Home Forest ସହରୀକରଣ ପାଇଁ ଅଧିକ ଗଛ କଟା

ସହରୀକରଣ ପାଇଁ ଅଧିକ ଗଛ କଟା

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ଜଙ୍ଗଲ ଜମ ଅଧିଗ୍ରହଣ ସହିତ ଗଛ କଟାହୋଇଛି ତାହାଠାରୁ ଅଧିକ ଜଙ୍ଗଲ ଜମି ସହରୀକରଣ ପାଇଁ ଅଧିଗ୍ରହଣ ହେବା ସହିତ ଗଛ ବି କଟା ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ବର୍ଷ ଅର୍ଥାତ୍‍ ୨୦୧୩ ରୁ ୨୦୨୨ ମଧ୍ୟରେ ଶିଳ୍ପ ଓ ସହରୀକରଣ ପାଇଁ ମୋଟ୍‍ ୧୨୭ ହେକ୍ଟର ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ଅନୁମତି ପାଇବାପରେ ଏହି ଜଙ୍ଗଲଜମି ଅଧିଗ୍ରହଣ ହେବା ସହିତ ସେଠାରେ ଥିବା ଗଛ କଟା ହୋଇଛି । ଏହିସବୁ ଜଙ୍ଗଲ ଜମି ମୁଖ୍ୟତଃ ଯାଜପୁର, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ, ଅନୁଗୁଳ, ଜଗତ୍‍ସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଅଧିଗ୍ରହଣ କରାଯାଇଛି ।

ତେବେ ଏହି ଦଶବର୍ଷ ମଧ୍ୟରେ ୫ଟି ଶିଳ୍ପସଂସ୍ଥା ପାଇଁ ୫୬ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି । ଏଥି ମଧ୍ୟରେ ୨୦୧୩ରେ କଟକ ଜିଲ୍ଲାର ଟାଙ୍ଗି-ଚୌଦ୍ୱାର ଅଞ୍ଚଳରେ ସିମେଣ୍ଟ କାରଖାନା ପାଇଁ ପ୍ରାୟ ୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହୋଇଥିବାବେଳେ ୨୦୧୫ରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ପାଇଁ ହିନ୍ଦୋଳ ତହସିଲ ଅଞ୍ଚଳରେ ପ୍ରାୟ ୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହୋଇଥିଲା । ସେହିଭଳି ୨୦୧୮ରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଏସଏମସି ତାପଜ କେନ୍ଦ୍ର ପାଇଁ ପ୍ରାୟ ୧୮ ହେକ୍ଟର ଜମି ଅଧିଗ୍ରହଣ ହୋଇଥିଲା । ୨୦୨୦ ଜିଲ୍ଲାରେ କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟ କମ୍ପାନୀ ପାଇଁ ୨୬ ହେକ୍ଟର ଏବଂ ସେହିବର୍ଷ ସୁନ୍ଦରଗଡ ଜିଲ୍ଲାର ବଣାଇରେ ରୁଙ୍ଗ୍‍ଟା କମ୍ପାନୀର କାମାଣ୍ଡୋ ଇସ୍ପାତ କାରଖାନା ପାଇଁ ପ୍ରାୟ ୪ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହୋଇଥିଲା ।

ତେବେ ଅଧିଗ୍ରହଣ ଜଙ୍ଗଲ ଜମିର ଭରଣା ପାଇଁ କ୍ଷତିପୂରକ ବନୀକରଣ ୧୭୮ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା ଏବଂ ଏ ବାବଦରେ ୮୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସେହିଭଳି ବିଭିନ୍ନ ପ୍ରକାର ସହରୀକରଣ କାର୍ଯ୍ୟ ପାଇଁ ଏହି ସମୟ ମଧ୍ୟରେ ୭୧ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଅଧିଗ୍ରହଣ ହୋଇଥିଲା । ଏଥି ମଧ୍ୟରେ ସର୍ବାଧିକ ୨୫.୭୪ ହେକ୍ଟର ଜଙ୍ଗଲ ଜମି ପାରାଦୀପ୍‍ ପୋର୍ଟର ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ ହୋଇଥିବାବେଳେ ଏମ୍‍ସ ଭୁବନେଶ୍ୱର ପାଇଁ ୧୦.୫୮ ହେକ୍ଟର ଜମି ଅଧିଗ୍ରହଣ ହୋଇଛି ।

ଅନ୍ୟ ସହରୀକରଣ ପ୍ରକଳ୍ପ ମଧ୍ୟରେ ରାଜନଗର ବନ୍ୟପ୍ରାଣୀ ଡିଭିଜନରେ ଆସୁଥିବା ଶଙ୍ଖକୁଦ ଠାରେ ପାରାଦୀପ ବନ୍ଦରର ନିର୍ମାଣ କାର୍ଯ୍ୟ ପାଇଁ ୮.୪୩ ହେକ୍ଟର, ଜାଭିୟର ଇନଷ୍ଟିଟ୍ୟୁଟ ପାଇଁ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନରେ ୮ ହେକ୍ଟର, ଝାରସୁଗୁଡା ବିମାନ ବନ୍ଦର ପାଇଁ ୩.୮୮ହେକ୍ଟର, ଗଞ୍ଜାମରେ ଟାଟା କମ୍ପାନୀର ଏସ୍‍ଇଜେଡ୍‍ ପାଇଁ ୩.୭୯ ହେକ୍ଟର, ଢେଙ୍କାନାଳରେ ଭାରତ ପେଟ୍ରୋଲିୟମର ତୈଳ ଡିପୋ ପାଇଁ ୨ ହେକ୍ଟର, ଭୁବନେଶ୍ୱରର ଆଞ୍ଚଳିକ ପାସ୍‍ପୋର୍ଟ ଦପ୍ତର ସମ୍ପ୍ରସାରଣ ପାଇଁ ୦.୦୮୧ ହେକ୍ଟର, ସିୱାଇଏସ୍‍ଡିର କୋଠା ନିର୍ମାଣ ପାଇଁ ଚନ୍ଦକା ବନ୍ୟପ୍ରାଣୀ ଡିଜିଜନରେ ୦.୧୯୬୭ ହେକ୍ଟର ଏବଂ ଅନୁଗୁଳ ଠାରେ ଏମସିଏଲ୍‍ର ମେଡିକାଲ କଲେଜ ପାଇଁ ୮.୪୯୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି । ଅଧିଗ୍ରହଣ ହୋଇଥିବା ଏହି ଜଙ୍ଗଲ ଜମିର ଭରଣା ପାଇଁ କ୍ଷତିପୂରକ ବନୀକରଣ ଯୋଜନାରେ ୧୧୩.୯୯୭ ହେକ୍ଟର ଜମିରେ ଏକ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ବୃକ୍ଷରୋପଣ କରାଯାଇଛି । (ତଥ୍ୟ)