Home General ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ଅନୁଦାନ ବୃଦ୍ଧି

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ଅନୁଦାନ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଦାନ ରାଶି ବୃଦ୍ଧି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଅନୁଦାନ ବୃଦ୍ଧି ବାବଦରେ ଘୋଷଣା କରାଯାଇଛି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଆବାସିକ ସୁବିଧା ନେଇ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଅନୁଦାନ ରାଶି ମାସିକ ୨୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସେମାନେ ମାସିକ ୧୭୬୦ ଟଙ୍କା ପାଉଛନ୍ତି । ଅନୁରୂପ ଭାବରେ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କର ମାସିକ ଅନୁଦାନ ରାଶି ବର୍ତ୍ତମାନ ଥିବା ୩୭୦ ଟଙ୍କାରୁ ୪୯୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଆବାସିକ ଓ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀ ଏହି ବର୍ଦ୍ଧିତ ଅନୁଦାନ ଚଳିତ ବର୍ଷ ଅପ୍ରେଲ ପହିଲାରୁ ପାଇବେ । ଫଳରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେବ ।

ସେହିପରି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରଙ୍କ ପକ୍ଷରୁ ଫର୍ଣ୍ଣିଚର, କମ୍ପୁ୍ୟଟର ସାମଗ୍ରୀ ଏବଂ ସ୍ୱତନ୍ତ୍ର ସଫଫଓୟାର ଆଦି କିଣିବା ନିମନ୍ତେ ଏକକାଳୀନ ଯଥାକ୍ରମେ ଏକ ଲକ୍ଷ ଟଙ୍କା, ୫୦ ହଜାର ଟଙ୍କା ଏବଂ ୬୦ ହଜାର ଟଙ୍କା ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା ରହିଛି । ବିଭିନ୍ନ ଖେଳ ସାମଗ୍ରୀ ଓ ଖେଳଣା ଇତ୍ୟାଦି କିଣିବା ପାଇଁ ପ୍ରତି ତିନିବର୍ଷରେ ଥରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାର ବନ୍ଦୋବସ୍ତ ରହିଛି ।