Home Judiciary ହାଇକୋର୍ଟରେ ଏଣିକି ଇ-ଫାଇଲିଂ

ହାଇକୋର୍ଟରେ ଏଣିକି ଇ-ଫାଇଲିଂ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସଂସ୍ଥା ଏଣିକି ହାଇକୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ଆବେଦନ, ଜବାବ, ପ୍ରତିଜବାବ ଆଦି ଦାଖଲ କରିବେ । ଏ ସଂକ୍ରାନ୍ତରେ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଶରେ ଆଇନ୍‍ ଅଦାଲତ ଗୁଡିକରେ ମାମଲା ସଂକ୍ରାନ୍ତରେ ଇ-ଫାଇଲିଂ ବ୍ୟବସ୍ଥାକୁ ସକ୍ରିୟ କରିବାପାଇଁ ସୁପ୍ରିମ୍‍କୋର୍ଟଙ୍କର ଇ-କମିଟି ଏକ ସ୍ୱତନ୍ତ୍ର ଇ-ଫାଇଲିଂ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ଓକିଲମାନେ ସେମାନଙ୍କ ମୋକଦ୍ଦମା ଦାୟର କରିପାରୁଛନ୍ତି ।

ଓଡିଶା ହାଇକୋର୍ଟ ରେଜେଷ୍ଟ୍ରି ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ମାଲିମୋକଦ୍ଦମା ଗୁଡିକରୁ ଅଧିକାଂଶୋର ରାଜ୍ୟ ସରକାର ପକ୍ଷଭୁକ୍ତ ରହୁଥିବାରୁ ସରକାରୀ ପକ୍ଷର ଆବେଦନ, ଜବାବ ଆଦି ଇ-ଫାଇଲିଂ ବ୍ୟବସ୍ଥା ମାଧ୍ୟମରେ ହେବା ଆବଶ୍ୟକ । ଏଥିପାଇଁ ସ୍ୱତନ୍ତ୍ର ଇ-ଫାଇଲିଂ ପୋର୍ଟାଲ https://efiling.ecourts.gov.in/or/ ରହିଛି । ଇ-ଫାଇଲିଂ ପରେ ଏହାର ହାର୍ଡ କପି ଦାଖଲ କରାଯିବାର ଆବଶ୍ୟକତା ନାହିଁ । ମାମଲାଗୁଡିକ ସଂକ୍ରାନ୍ତରେ ଯେଉଁସବୁ ମୂଳ ନଥିପତ୍ର ଆବଶ୍ୟକ ହେଉଛି ସେଗୁଡିକ ଇ-ଫାଇଲରରେ ରହିପାରିବ ।

ହାଇକୋର୍ଟରେ ଇ-ଫାଇଲିଂ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ଲିଙ୍କ୍‍/ମେନ୍ୟୁ – ଇ-ସର୍ଭିସେସ୍‍ ମାଧ୍ୟମରେ ହାଇକୋର୍ଟର ୱେବସାଇଟ୍‍ରୁ ଉପଲବ୍ଧ ହୋଇପାରିବ ଏବଂ ଏ ସଂକ୍ରାନ୍ତରେ ହାଇକୋର୍ଟର ନୂଆ ଇ-ଫାଇଲିଂ ଷ୍ଟେସନଗୁଡିକରୁ ମଧ୍ୟ ସହାୟତା ମିଳିପାରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଉଭୟ ସରକାରୀ ଓ ବେସରକାରୀ ପକ୍ଷମାନେ ମୋଟା କାଗଜରେ ପ୍ରସ୍ତୁତ କରାଯାଇଥିବା ଆବେଦନ, ଜବାବ, ପ୍ରତିଜବାବ, ମିସ୍‍କେଶ୍‍ ଆଦି ଟାଇପ୍‍ କିମ୍ବା ଡିଟିପି କରି ଦସ୍ତଖତ ସହ ଦାଖଲ କରୁଥିଲେ । ମାମଲାରେ ଯେତେ ସଂଖ୍ୟକ ବାଦୀ ଓ ପ୍ରତିବାଦୀ ରହୁଥିଲେ ସେମାନଙ୍କୁ ମଧ୍ୟ ଏହାର ନକଲ ଦେବାକୁ ପଡୁଥିଲା । ଏଥିପାଇଁ ବହୁ ପରିମାଣର କାଗଜ ବ୍ୟବହୃତ ହେଉଥିଲା । ତେବେ ଇ-ଫାଇଲିଂ ବ୍ୟବସ୍ଥା ପରେ ଅଦାଲତରେ କାଗଜ ବ୍ୟବହାର ଢେର ପରିମାଣରେ କମିଯିବ ।

କରୋନା ସମୟରେ ସୁପ୍ରିମ୍‍କୋର୍ଟରୁ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ବିଭିନ୍ନ ଆଇନ୍‍ ଅଦାଲତରେ ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ହେବାରୁ କୋର୍ଟ ପ୍ରକୋଷ୍ଠକୁ ନଆସି ବିଚାରପତିମାନେ ସେମାନଙ୍କ ଚାମ୍ବର ଓ ଘରୁ ମାମଲାର ଶୁଣାଣି କରିପାରୁଛନ୍ତି । ସେହିପରି କରୋନା କଟକଣା ଯୋଗୁଁ ଓକିଲମାନେ ମଧ୍ୟ ବହୁ କ୍ଷେତ୍ରରେ ସଶରୀରରେ କୋର୍ଟରେ ଉପସ୍ଥିତ ନରହି ନିଜ ଚାମ୍ବରରୁ ମାମଲା ଶୁଣାଣିରେ ଭାଗ ନେଇ ପାରୁଛନ୍ତି । ହାଇକୋର୍ଟରେ ଜରୁରୀ ମେମୋ ଦାଖଲ ମଧ୍ୟ ଇ-ମୋଡ୍‍ରେ ହୋଇପାରୁଛି । ଏଠାରେ ଉଲ୍ଲେଖନୀୟ ଯେ ଏବେ ଓଡିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୮୨ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । (ତଥ୍ୟ)