Home Agriculture ସ୍ୱଦେଶୀ ବିହନ ବ୍ୟାଙ୍କ୍‍ ପାଇଁ ପରାମର୍ଶ

ସ୍ୱଦେଶୀ ବିହନ ବ୍ୟାଙ୍କ୍‍ ପାଇଁ ପରାମର୍ଶ

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବା ଖାଉଟିଙ୍କ ସ୍ୱାସ୍ଥ୍ୟରକ୍ଷା ଲାଗି ଗାଁରେ ଗାଁରେ ସ୍ୱଦେଶୀ ବିହନ ବ୍ୟାଙ୍କ୍‍ ସୃଷ୍ଟି କରାଯିବା ଆବଶ୍ୟକ । କର୍ଣ୍ଣାଟକରେ ସ୍ୱଦେଶୀ ବିହନ ବ୍ୟାଙ୍କ୍‍ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର କରୁଥିବା ‘ସହଜ ସମୃଦ୍ଧ’ ସଂଗଠନର ପ୍ରତିଷ୍ଠାତା କ୍ରିଷ୍ଣା ପ୍ରସାଦ ଆଜି ଏଠାରେ ଏହା କହିଛନ୍ତି ।

ବିଶିଷ୍ଟ ପରିବେଶବିତ୍‍ ତଥା ସ୍ୱଦେଶୀ ବିହନ ସଂରକ୍ଷଣର ଅଗ୍ରଧାବକ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଦିବସରେ ଭିତ୍ତି ଭାଷଣ ପ୍ରଦାନ କରିବାଲାଗି ନିମନ୍ତ୍ରିତ ହୋଇ ଆସିଥିବା କ୍ରିଷ୍ଣା ପ୍ରସାଦ କହିଛନ୍ତି ଯେ ହାଇବ୍ରିଡ୍‍ ବିହନର ରୋଗ ପ୍ରତିରୋଧକ ଶକ୍ତି ଢେର କମ୍‍ । ଏହି ବିହନରୁ ଯେଉଁ ଗଛ ସୃଷ୍ଟି ହେଉଛି ସେଗୁଡିକ ମଧ୍ୟ ଅତିବୃଷ୍ଟି ଓ ଅଳ୍ପବୃଷ୍ଟି ଜନିତ ପରିସ୍ଥିତିକୁ ମୁକାବିଲା କରିପାରୁ ନାହାନ୍ତି । ମାନବୀୟ କ୍ରୁର କାର୍ଯ୍ୟକଳାପ ପାଇଁ ଭାରତ ସମେତ ସମଗ୍ର ବିଶ୍ୱରେ ତାପମାତ୍ରା ବଢୁଛି ଏବଂ ଏଥିଯୋଗୁଁ ଋତୁଚକ୍ରରେ ମଧ୍ୟ ପରିବର୍ତ୍ତନ ଆସୁଛି । ଏ ପରିପ୍ରେକ୍ଷୀରେ ଗ୍ରୀଷ୍ମର ପ୍ରାବଲ୍ୟ ବର୍ଷରେ ସର୍ବାଧିକ ସମୟ ରହୁଥିବାବେଳେ ବର୍ଷା ଓ ଶୀତଋତୁ କମି କମି ଆସୁଛି ଏବଂ ଶରତ, ବସନ୍ତ ଓ ହେମନ୍ତ ଭଳି ଋତୁଗୁଡିକ ସେମାନଙ୍କ ସତ୍ତା ହରାଇ ସାରିଲେଣି ।

ଦେଶର ଜନସଂଖ୍ୟା ବଢି ଚାଲିଥିବା ପରିପ୍ରେକ୍ଷୀରେ ହାଇବ୍ରିଡ ବିହନ ମାଧ୍ୟମରେ ଖରିଫ ଓ ରବି ଋତୁରେ ଚାଷକୁ ଦୀର୍ଘବର୍ଷ ଧରି ଉତ୍ସାହିତ କରି ଅତ୍ୟଧିକ ପରିମାଣର ରସାୟନିକ ସାର ଓ କୀଟନାଶକ ପ୍ରୟୋଗ ଫଳରେ ମାଟିର ଉର୍ବରତା ନଷ୍ଟହୋଇ ଚାଲିଛି ଏବଂ ଏ ପ୍ରକାର ଚାଷରୁ ଉତ୍ପାଦିତ ହେଉଥିବା ଶସ୍ୟ, ପନିପରିବା, ଫଳମୂଳ ଆଦି ବ୍ୟବହାର କରି ଲୋକେ ମଧ୍ୟ ବିଭିନ୍ନ କିସମର ରୋଗରେ ପଡୁଛନ୍ତି ।

