Home General ହଜାରେରୁ ଅଧିକ ଗାଁ ରେ ପହଞ୍ଚିନି ମୋବାଇଲ

ହଜାରେରୁ ଅଧିକ ଗାଁ ରେ ପହଞ୍ଚିନି ମୋବାଇଲ

ଭୁବନେଶ୍ୱର : ରାଜ୍ୟର ହଜାରେରୁ ଅଧିକ ଗାଁରେ ଏବେ ବି ମୋବାଇଲ୍‍ ସେବା ଅପହଞ୍ଚ । ଏଥିରୁ ସର୍ବାଧିକ ୧୨୯ଟି ଗାଁ ରାୟଗଡା ଜିଲ୍ଲାରେ ରହିଛି । ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ବି ଏଭଳି ଗାଁ ସଂଖ୍ୟା ଶହେରୁ ଅଧିକ ।

ଓଡିଶାରେ ମୋବାଇଲ୍‍ ସେବା ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖର । କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଓଡିଶାରେ ମୋଟ୍‍ ୫୧,୧୭୬ଟି ଗ୍ରାମ ଥିବାବେଳେ ଏଥିରୁ ୧୦୯୧ ଟି ଗାଁରେ ଏବେ ବି ମୋବାଇଲ୍‍ ସେବା ପହଞ୍ଚି ପାରିନାହିଁ । ଝାରସୁଗୁଡା ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ସମସ୍ତ ୨୯ଟି ଜିଲ୍ଲାରେ ମୋବାଇଲ ଅପହଞ୍ଚ ଗାଁ ରହିଛି ।

ଏହି ଅପହଞ୍ଚ ଗାଁ ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ୧୫ଟି ଗାଁ ରହିଥିବାବେଳେ କଟକ ଜିଲ୍ଲାର ୧୪ଟି, ପୁରୀର ୬ଟି, ବାଲେଶ୍ୱରର ୧ଟି, କେନ୍ଦ୍ରାପଡାର ୧୬ଟି, ଯାଜପୁରର ୨୨ଟି ଗାଁ ରହିଛି । ସେହିଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟରେ ମାଲକାନଗିରି ଜିଲ୍ଲାର ୧୦୩ଟି ଗାଁ ଏହି ତାଲିକାରେ ଥିବାବେଳେ କନ୍ଧମାଳର ୧୧୨ଟି, କଳାହାଣ୍ଡିର ୯୨ଟି, କୋରାପୁଟର ୮୫ଟି ଗାଁ ରହିଛି ।

ସେହିଭଳି ରାଜ୍ୟରେ କଲ ଡ୍ରପ୍‍, ବ୍ରଡବ୍ୟାଣ୍ଡ୍‍ର ବେଗ, ମୋବାଇଲ ଅଞ୍ଚଳରେ ଥିବା ପାର୍ଥକ୍ୟ ଏବଂ ଅନ୍ୟାନ୍ୟ ଟେଲିକମ୍‍ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ୨୦୨୧-୨୨ରେ ରାଜ୍ୟରେ ଏଭଳି ଅଭିଯୋଗ ସଂଖ୍ୟା ୧୦୩୨ ଥିବାବେଳେ ୨୦୨୫-୨୬ରେ ତାହା ୨୨୫୧ରେ ପହଞ୍ଚିଛି । ଏହି ପାଞ୍ଚବର୍ଷ ମଧ୍ୟରେ ମୋଟ୍‍ ଅଭିଯୋଗ ସଂଖ୍ୟା ୬୭୪୯ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ତେବେ ସର୍ବାଧିକ ଅଭିଯୋଗ ରାଜ୍ୟ ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବାବେଳେ ଏହା ପଛକୁ କଟକ ଜିଲ୍ଲା ରହିଛି ।

ଉତ୍ତରରେ ଦର୍ଶାଯାଇଛି ଯେ ଭାରତ ସରକାର ଡିଜିଟାଲ ଭାରତ ନିଧି ଯୋଜନାରେ ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାରେ ବ୍ରଡବ୍ୟାଣ୍ଡ ମୋବାଇଲ୍‍ ସେବାପାଇଁ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ରାଜ୍ୟର ୨୯୫୪ ଗ୍ରାମ ପଞ୍ଚାୟତରେ ଭାରତ୍‍ ନେଟ୍‍ ପ୍ରକଳ୍ପ ଇଣ୍ଟରନେଟ୍‍ ସେବା ଯୋଗାଣ ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହାବାଦ୍‍ ରାଜ୍ୟରେ ମୋବାଇଲ୍‍ ସେବା ପାଇଁ ୩୭୨୬ଟି ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଇଛି ।

ତେବେ ଯେଉଁସବୁ ଗାଁରେ ଏବେ ବି ମୋବାଇଲ୍‍ ସେବା ଅପହଞ୍ଚ ରହିଛି ସେଠାରେ ଆର୍ଥିକ କାରବାର ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢା ପର୍ଯ୍ୟନ୍ତ ସବୁକିଛି ବ୍ୟାହତ ହେଉଛି । ସବୁଠାରୁ ଅଧିକ ସମସ୍ୟାରେ ପଡୁଛନ୍ତି ଭତ୍ତା ପାଉଥିବା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ପାଉଥିବା ହିତାଧିକାରୀ । ମୋବାଇଲ୍‍ ସେବା ନଥିବାରୁ ସେମାନଙ୍କର ଅଙ୍ଗୁଠି ଛାପ ଆଦି ନେବାରେ ସମସ୍ୟା ଦେଖା ଦେଉଛି ଓ ବୟସ୍କ ଲୋକେ ବାରମ୍ବା ଏଥିପାଇଁ ଦଉଡୁଛନ୍ତି । ସେହିଭଳି କଲ୍‍ ଡ୍ରପ୍‍ ଓ ଇଣ୍ଟରନେଟ୍‍ର ଧିମା ଗତି ଅଭିଯୋଗ ବୃଦ୍ଧି ମଧ୍ୟ ରାଜ୍ୟରେ ଟେଲିକମ୍‍ ସେବାର ଦୁର୍ବଳ ଭିତ୍ତିଭୂମିକୁ ଦର୍ଶାଉଛି । (ତଥ୍ୟ)