ଶନ । ଅଣସର ଘରକୁ ବିଜେ କରିବା ସହ କାଲିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଗୁପ୍ତସେବା । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ଆଉ ଅଲାରନାଥରେ ଲାଗିବ ଭକ୍ତଙ୍କ ଭିଡ଼।