ଭୁବନେଶ୍ୱର : ଓଡିଶାରେ ତିନି ଶହରୁ ଅଧିକ କଲେଜ ଓ ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ । ସେହିଭଳି ଅନେକ ସ୍ୱୟଂଶାସିତ କଲେଜର ସ୍ୱୟଂଶାସନ ମର୍ଯ୍ୟାଦା କେବେ ଠାରୁ କଟି ସାରିଥିଲେ ମଧ୍ୟ ସେ ସବୁର ନବୀକରଣ କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଛି ।
ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ଏଭଳି ସ୍ଥିତି ଏବେ ଉଚ୍ଚଶିକ୍ଷା ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଏ କ୍ଷେତ୍ରରେ ସମନ୍ୱୟ ରଖିବାପାଇଁ ଗଢାଯାଇଥିବା ଉଚ୍ଚଶିକ୍ଷା ପରିଷଦ ବି ତାହାର ସମସ୍ତ ଉଦ୍ୟମ ସତ୍ୱେ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକର ଉଚ୍ଚ ଗ୍ରେଡ୍ର ନାକ୍ ମାନ୍ୟତା ହାସଲ କରାଇବା କ୍ଷେତ୍ରରେ ସଫଳ ହୋଇପାରୁ ନାହିଁ ।
ଏବେ ଉତ୍କଳ, ଶ୍ରୀରାମଚନ୍ଦ୍ରଭଞ୍ଜ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା ଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ‘ବି’ ଗ୍ରେଡ୍ ମାନ୍ୟତା ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବରୁ ‘ଏ+’ ଗ୍ରେଡ୍ର ମାନ୍ୟ ହାସଲ କରିଥିବାବେଳେ ଏଥର ତାହା ‘ଏ’ କୁ ଖସିଛି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାର ଗ୍ରେଡ୍ ବୃଦ୍ଧି ପାଇଁ ଆଶା ରଖି ନିକଟ ଅତୀତରେ ପୁଣି ଥରେ ନାକ୍ ଟିମ୍ ଦ୍ୱାରା ପୁର୍ନମୂଲ୍ୟାୟନ କରାଯାଇଛି ।
ଏକଦା ରାଜ୍ୟ ଭିତରେ ଓ ବାହାରେ କଲେଜ ହିସାବରେ ଗୌରବ ସାଉଁଟିଥିବା ରେଭେନ୍ସା କଲେଜ, ରମାଦେବୀ ମହିଳା ମହାବିଦ୍ୟାଳୟ, ରାଜେନ୍ଦ୍ର କଲେଜ, ବିକ୍ରମଦେବ କଲେଜ, ଗଙ୍ଗାଧର ମେହେର କଲେଜ, ଖଲ୍ଲିକୋଟ କଲେଜ, ଧରଣୀଧର କଲେଜ ଆଦିକୁ ସରକାର ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି । ଆଜିର ଦିନରେ ଏହି ଗୌରବାବହ ଶିକ୍ଷାନୁଷ୍ଠାନଗୁଡିକର କୌଣସି ନାକ୍ ମାନ୍ୟତା ନାହିଁ । ଏହାଛଡା ସମ୍ବଲପୁର, କଳାହାଣ୍ଡି, ବିକ୍ରମଦେବ, ଧରଣୀଧର ଆଦି ବିଶ୍ୱବିଦ୍ୟାଳୟ ସମେତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଦିର ନାକ୍ ମାନ୍ୟତା ନାହିଁ ।
ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପାଖପାଖି ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି । ଏହାଛଡା ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି । ଏମିତିକି ଉତ୍କଳ ଭଳି ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ୪୬ରୁ ପ୍ରାୟ ୩୫ଟି ପ୍ରଫେସର ପଦବୀ ଖାଲି ରହିଛି । ରେଭେନ୍ସାରେ ୨୯ରୁ ୨୦ଟି ପ୍ରଫେସର ପଦବୀ ଖାଲି ।
ମୋଟାମୋଟି ଭାବେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଆମ ରାଜ୍ୟରେ ଏବେ ୨୦୦ରୁ ଅଧିକ ପ୍ରଫେସର ପଦବୀ ଖାଲି ପଡିଛି । ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟ ୪/୬ଜଣ ପ୍ରଫେସରରେ କୌଣସି ମତେ ଚାଲୁଛି । କେବଳ ପ୍ରଫେସର ପଦବୀ ନୁହେଁ, ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ୫୦୦ରୁ ଅଧିକ ସହକାରୀ ପ୍ରଫେସର ଓ ପ୍ରାୟ ସାଢେ ୩ଶହ ସହଯୋଗୀ ପ୍ରଫେସର ପଦବୀ ମଧ୍ୟ ଖାଲି ପଡିଛି । ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଅବସ୍ଥା ଆହୁରି ସାଂଘାତିକ । ଶିକ୍ଷକ ମରୁଡି କାରଣରୁ ଏ ବର୍ଷ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ପିଜି ଓ ୟୁଜି କାର୍ଯ୍ୟକ୍ରମରେ ନାମାଙ୍କନ ବନ୍ଦ ରହିଛି ।
କୋର୍ଟ କଚେରୀ ମାମଲା ଯୋଗୁଁ ପଦବୀ ପୂରଣ ହୋଇପାରୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ମାମଲାର ଫଏସଲା କିମ୍ବା ରହିତାଦେଶ ଉଠାଇବା କ୍ଷେତ୍ରରେ ଏଯାବତ୍ ସରକାର ସଫଳ ହୋଇନାହାନ୍ତି । ଏ ପରିପ୍ରେକ୍ଷୀରେ ପୁରୁଣା ଆଇନ୍ ଆଧାରରେ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ । ଡିଗ୍ରୀ କଲେଜଗୁଡିକରେ ଅଧିକାଂଶ ସ୍ଥାନରେ ଅଧ୍ୟକ୍ଷ ନଥିବାବେଳେ ଅଧ୍ୟାପକ ଓ କର୍ମଚାରୀ ମରୁଡି ସ୍ଥିତି ସାଂଘାତିକ । ଉଚ୍ଚ ଗ୍ରେଡ୍ର ନାକ୍ ମାନ୍ୟତା ହାସଲ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଥିବାବେଳେ ନିୟମିତ ଶିକ୍ଷକ ଅଭାବ କାରଣରୁ ଅଧ୍ୟାପନା ଓ ଗବେଷଣା ସହିତ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଅଚଚଳାବସ୍ଥା ଉପୁଜିଛି । (ତଥ୍ୟ)