Home News in Odia ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ କାର୍ଯ୍ୟକାରିଣୀ

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ କାର୍ଯ୍ୟକାରିଣୀ

ଭୁବନେଶ୍ୱର : ଲଗାତାର ନିର୍ବାଚନରେ ହାର ହାରି ହତାଶ ହୋଇ ପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ବିଜେପି ଚେଷ୍ଟା କରୁଛି ଏବଂ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି ।

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି ଏବଂ ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ ଯେଉଁଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।

ଲୋକସଭାରେ ଥିବା ବିଜେପିର ୮ ଜଣ ସାଂସଦ ଷଡଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଓଡିଶାର ଗରିବ ଲୋକ ପାଇବାକୁ ଥିବା ଘରକୁ ବନ୍ଦ କରିଥିଲେ ଏବଂ ବିଜେଡିର ଚାପ ଯୋଗୁଁ ଏହା ମିଳିଲା ପରେ ଓଡିଶା ବିଜେପିର ଆଉ ଲୋକଙ୍କ ପାଖକୁ ଯିବାକୁ ମୁହଁ ନାହିଁ । ଯଦି ରାଜ୍ୟ ବିଜେପିର ସତସାହାସ ଅଛି ତେବେ ଓଡିଶାର ୩.୨୫ କୋଟି ଲୋକଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ବନ୍ଦ ହେବା ବିଷୟରେ ରାଜ୍ୟବାସୀଙ୍କୁ ସତ କହିବା ଉଚିତ ।

ଓଡିଶା ବିଜେପି ଲୋକଙ୍କ ପ୍ରସଙ୍ଗ ଗ୍ରହଣ କରୁନାହିଁ ଯେଉଁଥିପାଇଁ ଓଡିଶାବାସୀ ଏହାକୁ ଗୁରୁତ୍ୱର ସହ ନେଉନାହାଁନ୍ତି ଏବଂ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଓଡିଶା ବିଜେପିର ଆଜିର ବୈଠକ ସେମାନଙ୍କର ହତାଶ ଏବଂ ନିରାଶ ହୋଇଥିବା ଦଳୀୟ କ୍ୟାଡରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବାର ଆଉ ଏକ ଦୁର୍ବଳ ପ୍ରୟାସ ଯାହା ଦୁର୍ଭାଗ୍ୟଜନକ ଭାବରେ ପୁଣି ଥରେ ବିଫଳ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।