Home General ସ୍ୱରେଜ ଲାଇନ୍‍ ସଫା କରିବାକୁ ଡର

ସ୍ୱରେଜ ଲାଇନ୍‍ ସଫା କରିବାକୁ ଡର

ଭୁବନେଶ୍ୱର : ସହରାଞ୍ଚଳରେ ସ୍ୱରେଜ ଲାଇନ୍‍ ସଫା କରିବାପାଇଁ ଏବେ ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀମାନେ ଡରିଲେଣି । ଅଧିକାଂଶ ସ୍ଥାନରେ ଯନ୍ତ୍ର ସାହାଯ୍ୟରେ ଏହି କାମ ହୋଇପାରୁନଥିବା ଓ ଯଦି କୌଣସି ଠାରେ ଶ୍ରମିକଙ୍କ ଦ୍ୱାରା ସଫା କରାଯାଉଛି ସେଠାରେ କଡା କାର୍ଯ୍ୟାନୁଷ୍ଠାନ ଭୟ ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି ।

ଖୋଦ ରାଜଧାନୀରେ ଏହି ଅବସ୍ଥା ଜଟିଳ ହେବାରେ ଲାଗିଛି । କୌଣସି ୟୁନିଟ୍‍ରେ ଯଦି ଲୋକେ ସ୍ୱରେଜ ଲାଇନ୍‍ ଜାମ୍‍ର ସମ୍ମୁଖୀନ ହୋଇ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଦପ୍ତରରେ ଅଭିଯୋଗ କରୁଛନ୍ତି ତେବେ ତାହାର ସମାଧାନ ସହଜରେ ହୋଇପାରୁ ନାହିଁ । ଯନ୍ତ୍ରୀ ଓ କର୍ମଚାରୀମାନେ କେବଳ ଲୋକଙ୍କୁ ଆଜି ହେବ କାଲି ହେବ, ଠିକାଦାର କରିବ ଭଳି କଥା କହି ସମୟ ଗଡାଇ ଚାଲୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଲୋକଙ୍କ ଏଭଳି ଦୁର୍ଦ୍ଦଶାର କାରଣ ହେଉଛି ୱାଟ୍‍କୋ ଦ୍ୱାରା ଯାନ୍ତ୍ରିକ ସଫେଇ ବ୍ୟବସ୍ଥା । ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ କେବଳ ଯନ୍ତ୍ରଦ୍ୱାରା ସ୍ୱରେଜ ଲାଇନ୍‍ ସଫେଇ କରିବାକୁ ସ୍ଥିର ହୋଇଛି । ଏଥିପାଇଁ ଠିକାଦାର ନିଯୁକ୍ତ ସହିତ ନିୟୋଜିତ କର୍ମଚାରୀମାନଙ୍କୁ ପୋଷାକ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି । ହେଲେ ଅଧିକାଂଶ ସ୍ଥାନ ବିଶେଷକରି ସରକାରୀ କ୍ୱାର୍ଟର ପଛପଟକୁ ସଫେଇ ଗାଡି ପଶିପାରୁ ନଥିବାରୁ ସ୍ୱରେଜ ଲାଇନ୍‍ ସଫା ହୋଇପାରୁ ନାହିଁ । ପୂର୍ବଭଳି ସ୍ୱରେଜ ଲାଇନ୍‍ ଭିତରକୁ ଲୋକେ ପଶିବା ମନା ଥିବାରୁ ବି ସେଠାରେ ଜମା ହେଉଥିବା ବାଲି, ମାଟି ଆଦି ସହଜରେ ବାହାରି ପାରୁନାହିଁ । ହେଲେ ଏ ଦିଗ ପ୍ରତି କାହାର ନଜର ନାହିଁ ।

ଜନସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଖୋଦ ରାଜଧାନୀରେ ସ୍ୱରେଜ ଲାଇନ୍‍କୁ ଯନ୍ତ୍ର ଦ୍ୱାରା ସଫା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ହେଲେ ପୂର୍ବଭଳି ଲୋକଙ୍କ ହାତରେ ସଫା କରାଇଲେ କଡା କାର୍ଯ୍ୟାନୁଷ୍ଠାନ ହେଉଛି । ଇତି ମଧ୍ୟରେ ଜଣେ ଯନ୍ତ୍ରୀ ଏହିଭଳି ଅଭିଯୋଗରେ ନିଲମ୍ବିତ ହୋଇଥିବାବେଳେ ଖୁବ୍‍ଶୀଘ୍ର ଆଉ ଜଣେ ଦୁଇଜଣଙ୍କ ମୁଣ୍ଡ ଗଡିବାର ସମ୍ଭାବନା ରହିଛି । ସେହିଭଳି ଜଣେ ଠିକାଦାରଙ୍କ ଉପରେ ଲକ୍ଷାଧିକ ଟଙ୍କା ଜୋରିମାନା ବି ଲାଗିଛି ।

ସେହିଭଳି ସ୍ୱରେଜ ଲାଇନ୍‍ ସଫା କରିବାପାଇଁ ଠିକାଦାର ନିଯୁକ୍ତ ହୋଇଥିବାବେଳେ ସେମାନେ କିଭଳି କାର୍ଯ୍ୟ କରୁଛନ୍ତି ତାହାର ତଦାରଖ କରି ଫଟୋ ଉଠାଇ ପଠାଇବାକୁ ଆଉ ଜଣେ ଠିକାଦାର ରହିଛନ୍ତି । ଯଦି କୌଣସି ଠାରେ ଲୋକଙ୍କ ସୁବିଧା ସକାଶେ ଠିକାଦାର ଜଣଙ୍କ କର୍ମଚାରୀଙ୍କ ହାତରେ ଛୋଟ ଛୋଟ ସ୍ୱରେଜ ଲାଇନ୍‍କୁ ସଫା କରିବାକୁ ପଦକ୍ଷେପ ନେଉଛନ୍ତି ତେବେ ଆଉଜଣେ ଠିକାଦାର ଫଟୋ ଉଠାଇ ପଠାଇଦେବାର ଭୟ ରହିଛି ।

ଏଭଳି ସ୍ଥିତରେ ଏବେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ସହରଗୁଡିକରେ ସ୍ୱରେଜ ଲାଇନ୍‍ ସଫା କରିବା ବଡ ସମସ୍ୟା ହୋଇ ଉଭା ହୋଇଛି । ଯଦିଓ କର୍ତ୍ତୃପକ୍ଷ ଏଥିପାଇଁ ଯନ୍ତ୍ରଖଚିତ ଯାନବାହାନ, କର୍ମଚାରୀଙ୍କ ପାଇଁ ସୁରକ୍ଷା ଉପକରଣ ଆଦି ଖରିଦ କରିଛନ୍ତି, କିନ୍ତୁ ସବୁ ଅଞ୍ଚଳକୁ ଗାଡିମୋଟର ପ୍ରବେଶ କରିପାରୁନଥିବା ଓ ଯନ୍ତ୍ର ସହାୟତାରେ ସଫେଇ କରିବା ସହଜ ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । (ତଥ୍ୟ)