Home Agriculture ବିଦେଶୀ ଫଳ ଚାଷ ପାଇଁ ଆଗ୍ରହୀ

ବିଦେଶୀ ଫଳ ଚାଷ ପାଇଁ ଆଗ୍ରହୀ

ଭୁବନେଶ୍ୱର : ବିଦେଶୀ ଫଳ ଓ ପନିପରିବା ଚାଷକରି ଅଧିକ ଲାଭ ପାଇବାକୁ ଓଡିଶାର ଚାଷୀ ଆଗ୍ରହୀ ହେଉଛନ୍ତି । ଚାଷୀଙ୍କ ଆଗ୍ରହକୁ ଦେଖି ରାଜ୍ୟ ସରକାର ମଧ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ଯୋଗାଇ ଦେଉଛନ୍ତି ।

ବିଦେଶୀ ଫଳ ମଧ୍ୟରେ ଏବେ ରାଜ୍ୟରେ ଡ୍ରାଗନ ଫ୍ରୁଟ ସମେତ ଷ୍ଟ୍ରବେରୀ, ଆପଲ ବେରି ବହୁଳ ଭାବେ ଚାଷ କରାଯାଉଛି । ସେହିଭଳି ଚାଷୀମାନେ ଥାଇଲାଣ୍ଡ, ଜାପାନ ଆଦି ଦେଶରେ ଉତ୍ପାଦିତ ହେଉଥିବା ଦାମୀ ଆମ୍ବ ଚାରା ଆମଦାନୀ କରି ଚାଷ କରୁଛନ୍ତି । ପନିପରିବା ମଧ୍ୟରେ ବ୍ରୋକୋଲି ଠାରୁ ଆରମ୍ଭ କରି କ୍ୟାପିସ୍‍କମ୍‍, ରଙ୍ଗୀନ କୋବି ଆଦିର ବେଶ୍‍ ବଜାର ଚାହିଦା ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ଭିତରେ ଓ ବିଦେଶରେ ଡ୍ରାଗନ୍‍ଫ୍ରୁଟର ବେଶ୍‍ ଚାହିଦା ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ରାଜ୍ୟର ୨୫ଟି ଜିଲ୍ଲାରେ ୧୦୭ ହେକ୍ଟର ଜମିରେ ଡ୍ରାଗନଫ୍ରୁଟ୍‍ ଚାଷ ହେଉଥିବାବେଳେ ବାର୍ଷିକ ୭୨୫ ମେଟ୍ରିକ ଟନ୍‍ ଉତ୍ପାଦନ ହେଉଛି । ଏହାର ଏକ ବଡ ଅଂଶ ବିଦେଶକୁ ରପ୍ତାନି କରାଯାଉଛି । ସବୁଠାରୁ ଅଧିକ ବଲାଙ୍ଗିରରେ ୩୧ ହେକ୍ଟର ଜମିରେ ଏହି ଚାଷ ହେଉଥିବାବେଳେ ଢେଙ୍କାନାଳରେ ୧୭ ହେକ୍ଟର. କୋରାପୁଟରେ ୧୦ ହେକ୍ଟର, କନ୍ଧମାଳରେ ୭ ଓ କଟକ ଜିଲ୍ଲାରେ ପ୍ରାୟ ୬ ହେକ୍ଟର ଜମିରେ ଡ୍ରାଗନଫ୍ରୁଟ୍‍ ଚାଷ କରାଯାଉଛି ।

