Home Judiciary ଶିଶୁ ନିର୍ଯ୍ୟାତନା ମାମଲାରେ ଦଣ୍ଡବିଧାନ ଢେର କମ୍‍

ଶିଶୁ ନିର୍ଯ୍ୟାତନା ମାମଲାରେ ଦଣ୍ଡବିଧାନ ଢେର କମ୍‍

ଭୁବନେଶ୍ୱର : ଶିଶୁଙ୍କ ସୁରକ୍ଷାପାଇଁ ସ୍ୱତନ୍ତ୍ର ଅଦାଲତ ସମେତ ଶିଶୁ ଅଧିକାର ସୁରକ୍ଷା କମିଶନ ରହିଥିଲେ ବି ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି ଏବଂ ବର୍ଷ ବର୍ଷ ଧରି ଅଦାଲତରେ ମାମଲା ଗଡିଚାଲିବା ଫଳରେ ନିର୍ଯ୍ୟାତିତ ଶିଶୁମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସର୍ବଶେଷ ରିପୋର୍ଟ ଅନୁଯାୟୀ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୪୫ ପ୍ରତିଶତରୁ ଅଧିକ ରହୁଥିବାବେଳେ ଓଡିଶାରେ ଏହି ହାର କିନ୍ତୁ ୧୭ପ୍ରତିଶତରୁ କମ୍‍ ରହୁଛି । ସାରା ଦେଶରେ ଶିଶୁଙ୍କ ପ୍ରତି ଘଟୁଥିବା ପ୍ରାୟ ସାଢେ ଚାରିଲକ୍ଷ ମାମଲା ବିଚାରାଧିନ ରହିଛି ।

ଗତବର୍ଷ ଆରମ୍ଭ ବେଳକୁ ଏହି କିସମର ମାମଲା ସଂଖ୍ୟା ୪,୧୬,୪୧୩ ଥିଲା । ଓଡିଶାରେ ଏହି ସମୟ ସୁଦ୍ଧା ଶିଶୁମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ୧୫,୨୨୮ ମାମଲା ବିଚାରାଧିନ ଥିଲା । ବର୍ଷକରେ ଏଭଳି ମାମଲା ସଂଖ୍ୟା ପ୍ରାୟ ୩ହଜାର ବଢୁଛି ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ୨୦୨୦ ବର୍ଷରେ ଓଡିଶାରେ ୧୫,୫୪୮ଟି ଏ ସଂକ୍ରାନ୍ତୀୟ ମାମଲା ବିଚାରପାଇଁ ରହିଥିବାବେଳେ ସେଥିରୁ ବର୍ଷରେ ମାତ୍ର ୩୨୦ଟି ମାମଲା ଫଏସଲା ହୋଇଥିଲା । ଏଥି ମଧ୍ୟରୁ ୨୬୬ରେ ଅଭିଯୁକ୍ତ ଖଲାସ ହୋଇଯାଇଥିବାବେଳେ ମାତ୍ର ୫୪ଟି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ ଏବଂ ଯେତୋଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସେଥିରୁ ଅଧିକାଂଶରେ ସେମାନେ ଉପର ଅଦାଲତରେ ଅପିଲ କରୁଥିବାରୁ ବସ୍ତୁତଃ ଶିଶୁଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ କଦବା କ୍ୱଚିତ କେହି ଜେଲ୍‍ ଦଣ୍ଡ ଭୋଗୁଛନ୍ତି ।

ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି ଓଡିଶାରେ ଉକ୍ତ ବର୍ଷରେ ବିଚାରପାଇଁ ଥିବା ମାମଲାଗୁଡିକ ମଧ୍ୟରୁ ମାତ୍ର ୨.୧ ପ୍ରତିଶତ ଫଏସଲା ହୋଇଥିବାବେଳେ ୯୭.୯ ପ୍ରତିଶତ ବାକିଆ ମାମଲା ଭାବରେ ପରବର୍ତ୍ତୀ ବର୍ଷକୁ ଗଡିଛି । ଅନ୍ୟ ପକ୍ଷରେ କଦବା କ୍ୱଚିତ ଯଦି କୌଣସି ସ୍ଥାନରେ ଶିଶୁମାନେ ଅପରାଧରେ ସମ୍ପୃକ୍ତ ହେଉଛନ୍ତି ସେମାନଙ୍କୁ ତୁରନ୍ତ ଧରାଯାଇ ବାଳ ସୁଧାର ଗୃହକୁ ପଠାଯାଉଛି । ଅଥଚ ଶିଶୁମାନଙ୍କ ପ୍ରତି ଅପରାଧ ଘଟାଉଥିବା ବ୍ୟକ୍ତିମାନେ ବିଳମ୍ବିତ ବିଚାର ପ୍ରକ୍ରିୟା, ତ୍ରୁଟିପୂର୍ଣ୍ଣ ତଦନ୍ତ, ମାମଲା ପରିଚାଳନାରେ ସମନ୍ୱୟର ଅଭାବ ଆଦି ବିଭିନ୍ନ କାରଣରୁ ସହଜରେ ଖସି ଯାଉଛନ୍ତି ।

ଶିଶୁମାନଙ୍କ ପ୍ରତି ଘଟୁଥିବା କେତେକ ନିର୍ଦ୍ଦିଷ୍ଟ ଅପରାଧ ସଂକ୍ରାନ୍ତରେ ଅବଶ୍ୟ ମଝିରେ ମଝିରେ କିଛି ରାଜନୈତିକ ଦଳ ବିବୃତ୍ତିବାଜି କରି ପୁଣି ଚୁପ୍‍ ହୋଇଯାଉଛନ୍ତି । ରାଜ୍ୟରେ ଏବେ ବିଚାର ପ୍ରତୀକ୍ଷାରେ ଥିବା ପ୍ରାୟ ୧୬ହଜାର ଶିଶୁଙ୍କ ପ୍ରତି ଅପରାଧ ମାମଲାର ତ୍ୱରିତ ଫଏସଲା ଲାଗି ରାଜ୍ୟ ସରକାର, ବିଚାର ବିଭାଗ ଓ ଶିଶୁ ସୁରକ୍ଷା କମିଶନ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ଦାବି କରୁଛନ୍ତି । (ତଥ୍ୟ)