ଭୁବନେଶ୍ୱର : ପଶ୍ଚିମ ଓଡିଶା ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ପ୍ରାୟ ୪୦ବର୍ଷ ଧରି ସ୍ୱର ଉଠୁଛି । ଏଥିପାଇଁ ଆଇନ୍ଜୀବୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ବି ଆନ୍ଦୋଳନ କରିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଚିଠି ଆଦାନ ପ୍ରଦାନ ହୋଇଛି । ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ହାଇକୋର୍ଟର କିମ୍ବା ସୁପ୍ରିମ୍କୋର୍ଟର ବେଞ୍ଚ ପ୍ରତିଷ୍ଠା ଲାଗି ଏବେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ।
ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ୍ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ ଦେଇଥିବା ବିସ୍ତୃତ ସୂଚନାରୁ ଏହା ଜଣାପଡିଛି । ଡକ୍ଟର ପାତ୍ର ପଚାରିଥିଲେ ଯେ ଦେଶର କୌଣସି ସ୍ଥାନରେ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କି ଚିଠି କେନ୍ଦ୍ର ସରକାର ପାଇଛନ୍ତି କି ନାହିଁ, ଯଦି ପାଇଥାନ୍ତି ତାହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ୨୦୧୮ ଠାରୁ ଏଯାବତ୍ କେଉଁ କେଉଁ ସ୍ଥାନରେ ଏଭଳି ବେଞ୍ଚ ପ୍ରତିଷ୍ଠା କରାଯାଇଛି ?
କେନ୍ଦ୍ର ଆଇନ୍ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ୨୦୧୮ ଠାରୁ ଏଯାବତ୍ କୋଲକତା ହାଇକୋର୍ଟର ଏକ ସର୍କିଟ୍ ବେଞ୍ଚ ଜଲପାଇଗୁଡି ଠାରେ ୨୦୧୯ ଫେବୃୟାରୀ ୭ତାରିଖରେ ପ୍ରତିଷ୍ଠା କରାଯାଇଛି । ସୁପ୍ରିମ୍କୋର୍ଟ କି ହାଇକୋର୍ଟର ବେଞ୍ଚ ଅନ୍ୟତ୍ର ପ୍ରତିଷ୍ଠା ପାଇଁ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ।
ସେ ପୁଣି ସ୍ପଷ୍ଟ କରିଦେଇଛନ୍ତି ଯେ ଯଶୋବନ୍ତ ସିଂହ କମିଶନଙ୍କ ପ୍ରସ୍ତାବ ଏବଂ ସୁପ୍ରିମକୋର୍ଟର ରାୟ ଆଧାରରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରୁ ଆସିଥାଏ । ଏହି ପ୍ରସ୍ତାବରେ ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାପାଇଁ ରାଜ୍ୟ ସରକାର ସମ୍ମତି ଦେଇଥାନ୍ତି । ସମ୍ପୃକ୍ତ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳ ଏହି ପ୍ରସ୍ତାବ ଉପରେ ସକରାତ୍ମକ ସମ୍ମତି ଦେବା ଏକାନ୍ତ ଅପରିହାର୍ଯ୍ୟ । ସୁପ୍ରିମ୍କୋର୍ଟର ବେଞ୍ଚ ସମ୍ବିଧାନର ୧୩୦ ଧାରା ଅନୁଯାୟୀ ପ୍ରତିଷ୍ଠା କରାଯାଇଥାଏ । ଦିଲ୍ଲୀରେ ସୁପ୍ରିମକୋର୍ଟ ରହିବା ଘେନି ସମ୍ବିଧାନରେ ଉଲ୍ଲେଖ କରାଯାଇଛି । ତେବେ ଦିଲ୍ଲୀ ବାହାରେ ଅନ୍ୟ କୌଣସି ସ୍ଥାନରେ ସୁପ୍ରିମ୍କୋର୍ଟଙ୍କ ବେଞ୍ଚର ଆବଶ୍ୟକତା ଅନୁଭବ କରାଗଲେ ଭାରତର ପ୍ରଧାନ ବିଚାରପତି ଏ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ କାର୍ଯ୍ୟ କରିପାରିବେ ।
ଆଇନ୍ ରାଷ୍ଟ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ ଅଷ୍ଟମ ଆଇନ୍ କମିଶନ ତାଙ୍କର ୨୨୯ତମ ରିପୋର୍ଟରେ ଦିଲ୍ଲୀ, ଚେନ୍ନାଇ କିମ୍ବା ହାଇଦ୍ରାବାଦ, କୋଲକତା ଓ ମୁମ୍ବାଇ ଠାରେ ସୁପ୍ରିମ୍କୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ପ୍ରତିଷ୍ଠା ଲାଗି ମତ ଦେଇଛନ୍ତି । ଏହି ବ୍ୟାପାର ଭାରତର ପ୍ରଧାନ ବିଚାରପତିଙ୍କୁ ଜଣାଇ ଦିଆଯାଇଥିଲା ଏବଂ ଏ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ୨୦୧୦ ଫେବୃୟାରୀ ୧୮ତାରିଖରେ ବିଚାର କରି ଦିଲ୍ଲୀ ବାହାରେ ଆଉ ସୁପ୍ରିମକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନଥିବା ଦର୍ଶାଇଥିଲେ ।
୨୦୧୬ ମସିହାରେ ରୁଜୁ ହୋଇଥିବା ଆଉ ଏକ ରିଟ୍ ପିଟିସନରେ ନେସନାଲ କୋର୍ଟ ଅଫ୍ ଅପିଲ୍ ପ୍ରତିଷ୍ଠା ଲାଗି ନିବେଦନ କରାଯାଇଥିଲା । ଏହି ମାମଲା ସାମ୍ବିଧାନିକ ବେଞ୍ଚରେ ଶୁଣାଣି କରାଯିବାକଥା । ଏଯାବତ୍ ଉକ୍ତ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେତେଜଣ ଆଇନ୍ଜୀବୀଙ୍କୁ ଗିରଫ କରାଯାଇ ଦୀର୍ଘଦିନ ପରେ ଜାମିନରେ ଛଡାଯାଇଛି । ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ମଧ୍ୟ ଜଷ୍ଟିସ ସି.ଆର.ପାଲ୍ କମିଶନ ବସାଇଥିଲେ । ତେବେ ଆଇନ୍ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହେଉଛି ଯେ ଏଯାବତ୍ ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚି ନାହିଁ । (ତଥ୍ୟ)