Home Judiciary ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରର ଚିଠି

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରର ଚିଠି

ଭୁବନେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ୍‍ ମନ୍ତ୍ରୀ କିରଣ ରିଜ୍‍ଜୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୮ ସେପ୍ଟେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଦେଇଥିବା ପତ୍ରର ଉତ୍ତର ଏବେ ଆଇନ୍‍ମନ୍ତ୍ରୀ ଶ୍ରୀ ରିଜ୍‍ଜୁ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ଶ୍ରୀ ରିଜ୍‍ଜୁ ଦର୍ଶାଇଛନ୍ତି ଯେ ବେଞ୍ଚ ପ୍ରତିଷ୍ଠା ନେଇ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା ଜରୁରୀ ହୋଇଥିବାବେଳେ ପ୍ରସ୍ତାବିତ ବେଞ୍ଚ ଲାଗି ଆବଶ୍ୟକ ସୌଧ, ବିଚାରପତି ଓ କର୍ମଚାରୀମାନଙ୍କ ଲାଗି ଗୃହ ନିର୍ମାଣ ପାଇଁ ଜମି ଆବଶ୍ୟକ । ଓଡିଶା ହାଇକୋର୍ଟର ମତ ସହିତ ରାଜ୍ୟ ସରକାର ପ୍ରସ୍ତାବ ପଠାଇଲେ କେନ୍ଦ୍ର ସରକାର ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।

ପ୍ରସ୍ତାବିତ ହାଇକୋର୍ଟ ବେଞ୍ଚ ସ୍ଥାପନ ଯଶୱନ୍ତ ସିଂହ କମିଶନଙ୍କ ସୁପାରିଶ୍‍ ଓ ସର୍ବୋଚ୍ଚ ନ୍ୟାୟାଳୟ ୨୦୦୦ ମସିହାର ଏକ ମାମଲା ଡବ୍ଲ୍ୟୁପି(ସି) ନଂ. ୩୭୯ ଉପରେ ଦେଇଥିବା ରାୟ ଆଧାରରେ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବେଞ୍ଚ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଭିତ୍ତିଭୂମି ପ୍ରତିଷ୍ଠା ଓ ଅନ୍ୟାନ୍ୟ ବ୍ୟୟ ସଂକ୍ରାନ୍ତରେ ହାଇକୋର୍ଟଙ୍କ ସହିତ ଆଲୋଚନା କରି ପ୍ରସ୍ତାବ ପଠାଇବାକୁ କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଓଡିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା କରାଗଲେ ଏହା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆଶା ଆଙ୍କାକ୍ଷା ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରକୁ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ରାଜ୍ୟ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ସହାୟତା ଯୋଗାଇଦେବେ । ତେବେ ସଂସଦ କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ କ୍ଷମତା ପ୍ରୟୋଗ ଦ୍ୱାରା ଏଭଳି ବେଞ୍ଚ ପ୍ରତିଷ୍ଠା କରିପାରିବେ ।

ଗତ ବଜେଟ୍‍ ଅଧିବେଶନ ସମୟରେ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ସଂସଦରେ କହିଥିଲେ ଯେ ଓଡିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ଡିଭିଜନ ବେଞ୍ଚ ପ୍ରତିଷ୍ଠା ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇ ନାହାନ୍ତି । ଏବେ ସୁଦ୍ଧା ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କୌଣସି ପ୍ରସ୍ତାବ କେନ୍ଦ୍ର ନିକଟରେ ପଡି ରହିନାହିଁ ବୋଲି ସେ ଉଲ୍ଲେଖ କରିଥିଲେ । (ତଥ୍ୟ)