ଭୁବନେଶ୍ୱର : ଓଡିଶା ରାଜ୍ୟ ବାଉଁଶ ମିଶନ ଦ୍ୱାରା ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ୯୫୫ ହେକ୍ଟରରେ ବାଉଁଶ ଗଛ ଲାଗିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆଉ ହଜାରେ ହେକ୍ଟରରେ ଏହା ଲଗାଇବାପାଇଁ ଲକ୍ଷ୍ୟ ରହିଛି ।
ରାଜ୍ୟରେ ବାଉଁଶ ଚାଷକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଏଥିପାଇଁ ରାଜ୍ୟ ବାଉଁଶ ମିଶନ ଗଠନ କରାଯାଇଛି । ଏହି ମିଶନ ରାଜ୍ୟର ବିଭିନ୍ନ ସ୍ଥାନରେ ବାଉଁଶ ଜଙ୍ଗଲ ସୃଷ୍ଟି କରୁଛି । ମିଶନ ୨୦୧୯-୨୦ ବର୍ଷରେ ୨୩୩ ହେକ୍ଟରରେ ବାଉଁଶ ଗଛ ଲଗାଇବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ମାତ୍ର ୫୩ ହେକ୍ଟରରେ ଏହା ଲଗାଯାଇ ପାରିଥିଲା । ତେବେ ୨୦୨୦-୨୧ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଇଲାକାରେ ମିଶନ ବାଉଁଶ ଗଛ ଲଗାଇବାରେ ସଫଳ ହୋଇଥିଲା ।
୨୦୨୦-୨୧ ବର୍ଷରେ ମିଶନ ୩୦୦ ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟ ବଦଳରେ ୪୦୬ ହେକ୍ଟରରେ ବାଉଁଶ ଗଛ ଲଗାଇବାରେ ସଫଳ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ୫୦୦ ହେକ୍ଟରରେ ବାଉଁଶ ଗଛ ଲଗାଇବାର ଲକ୍ଷ୍ୟ ଥିଲା । ତେବେ ସେହିବର୍ଷ ୪୯୬ ହେକ୍ଟର ଜମିରେ ବାଉଁଶ ଗଛ ଲଗାଇବାରେ ସଫଳ ହୋଇଛନ୍ତି ।
ତେବେ ୨୦୨୨-୨୩ ବର୍ଷରେ ରାଜ୍ୟରେ ହଜାରେ ହେକ୍ଟର ଜମିରେ ବାଉଁଶ ଗଛ ଲଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ବାର୍ଷିକ ଯୋଜନାରେ ୫୮୮.୮୩ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛିା ଏଥି ମଧ୍ୟରୁ କେନ୍ଦ୍ରର ଅଂଶଧନ ୩୫୦ଲକ୍ଷ ଟଙ୍କା ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅଂଶଧନ ୨୩୩.୮୩ ଲକ୍ଷ ଟଙ୍କା ରହିଛି । ତେବେ ଡିସେମ୍ବର ଶେଷ ସୁଦ୍ଧା କେନ୍ଦ୍ର ସରକାର ତାଙ୍କର ଅଂଶଧନ ପ୍ରଦାନ କରିନଥିବା ଜଣାଯାଇଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ପରିବେଶରେ ସନ୍ତୁଳନ ରକ୍ଷା ସହିତ ବାଉଁଶ ଶିଳ୍ପ ଜରିଆରେ ଲୋକଙ୍କ ହାତକୁ ରୋଜଗାର ଯୋଗାଇବା ଲାଗି ରାଜ୍ୟ ସରକାର ବାଉଁଶ ମିଶନ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଉଁଶ ଜଙ୍ଗଲ ସୃଷ୍ଟି କରୁଛନ୍ତି । ବାଉଁଶ ତିଆରି ବିଭିନ୍ନ ଘରକରଣା ସାମଗ୍ରୀ ଏପରିକି ବାଉଁଶରୁ ପ୍ରସ୍ତୁତ ଗହଣାର ଏବେ ବେଶ୍ ଚାହିଦା ରହିଛି । ସେହିଭଳି ବାଉଁଶ କରଡିରୁ ପ୍ରସ୍ତୁତ ଖାଦ୍ୟକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି ।
ସେହିଭଳି ହାତୀମାନଙ୍କର ଅନ୍ୟତମ ଖାଦ୍ୟ ବାଉଁଶ ଅଭାବ ଯୋଗୁଁ ସେମାନେ ଗାଁ ଓ ସହରମୁହାଁ ହୋଇ ବ୍ୟାପକ ଫସଲ ଓ ଧନଜୀବନ ନଷ୍ଟ କରୁଥିବାରୁ ପରିବେଶବିତ୍ମାନେ ମଧ୍ୟ ବାଉଁଶ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟରେ କିଭଳି ଅଧିକରୁ ଅଧିକ ବାଉଁଶ ଜଙ୍ଗଲ ସୃଷ୍ଟି ହୋଇପାରିବ ତାହା ଉପରେ ବାଉଁଶ ମିଶନ ଗୁରୁତ୍ୱ ଦେଉଥିବା ଜଣାଯାଇଛି । (ତଥ୍ୟ)