Home Judiciary ସ୍ୟାଟ୍‍ ମାମଲାରେ ଓକିଲ ଯିବେ ସୁପ୍ରିମ୍‍କୋର୍ଟ

ସ୍ୟାଟ୍‍ ମାମଲାରେ ଓକିଲ ଯିବେ ସୁପ୍ରିମ୍‍କୋର୍ଟ

ଭୁବନେଶ୍ୱର : ସ୍ୟାଟ୍‍ ଉଚ୍ଛେଦ ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ହାଇକୋର୍ଟ ଏ ସମମ୍ପର୍କିତ ମାମଲାଗୁଡିକୁ ଖାରଜ କରିଦେଇଥିବାବେଳେ ଏହି ରାୟ ବିରୁଦ୍ଧରେ ସୁପ୍ରିମ୍‍କୋର୍ଟ ଯିବାପାଇଁ ପ୍ରସ୍ତୁତି ଚାଲିଛି ।

କେତେକ ଓକିଲ ସଂଗଠନ, କର୍ମଚାରୀ ସଂଗଠନ ମାମଲା ରୁଜୁ କରି ପେନ୍‍ସନ, ନିଯୁକ୍ତି ଆଦି ଲାଗି ବର୍ଷ ବର୍ଷ ଧରି ଅପେକ୍ଷାକରି ରହିଥିବା ବହୁ ଆବେଦନକାରୀ ଏସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିବା ଲାଗି ଆଇନ୍‍ଗତ ପରାମର୍ଶ ଲୋଡିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କାମାକ୍ଷା ପ୍ରସାଦ ସିଂହଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଦେଶରେ ପ୍ରଶାସନିକ ନ୍ୟାୟାଧିକରଣ ସ୍ଥାପନ ଲାଗି ୧୯୮୫ ମସିହାରେ ଆଇନ୍‍ ପ୍ରଣିତ ହୋଇଥିଲା ଏବଂ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍) ଗଠିତ ହୋଇଥିବାବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ଗଢାଯାଇଥିଲା ।

ପରବର୍ତ୍ତୀ ସମୟରେ ୨୦୧୭ରେ ରାଜ୍ୟ ସରକାର ସ୍ୟାଟ୍‍ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେତେବେଳେ କେନ୍ଦ୍ର ବାରମ୍ବାର ସ୍ପଷ୍ଟିକରଣ ଲୋଡି ସ୍ୟାଟ୍‍ ଉଚ୍ଛେଦ ପ୍ରସଙ୍ଗକୁ ଗଡାଇ ଚାଲିଥିଲା । ତେବେ ୨୦୧୯ର ନିର୍ବାଚନ ପରେ ରାଜନୈତିକ ଗଣିତ ବଦଳିଯିବାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ବସାଇଲେ ଓ ସ୍ୟାଟ୍‍ ଉଚ୍ଛେଦ ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହାକୁ ବିରୋଧ କରି କଟକ ଓ ଭୁବନେଶ୍ୱରର ସ୍ୟାଟ୍‍ ବାର୍‍ ଆସୋସିଏସନ ସମେତ ଆଉ କେତେକ ବ୍ୟକ୍ତିବିଶେଷ ଓ ସଂଗଠନ ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ପ୍ରଥମେ ହାଇକୋର୍ଟରେ ବିଚାର ହେବାଲାଗି ସୁପ୍ରିମ୍‍କୋର୍ଟ ମତବ୍ୟକ୍ତ କରିବାରେ ଦୁଇବର୍ଷ ଧରି ହାଇକୋର୍ଟରେ ଏହି ମାମଲା ରହିଥିଲା ।

ତେବେ ନିକଟରେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇ ଟ୍ରିବ୍ୟୁନାଲ ଉଚ୍ଛେଦ ସଂକ୍ରାନ୍ତୀୟ ସରକାରୀ ନିଷ୍ପତ୍ତିକୁ କାଏମ ରଖିବା ସହ ଏଠାରେ ବିଚାର ପ୍ରତୀକ୍ଷାରେ ଥିବା ପ୍ରାୟ ୭୦ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟରେ ଯେତିକି ମାମଲା ରହିଛି ସେହି ଅନୁପାତରେ ବିଚାରପତି ନଥିବା ଏବଂ ଚାକିରି ସଂକ୍ରାନ୍ତୀୟ ମାମଲାର ଶୁଣାଣି ଲାଗି ଅନ୍ୟୁନ ୬ଟି ବେଞ୍ଚ ଆବଶ୍ୟକ ଥିବା କଥା ଆଇନ୍‍ଜୀବୀମାନେ କହୁଛନ୍ତି । ଏହି ଦୃଷ୍ଟିରୁ ହାଇକୋର୍ଟରେ ରୁଜୁ ହୋଇଥିବା ଚାକିରି ସଂକ୍ରାନ୍ତୀୟ ମାମଲାଗୁଡିକର ଶୁଣାଣି ସହ ତ୍ୱରିତ ଫଏସଲା ହୋଇପାରୁନାହିଁ । ନିଯୁକ୍ତି ପେନ୍‍ସନ ଆଦି ଲାଗି ଏ ପରିପ୍ରେକ୍ଷୀରେ ହଇରାଣରେ ପଡିଥିବା ଲୋକ ସ୍ୟାଟ୍‍ରୁ ହାଇକୋର୍ଟ ଓ ହାଇକୋର୍ଟରୁ ସ୍ୟାଟ୍‍ ଧାଁ ଦଉଡ କରି ହାଲିଆହୋଇ ପଡୁଥିବାବେଳେ ସରକାରୀକଳ ନିରବ ରହିଛି ।

ଆଇନ୍‍ ବିଶେଷଜ୍ଞମାନେ କହୁଛନ୍ତି ଯେ ସ୍ୟାଟ୍‍ ପୁର୍ନଗଠନର ଆବଶ୍ୟକତା ରହିଛି ଏବଂ ଏଠି ଓ ହାଇକୋର୍ଟରେ ପଡି ରହିଥିବା ଚାକିରି ସଂକ୍ରାନ୍ତୀୟ ମାମଲାଗୁଡିକର ସମୀକ୍ଷା ଅବସରପ୍ରାପ୍ତ ବିଚାରପତି, ଅଭିଜ୍ଞ ଓକିଲ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ କରାଯାଇପାରିଲେ ଅଧାରୁ ଅଧିକ ମାମଲାର ଚାପା ହ୍ରାସ ପାଇବ ଏବଂ ଅପେକ୍ଷାରତ ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ । (ତଥ୍ୟ)