ପୁରୁଣା ଦେଶୀ ବିହନ ମାଧ୍ୟମରେ ଚାଷ ଉପରେ ଏବେ ଓଡିଶା ସମେତ ପ୍ରାୟ ସବୁ ରାଜ୍ୟର ସରକାର ଏବଂ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଲୋପ ପାଇଯାଉଥିବା ବିଭିନ୍ନ କିସମର ଦେଶୀ ବିହନଗୁଡିକର ସଂରକ୍ଷଣ ଓ ସମ୍ପ୍ରସାରଣର ଢେର ଆବଶ୍ୟକତା ରହିଛି । ପୂର୍ବରୁ ଦେଶୀ ବିହନଗୁଡିକ ମାଧ୍ୟମରେ ହେଉଥିବା ଚାଷ ସମୟରେ ଛୋଟ ଛୋଟ ପ୍ରାକୃତିକ ବିପତ୍ତି ଯୋଗୁଁ ଚାଷୀ ବିଶେଷ କ୍ଷତିଗ୍ରସ୍ତ ହେଉନଥିଲେ । ଏମିତିକି କେତେକ କିସମର ଚାଉଳ, ଗହମ, ପନିପରିବା, ଫଳମୂଳ ଆଦିରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଛି । କେତେକ କିସମର ଚାଉଳରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋଟିନ ଥିବା ଜଣାପଡିଛି । ଏସବୁକୁ ଆଖିଆଗର ରଖି ‘ସହଜ ସମୃଦ୍ଧ’ ସଂଗଠନ କର୍ଣ୍ଣାଟକର ବ୍ୟାପକ ଅଞ୍ଚଳରେ ସ୍ୱଦେଶୀ ବିହନ ବ୍ୟାଙ୍କ୍‍ ପ୍ରତିଷ୍ଠା କରି ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଛି ଏବଂ ଏଥିଯୋଗୁଁ ଚାଷୀମାନଙ୍କ ରୋଜଗାର ବି ବଢୁଛି ।

କୃଷି ସହିତ ପରିବେଶ ଜଡିତ ଥିବାରୁ ଜଙ୍ଗଲ ସଂରକ୍ଷଣ, ଗ୍ରାମ ଓ ସହରାଞ୍ଚଳରେ ବୃକ୍ଷରୋପଣ, ଭୂତଳ ଜଳ ସଂରକ୍ଷଣ, ବାୟୁମଣ୍ଡଳର ତାପମାତ୍ରା ହ୍ରାସ, ଜଳ ପ୍ରଦୂଷଣ ରୋକିବା ଆଦିକୁ ଜନଆନ୍ଦୋଳନରେ ପରିଣତ କରାଯିବା ଆବଶ୍ୟକ । ଏବେ ଆଲୋକ ପ୍ରଦୂଷଣ କୃଷି ଓ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବଡ ଆହ୍ୱାନ ଭାବେ ଉଭା ହେଉଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି । ସରକାରୀ ସ୍ତରରେ ଏହି ସମସ୍ୟା ଉପରେ ଆଲୋଚନା ଚାଲୁଥିବାବେଳେ ଜନସାଧାରଣ ବ୍ୟବସ୍ଥାକୁ ଅପେକ୍ଷା ନକରି ନିଜେ ନିଜର ଉତ୍ତରପୁରୁଷଙ୍କ ଭବିଷ୍ୟତ ପାଇଁ ସ୍ୱଦେଶୀ ବିହନ ସଂରକ୍ଷଣ ସହିତ ସ୍ୱଦେଶୀ, ସ୍ୱାବଲମ୍ବନ ଓ ପର୍ଯ୍ୟାବରଣ ନେଇ ନିଜ ନିଜ ସ୍ତରରେ କାମ କରିବାକୁ ସେ ପରାମର୍ଶ ଦେଇଚନ୍ତି । (ତଥ୍ୟ)