Home Judiciary ହାଇକୋର୍ଟ ବିଚାରପତି ୨୧ରେ ସୀମିତ

ହାଇକୋର୍ଟ ବିଚାରପତି ୨୧ରେ ସୀମିତ

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଚଳିତ ମାସରେ ଦୁଇଜଣ ନୂଆ ବିଚାରପତି ନିଯୁକ୍ତ ହୋଇଥିବାବେଳେ ଗତମାସରେ ଜଣେ ଓ ଏମାସରେ ଆଉଜଣେ ବିଚାରପତି ଅବସରଗ୍ରହଣ କରିଥିବାରୁ ବସ୍ତୁତଃ ବିଚାରପତି ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏବେ ୨୧ରେ ସୀମିତ ରହିଛି ।

ଓଡିଶା ହାଇକୋର୍ଟ ଲାଗି ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ୧୨ଟି ଖାଲି ରହିଥିବା ପରିପ୍ରେକ୍ଷୀରେ ପଡି ରହିଥିବା ମାମଲାଗୁଡିକର ତ୍ୱରିତ ଫଏସଲା ଘେନି ସମସ୍ୟା ଉପୁଜୁଛି । ଏମିତିକି ବିଚାର ପ୍ରକ୍ରିୟାର ଚାପ ଯୋଗୁଁ କେତେକ ବିଚାରପତି ଶୁଣାଣି ପରେ ମାସ ମାସ ଧରି ରାୟ ପ୍ରକାଶ କରିପାରୁ ନାହାନ୍ତି । ବରିଷ୍ଠ ଓକିଲମାନେ କହୁଛନ୍ତି ଯେ ଅବଶ୍ୟ ତ୍ୱରିତ ଫଏସଲା ଲାଗି କେତେକ କ୍ଷେତ୍ରରେ ଆବେଦନକାରୀଙ୍କ ଦରଖାସ୍ତ ଉପରେ ସୀମିତ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଲାଗି କେତେକ କୋର୍ଟ ଆଦେଶ ଦେଉଛନ୍ତି । ଏଥିଯୋଗୁଁ ମୋଟାମୋଟି ଭାବେ ରୁଜୁ ହେଉଥିବା ମାମଲା ତୁଳନାରେ ଫଏସଲା ସଂଖ୍ୟା ଅଧିକ ରହୁଛି ।

ଗତ ଅଗଷ୍ଟ ମାସରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରୁ ଏସ୍‍.ମୁରଲୀଧରନ ଅବସର ନେବାପରେ ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପତ୍ର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ଜଷ୍ଟିସ ତାଳପତ୍ର ଆସନ ଅକ୍ଟୋବରର ପ୍ରଥମ ସପ୍ତାହରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଚଳିତ ମାସରେ ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ବିଶ୍ୱନାଥ ରଥ ଅବସର ଗ୍ରହଣ କରିଥିବାବେଳେ ଇତି ମଧ୍ୟରେ ଦୁଇ ନୂଆ ବିଚାରପତି ଭାବେ ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦଚନ୍ଦ୍ର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଓଡିଶା ହାଇକୋର୍ଟରେ ଏବେ ଏକ ଲକ୍ଷ ୪୫ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏହାଛଡା ପ୍ରତିଦିନ ମଧ୍ୟ ନୂଆ ନୂଆ ମାମଲା ଦାଖଲ ହେବାରେ ଲାଗିଛି । ହାଇକୋର୍ଟ ଲାଗି ସୁଦୃଶ୍ୟ ସୌଧ ନିର୍ମାଣ ସହିତ ବହୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଇ-କୋର୍ଟ ସହିତ ଜୁଡିସିଆଲ ମ୍ୟୁଜିୟମ ମଧ୍ୟ ପ୍ରତିଷ୍ଠା ହୋଇଛି । ତେବେ ଓଡିଶା ହାଇକୋର୍ଟରେ ଯେତେ ମାମଲା ରହିଛି ଓ ଯେତେ ମାମଲା ରୁଜୁ ହେଉଛି ସେସବୁର ତ୍ୱରିତ ଫଏସଲା ଲାଗି ଅତି କମ୍‍ରେ ୪୦ଜଣ ବିଚାରପତିଙ୍କ ଆବଶ୍ୟକତା ରହିଥିବାବେଳେ ମଞ୍ଜୁରୀପ୍ରାପ୍ତ ପଦବୀ କିନ୍ତୁ ଅଛି ୩୩ଟି ।

ଗତ କିଛିବର୍ଷ ଧରି ହାଇକୋର୍ଟରେ ବିଚାରପତି ପଦବୀ ଖାଲି ପଡିବା ଏକ ପ୍ରକାର ପ୍ରଥାରେ ପଡିଯାଇଛି । ସୁପ୍ରିମ୍‍କୋର୍ଟଙ୍କ କଲେଜିୟମ ବ୍ୟବସ୍ଥା ଉଚ୍ଛେଦ କରି କେନ୍ଦ୍ର ସରକାର ବିଚାରପତି ନିଯୁକ୍ତି ଦାୟିତ୍ୱ ହାତକୁ ନେବାକୁ ଚାହୁଁଥିବା ପରିପ୍ରେକ୍ଷୀରେ ଦୀର୍ଘବର୍ଷ ଧରି ଏକ ପ୍ରକାର ଶୀତଳଯୁଦ୍ଧ ଚାଲିଛି ବୋଲି ଆଇନ୍‍ଜୀବୀମାନେ କ୍ଷୋଭର ସହ କହୁଛନ୍ତି । ଏଥିଯୋଗୁଁ ବିଚାରପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଅଯଥାରେ ବିଳମ୍ବିତ ହେଉଛି । ବହୁ ଯୋଗ୍ୟ ଜିଲ୍ଲା ଜଜ୍‍ ହାଇକୋର୍ଟ ବିଚାରପତି ହେବାରୁ ବଞ୍ଚିତ ହେଉଥିବାବେଳେ ଆଉ ଅନେକ ଅଭିଜ୍ଞ ଆଇନଜ୍ଞ ମଧ୍ୟ ବୟସାଧିକ୍ୟ କାରଣରୁ ବିଚାରପତି ହୋଇପାରୁ ନାହାନ୍ତି । ଗୋଟିଏ ପଟେ ବିଚାରପତି ପଦବୀ ଲାଗି ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ନଥିବାବେଳେ ଅନ୍ୟ ପଟେ କିନ୍ତୁ ପଦବୀ ଖାଲି ରଖାଯାଉଛି ।

କେଉଁ ବିଚାରପତି କେବେ ଅବସର ଗ୍ରହଣ କରିବେ ତାହା ହାଇକୋର୍ଟ, ସୁପ୍ରିମ୍‍କୋର୍ଟ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭଲଭାବେ ଜଣା । ଏହା ସତ୍ୱେ ବିଚାରପତି ପଦବୀ ପୂରଣ ପାଇଁ ଆଗୁଆ ପଦକ୍ଷେପ ନିଆଯାଉନାହିଁ । ତୁରନ୍ତ ଓଡିଶା ହାଇକୋର୍ଟ ଲାଗି ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତିଙ୍କ ନାମ ଘୋଷଣା ସହିତ ୩୩ଟି ଯାକ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଚଳିତବର୍ଷ ଶେଷ ପୂର୍ବରୁ ପୂରଣ ପାଇଁ ଆଇନ୍‍ଜୀବୀ ମହଲରୁ ଦାବି ହେଉଛି । (ତଥ୍ୟ)