କଟକ : ଗ୍ରୀଷ୍ମାବକାଶ ପାଇଁ ଓଡିଶା ହାଇକୋର୍ଟ ପ୍ରାୟ ୩୨ଦିନ ପାଇଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ ୮ଦିନ ଅବସରକାଳୀନ ବେଞ୍ଚରେ ଜରୁରୀକାଳୀନ ମାମଲାଗୁଡିକ ବିଚାର ପାଇଁ ଗ୍ରହଣ କରାଯିବ । ଏହି ଦିନଗୁଡିକରେ ଗୋଟିଏ କରି ଦୁଇ ଜଣିଆ ଖଣ୍ଡପୀଠ ଓ ଦୁଇଟି କରି ଜଣିକିଆ ଖଣ୍ଡପୀଠରେ ବିଚାରପତିମାନେ ମାମଲାଗୁଡିକର ଶୁଣାଣି କରିବେ ।
ମଇ ୧୩ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ନିୟମିତ ଅଦାଲତ କାର୍ଯ୍ୟ ହାଇକୋର୍ଟରେ ବନ୍ଦ ରହୁଥିଲେ ମଧ୍ୟ ଅବସରକାଳୀନ ବେଞ୍ଚଗୁଡିକ ହାଇବ୍ରିଡ୍ ମୋଡ୍ରେ ଶୁଣାଣି କରିବେ । ଫଳରେ ଆଇନ୍ଜୀବୀ ଓ ସମ୍ପୃକ୍ତ ପକ୍ଷମାନେ ହାଇକୋର୍ଟକୁ ନଆସି ନିଜ ନିଜ ସ୍ଥାନରୁ ମାମଲା ପରିଚାଳନା କରିପାରିବେ । ତେବେ ମାସାଧିକାଳ ପର୍ଯ୍ୟନ୍ତ ଗ୍ରୀଷ୍ମାବକାଶ ରହୁଥିବାବେଳେ ହାଇକୋର୍ଟଙ୍କ ରେଜିଷ୍ଟ୍ରି ଓ ଅନ୍ୟାନ୍ୟ ଦପ୍ତରଗୁଡିକ କିନ୍ତୁ ପୂର୍ବବତ୍ କାର୍ଯ୍ୟକରିବ । କାର୍ଯ୍ୟଦିବସଗୁଡିକରେ ମାମଲା ରୁଜୁ ସହିତ ସାର୍ଟିଫିକେଟ ନକଲ ଆଦି ସଂଗ୍ରହ କରାଯାଇପାରିବ ।
ଚଳିତ ମାସରେ ୨୩ ଓ ୨୫ ତାରିଖରେ ହାଇକୋର୍ଟର ଅବସରକାଳୀନ କୋର୍ଟ ଚାଲିବ । ଏହି ଦୁଇ ଦିନରେ ଅନ୍ୟତମ ବିଚାରପତି କେ.ଆର.ମହାପାତ୍ର ଓ ଏମ.ଏସ୍.ସାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ବିଚାରପତି ଭି.ନରସିଂହ ଓ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଗଠିତ ଜଣିକିଆ ପୀଠ ମାମଲାର ଶୁଣାଣି କରିବେ । ସେହିଭଳି ମଇ ୩୦ତାରିଖରେ ପୂର୍ବୋକ୍ତ ଖଣ୍ଡପୀଠ ସମେତ ଅନ୍ୟତମ ବିଚାରପତି ଭି.ନରସିଂହ ଓ ଗୌରୀଶଙ୍କର ଶତପଥୀଙ୍କ ଇଜିଲାସରେ ମାମଲାର ଶୁଣାଣିହେବ ବୋଲି ହାଇକୋର୍ଟ ସୂତ୍ରରୁ ଜଣାପଡିଛି ।
ଜୁନ୍ ମାସରେ ହାଇକୋର୍ଟର ଅବକାଶକାଳୀନ ବେଞ୍ଚ ୫ଦିନ ଧରି ଚାଲିବ । ଜୁନ୍ ପହିଲା ଏବଂ ୬ ଓ ୮ତାରିଖରେ ପ୍ରତିଦିନ ହାଇବ୍ରିଡ୍ ମୋଡ୍ରେ ଗୋଟିଏ କରି ଖଣ୍ଡପୀଠ ଓ ଦୁଇଟି କରି ଜଣିକିଆ ବେଞ୍ଚରେ ଗୁରୁତ୍ୱପୂର୍ଣ୍ଣ ଜରୁରୀ ମାମଲାଗୁଡିକର ଶୁଣାଣି କରାଯିବ । ଜୁନ୍ ୧, ୬ ଓ ୮ତାରିଖରେ ଅନ୍ୟତମ ବିଚାରପତି ଏସ୍.କେ.ସାହୁ ଓ ଏମ.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାଗୁଡିକର ଶୁଣାଣି କରିବେ । ପହିଲାରୁ ଅନ୍ୟତମ ବିଚାରପତି ବି.ପି.ରାଉତରାୟ ଓ ଗୌରୀଶଙ୍କର ଶତପଥୀ, ୬ଓ ୮ତାରିଖରେ ଅନ୍ୟତମ ବିଚାରପତି ଶଶୀକାନ୍ତ ମିଶ୍ର ଓ ବି.ପି.ଶତପଥୀଙ୍କ ଜଣିକିଆ ବେଞ୍ଚ ମାମଲା ଶୁଣାଣି କରିବ ।
ଜୁନ୍ ୧୨ ଓ ଜୁନ୍ ୧୩ତାରିଖରେ ବିଚାରପତି ଶଶୀକାନ୍ତ ମିଶ୍ର ଓ ଏସ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବଂ ଅନ୍ୟତମ ବିଚାରପତି ଏ.କେ.ମହାପାତ୍ର ଓ ବି.ପି.ଶତପଥୀଙ୍କୁ ନେଇ ଗଠିତ ଜଣିକିଆ ବେଞ୍ଚ ନିର୍ଦ୍ଧାରିତ ମାମଲାଗୁଡିକର ଶୁଶାଣି କରିବେ ।
ହାଇକୋର୍ଟର କେକେ ବେଞ୍ଚରେ ମାସ ମାସ ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରହିଥିବା ପରିପ୍ରେକ୍ଷୀରେ ଏହି ସୁଦୀର୍ଘ ଗ୍ରୀଷ୍ମାବକାଶ ସମୟରେ ଓ କୋର୍ଟ ଖୋଲିବା ପରେ ପରେ ଅନେକଗୁଡିଏ ରାୟ ପ୍ରକାଶ ପାଇପାରେ ବୋଲି ସମ୍ପୃକ୍ତ ପକ୍ଷମାନେ ଆଶା ରଖିଛନ୍ତି । (ତଥ୍ୟ)