ଭୁବନେଶ୍ୱର : ଚଳିତ ବର୍ଷର ପ୍ରଥମ ପାଞ୍ଚମାସ ଭିତରେ ଓଡିଶା ହାଇକୋର୍ଟରେ ୪୩,୦୨୭ ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ ଏହି ସମୟ ମଧ୍ୟରେ ଉଭୟ ନୂଆ ଓ ପୁରୁଣା ମାମଲାରୁ ୫୭,୫୭୮ଟି ଫଏସଲା ହୋଇଛି । ଗତବର୍ଷ ରୁଜୁ ମାମଲା ତୁଳନାରେ ଫଏସଲା ମାମଲା ହାର ଯାହାଥିଲା ୨୦୨୩ର ଜାନୁୟାରୀରୁ ମଇମାସ ମଧ୍ୟରେ ଏହି ହାର ତାହାଠାରୁ ଅଧିକ ଥିବା କୁହାଯାଉଛି ।
ଏ ବର୍ଷ ଓଡିଶା ହାଇକୋର୍ଟ ୧୨୮୨ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଜାନୁୟାରୀ ରୁ ମଇ ମାସ ମଧ୍ୟରେ ଓଡିଶା ହାଇକୋର୍ଟ ପ୍ରାୟ ୯୨ଦିନ ମାମଲା ଶୁଣାଣି କରିଛନ୍ତି । ମଇ ମାସ ୨୦ତାରିଖ ଠାରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମାବକାଶ ପାଇଁ ଏବେ ହାଇକୋର୍ଟ ଛୁଟି ରହିଛି । ହାଇକୋର୍ଟଙ୍କ ବିଭିନ୍ନ ବେଞ୍ଚରେ ଶୁଣାଣି ହୋଇଥିବା ଅନେକ ମାମଲାର ରାୟ ୪/୬ମାସ ଧରି ସଂରକ୍ଷିତ ରହିଥିବା ପରିପ୍ରେକ୍ଷୀରେ ଗ୍ରୀଷ୍ମାବକାଶ ଭିତରେ ଏଗୁଡିକର ରାୟ ଲେଖାଯାଇ ଛୁଟି ଖୋଲିବା ପରେ ପରେ ସେଗୁଡିକ ପ୍ରକାଶ ପାଇପାରେ ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ ଆଶା ରଖିଛନ୍ତି ।
ହାଇକୋର୍ଟରେ ଯେତେେ ମାମଲା ଏବର୍ଷ ଫଏସଲା ହୋଇଛି ସେଥି ମଧ୍ୟରୁ ପାଖପାଖି ୧୦୦ଟି ମାମଲା ହେଉଛି ୨୫ରୁ ୪୦ବର୍ଷର ପୁରୁଣା । ଏହାଛଡା ୧୦ରୁ ୨୫ବର୍ଷର ଦୁଇ ହଜାରରୁ ଅଧିକ ମାମଲା ଫଏସଲା ହୋଇଥିବାବେଳେ ୧୦ବର୍ଷ ପର୍ଯ୍ୟନ୍ତ ପଡି ରହିଥିବା ମାମଲା ମଧ୍ୟରୁ ୫୫ହଜାରରୁ ଅଧିକ ଫଏସଲା ହୋଇଛି । ଆଇନ୍ଜୀବୀମାନେ କହୁଛନ୍ତି ଯେ କେତେଗୁଡିଏ ମାମଲାରେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗର ସମାଧାନ ପାଇଁ ହାଇକୋର୍ଟ ସମୟ ଦେଇ ମାମଲାର ପରିସମାପ୍ତି ଘଟାଇଥିବାବେଳେ ଆଉ କେତେକ କ୍ଷେତ୍ରରେ ଶୁଣାଣି କରି ଆଦେଶ ଦେଇଛନ୍ତି ଏବଂ ଆଉ ଅନେକ ପୁରୁଣା ମାମଲାରେ ସମ୍ପୃକ୍ତ ପକ୍ଷଙ୍କ ଅନୁପସ୍ଥିତ ଯୋଗୁଁ ସେଗୁଡିକୁ ଖାରଜ କରି ଦିଆଯାଇଛି ।
୨୦୨୨ ବର୍ଷରେ ମାମଲା ଫଏସଲା ହାର ରୁଜୁ ମାମଲା ତୁଳନାରେ ପ୍ରାୟ ୧୩୧ ପ୍ରତିଶତ ଥିବାବେଳେ ୨୦୨୩ର ମଇମାସ ଶେଷ ସୁଦ୍ଧା ଏହି ହାର ପାଖପାଖି ୧୩୪ ପ୍ରତିଶତ ରହିଛି । ଗତବର୍ଷ ଶେଷକୁ ଓଡିଶା ହାଇକୋର୍ଟରେ ବିଚାରାଧିନ ମାମଲା ସଂଖ୍ୟା ୧,୬୪,୭୭୧ ଥିବାବେଳେ ଚଳିତବର୍ଷ ମଇମାସ ଶେଷ ସୁଦ୍ଧା ଏହି ସଂଖ୍ୟା ହ୍ରାସ ପାଇ ୧,୪୬,୪୧୫ରେ ପହଞ୍ଚିଛି ।
ଓଡିଶା ହାଇକୋର୍ଟରେ ଯେତେ ସଂଖ୍ୟକ ମାମଲା ରହିଛି ସେଗୁଡିକର ଗୁଣାତ୍ମକ ଫଏସଲା ପାଇଁ ଆଉ ଅନ୍ୟୁନ ୧୦ଟି ନୂଆ ବିଚାରପତି ପଦବୀ ସୃଷ୍ଟି କରାଯିବାର ଆବଶ୍ୟକତା ଥିବାବେଳେ ଏବେ ଏଠାରେ ଅନେକ ବିଚାରପତି ପଦବୀ ଖାଲି ପଡିଛି । ଜୁଲାଇ ମାସରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ତାଙ୍କ ସ୍ଥାନରେ କିଏ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ତାହା ଉପରେ ଏବେ ସମସ୍ତ ନଜର ।
ତେବେ ଗତ କିଛିବର୍ଷ ଧରି ସୁପ୍ରିମ୍କୋର୍ଟରେ କେହି ଓଡିଆ ବିଚାରପତି ନାହାନ୍ତି । ବିଚାରପତି ନିଯୁକ୍ତି ଘେନି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଏକ ପ୍ରକାର ଟଣାଓଟରା ପରିସ୍ଥିତି ଲାଗି ରହିଥିବାବେଳେ ଓଡିଆ ବିଚାରପତିମାନଙ୍କୁ ସୁପ୍ରିମ୍କୋର୍ଟରେ ନିଯୁକ୍ତି ଦିଆଯିବା ଏବଂ ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ପୂରଣ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଘେନି ଆଇନ୍ଜୀବୀ ମହଲ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)