Home Education ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ  ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ-କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏକ ଉଚ୍ଚସ୍ତରୀୟ  ସମୀକ୍ଷା  ବୈଠକରୁ ଏହା ଜଣାପଡିଛି ।  ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି  ବୈଠକରେ  ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ  ବୈଷୟିକ  ଏବଂ ପ୍ରଶାସନିକ  ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ପ୍ରକଳ୍ପୱାରୀ ଅଗ୍ରଗତି ସମୀକ୍ଷାକରି  ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ  ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର  ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ  କରିଥିଲେ ।  ମେ ମାସ  ଶେଷସୁଦ୍ଧା ଯଥା ସମ୍ଭବ ଅଧିକରୁ ଅଧିକ ସଂଙ୍ଖକ  ସ୍କୁଲରେ  ରୂପାନ୍ତରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱଆରୋପ କରିଥିଲେ ।  କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ପ୍ରଗତି ବିଷୟରେ ବିଦ୍ୟାଳୟୱାରୀ ନିୟମିତ  ସମୀକ୍ଷା କରିବାକୁ  ଶ୍ରୀ ମହାପାତ୍ର  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରୂପାନ୍ତରଣ  କାର୍ଯ୍ୟକ୍ରମରେ ସ୍ଥାପନ କରାଯାଉଥିବା  ଆସବାସପତ୍ର, ବୈଦୁତିକ ଯନ୍ତ୍ରପାତି, ପରୀକ୍ଷାଗାର ସରଞ୍ଜାମ, ଇ-ଲାଇବ୍ରେରୀ, କଂମ୍ପ୍ୟୁଟର, କ୍ରୀଡା ସରଞ୍ଜାମ ଏବଂ ସର୍ବୋପରି ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଆଦିର ଉପଯୁକ୍ତ  ରକ୍ଷଣାବେକ୍ଷଣ ଓ ଆବଶ୍ୟକୀୟ  ନବୀକରଣ ଆଦି ନିମନ୍ତେ  ନିର୍ଦ୍ଧିଷ୍ଟ ଆନୁଷ୍ଠାନିକ  ବ୍ୟବସ୍ଥା କରିବାକୁ  ମଧ୍ୟ  ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟରେ ଲଗାଯାଉଥିବା ଅଗ୍ନିନିର୍ବାପକ ଯନ୍ତ୍ରର ଜରୁରୀକାଳିନ ବ୍ୟବହାର ଓ ପୁନଃତ୍ତରଣ ବିଷୟରେ  ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କୁ  ଆବଶ୍ୟକୀୟ ତାଲିମ  ଦେବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ରୂପାନ୍ତରଣ କାର୍ଯ୍ୟକ୍ରମରେ ସୃଷ୍ଟି କରାଯାଇଥିବା ସଂପତ୍ତି ଏବଂ ସୁବିଧାର ସର୍ବୋତ୍ତମ ଉପଯୋଗ କରି ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଗୁଣାତ୍ମକମାନ ବଢାଇବା ଉପରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁତ୍ୱ ଆରୋପ କରିଥିଲେ ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପର୍ଯ୍ୟୟରେ ୪୫୩୬ ଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏଥିରେ ମୁଖ୍ୟତଃ ବିଦ୍ୟାଳୟ ଗୃହ, ଶ୍ରେଣୀ ଗୃହ, ପାଚେରୀ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ ଓ ପରିମଳ ବ୍ୟବସ୍ଥାର ନବୀକରଣ କରାଯାଇଛି । ତା’ଛଡ଼ା ବିଦ୍ୟାଳୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପକରଣ, ଆଧୂନିକ ଆସବାବପତ୍ର, ବିଜ୍ଞାନାଗାର ପାଇଁ ସଂରଞ୍ଜାମ,ଇ-ଲାଇବ୍ରେରୀ ପାଇଁ କଂପ୍ୟୁଟର ଏବଂ ଆନୁସଙ୍ଗିକ ପଦାର୍ଥ, ଇ-ବୁକ୍‌ ସଂଗ୍ରହ, ସ୍ମାର୍ଟ ଶ୍ରେଣୀଗୃହ, ବିଦ୍ୟାଳୟ କାନ୍ଥମାନଙ୍କରେ ଶିକ୍ଷଣୀୟ ସୁନ୍ଦର ପେଣ୍ଟିଂ, ବଗିଚା, ବିଦ୍ୟାଳୟ ପରିବେଶରେ ସବୁଜିମା ବୃଦ୍ଧି, ପୃଷ୍ଟି-ବଗିଚା ବିକାଶ, ଉତ୍ତମ ଖେଳ ପଡ଼ିଆ ଓ ଖେଳ ସରଂଜାମ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି କରାଯାଉଛି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଜଣାଇଥିଲେ ଯେ ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୧୦୭୬ ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସରିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୩୫୬୦ ବିଦ୍ୟାଳୟରେ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ବିଭାବର ପ୍ରାୟ ୭୫% କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ବର୍ତ୍ତମାନ ଅବଶିଷ୍ଟ କାର୍ଯ୍ୟ ଦୃତଗତିରେ କରାଯାଉଛି । ପ୍ରକଳ୍ପର ଗୁଣାତ୍ମକମାନ ବଜାୟରଖି ନିର୍ଦ୍ଧରିତ ସମୟସୀମା ପୂର୍ବରୁ ପୂର୍ଣ୍ଣାଙ୍ଗ ପରିବାକୁ ମୁଖ୍ୟ ଶାସନ ସଚିବ କାର୍ଯ୍ୟନ୍ୱୟନ ସଂସ୍ଥା ଓ ବିଦ୍ୟାଳୟ କର୍ତ୍ତୁପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ବି.ଏମ୍‌.ସି କମିଶନର ଶ୍ରୀ ସଂଜୟ କୁମାର ସିଂ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ତ୍ତୁପକ୍ଷ ନିର୍ଦ୍ଦେଶକ ଅନୁପମ ସାହା, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ ଚୌଧୂରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।