ସେହିଭଳି ଓଡିଶାରେ ଚାଷ ହେଉଥିବା ଷ୍ଟ୍ରବେରୀର ମଧ୍ୟ ଦେଶ ଓ ବିଦେଶରେ ଭଲ ଚାହିଦା ରହିଛି । ବିଶେଷକରି ଜୈବିକ ଉପାୟରେ ହେଉଥିବା ଏହି ଚାଷ ବେଶ୍‍ ଲାଭଜନକ ହୋଇଛି । ଓଡିଶାର ପ୍ରାୟ ଶହେ ହେକ୍ଟର ଜମିରେ ଷ୍ଟ୍ରବେରୀ ଚାଷ ହେଉଛି । କେବଳ କୋରାପୁଟ ଜିଲ୍ଲାରେ ୩୨ ହେକ୍ଟର ଜମିରେ ଷ୍ଟ୍ରବେରୀ ଚାଷ ହେଉଥିବାବେଳେ ଏଠାରୁ ଉତ୍ପାଦିତ ଫଳ ବିଦେଶକୁ ରପ୍ତାନି ହେଉଛି । ଏହାବାଦ୍‍ ଓଡିଶାରେ ଚାଷ ହେଉଥିବା ଆମ୍ବ ମଧ୍ୟ ଚଳିତବର୍ଷ ବିଦେଶକୁ ରପ୍ତାନି ହୋଇଥିବାବେଳେ ରାଜ୍ୟରେ ଫଳୁଥିବା ସୁବର୍ଣ୍ଣରେଖା କିସମର ଆମ୍ବକୁ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‍ କି ବାତ୍‍ରେ ପ୍ରଶଂସା କରିବାପରେ ଏହାର ଚାହିଦା ବେଶ୍‍ ବଢି ଯାଇଛି ।

ପନି ପରିବା ମଧ୍ୟରେ ଏବେ ବିଦେଶୀ ପରିବା ବ୍ରୋକୋଲି, କ୍ୟାପ୍‍ସିକମ୍‍ ସହିତ ରଙ୍ଗୀନ କୋବି ଆଦିର ଢେର ଚାହିଦା ରହିଛି । ରାଜ୍ୟ ଭିତରେ ଭଲ ବିକ୍ରିବଟା ହେବା ସହିତ ଅନ୍ୟ ରାଜ୍ୟ ଓ ବିଦେଶକୁ ରପ୍ତାନିର ସୁଯୋଗ ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି । ତେବେ ଓଡିଶା ଏବେ କ୍ୟାପସିକମ୍‍ ଚାଷର ଅନ୍ୟତମ ହବ୍‍ ହୋଇଛି । ରାଜ୍ୟର ପ୍ରାୟ ୭୭୦ ହେକ୍ଟର ଜମିରେ ଏହି ଚାଷ ହେଉଥିବାବେଳେ ବାର୍ଷିକ ୧୦ହଜାର ଟନ୍‍ରୁ ଅଧିକ ଉତ୍ପାଦିତ ହେଉଛି ।

ସେହିଭଳି ରାଜ୍ୟର କେତେକ ଅଞ୍ଚଳରେ ରଙ୍ଗିନ୍‍ କ୍ୟାପସିକମ୍‍ ସହିତ ରଙ୍ଗୀନ ଫୁଲକୋବି ଓ ବନ୍ଧାକୋବି ଉତ୍ପାଦିତ ହେଉଛି । ଦେଶର ବଡ ବଡ ମଲରେ ଏହାର ବେଶ୍‍ ଚାହିଦା ଥିବାବେଳେ ରପ୍ତାନି ସୁଯୋଗ ମଧ୍ୟ ରହିଛି । ରାଜ୍ୟ ସରକାର ଜୈବିକ ଚାଷ ପଦ୍ଧତିରେ ବିଦେଶୀ ପନି ପରିବା ଚାଷ ଉପରେ ଗୁରୁତ୍ୱ ଦେଉଥିବାରୁ ଏହାର ଭବିଷ୍ୟତକୁ ଦେଖି ଚାଷୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଗାମୀ ଦିନରେ ରାଜ୍ୟରେ ଅଧିକରୁ ଅଧିକ ବିଦେଶୀ ପନିପରିବା ରାଜ୍ୟରେ ଉତ୍ପାଦିତ ହେବାର ସମ୍ଭାବନା ରହିଛି । (ତଥ୍ୟ)