Home Judiciary ସ୍ୟାଟ୍‍ ଉଚ୍ଛେଦ ପାଇଁ ସମସ୍ୟାରେ କର୍ମଚାରୀ

ସ୍ୟାଟ୍‍ ଉଚ୍ଛେଦ ପାଇଁ ସମସ୍ୟାରେ କର୍ମଚାରୀ

ଭୁବନେଶ୍ୱର : ଚାକିରି ଓ ପେନ୍‍ସନ୍‍ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନଥିବାରୁ ସରକାରୀ କର୍ମଚାରୀ ଓ ସେମାନଙ୍କ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ଉଚ୍ଛେଦ କରିଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଏହି ସମସ୍ୟା ଉତ୍କଟତର ହେବାରେ ଲାଗିଛି ।

କେବଳ ସରକାରୀ କର୍ମଚାରୀ, ଅବରସପ୍ରାପ୍ତ କର୍ମଚାରୀ ଏବଂ ଚାକିରି ପ୍ରତ୍ୟାଶୀମାନେ ନୁହଁନ୍ତି ସ୍ୟାଟ୍‍ ଉଚ୍ଛେଦ ପରେ ସରକାର ମଧ୍ୟ ଅନେକ କ୍ଷେତ୍ରରେ ସମସ୍ୟାରେ ପଡ଼ୁଛନ୍ତି । ପୂର୍ବରୁ ସ୍ୟାଟ୍‍ ଯେଉଁସବୁ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଥିଲେ ତାହା ଉଠାଇବାରେ ସମସ୍ୟା ଉପୁଜୁଛି । ଆବେଦନକାରୀ ଚାହିଁଲେ ତାଙ୍କ ମାମଲାଟିକୁ ହାଇକୋର୍ଟରେ ରିଟ୍‍ ଆବେଦନ କରି ସ୍ଥାନାନ୍ତର କରିପାରିବେ । କିନ୍ତୁ ରାଜ୍ୟ ସରକାର ଆବେଦନକାରୀଙ୍କ ମାମଲାଟିକୁ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ଆବେଦନ କରିବାରେ ଆଇନ୍‍ଗତ ସମସ୍ୟା ରହିଛି । ସ୍ୟାଟ୍‍ ଉଚ୍ଛେଦ ପୂର୍ବରୁ ଏଠାରେ ଥିବା ପ୍ରାୟ ୭୨ହଜାର ମାମଲାର ଫଇସଲା ସହ ସରକାରୀ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ସ୍ୱତନ୍ତ୍ର ଫୋରମ୍‍ କରିବାର ଆବଶ୍ୟକତା ଥିଲା । କିନ୍ତୁ ଏଯାବତ୍‍ ତାହା ହୋଇପାରିନାହିଁ ।

ଓଡ଼ିଶା ହାଇକୋର୍ଟରେ ଏବେ ୧ଲକ୍ଷ ୭୨ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଅନ୍ୟୁନ ୧୨ଟି ବିଚାରପତି ପଦବୀ ଖାଲିପଡ଼ିଛି । ଏ ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତିମାନେ ଯେତେ ଚେଷ୍ଟା କଲେ ବି ବାକିଆ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନାହିଁ । ତା’ ସହିତ ତାଳଦେଇ ପ୍ରତିଦିନ ନୂଆ ମାମଲା ବି ରୁଜୁ ହେଉଛି । ଏ ପରିପ୍ରେକ୍ଷୀରେ ସ୍ୟାଟ୍‍ ଉଚ୍ଛେଦ ବେଳକୁ ପଡ଼ିରହିଥିବା ପ୍ରାୟ ୭୨ହଜାର ମାମଲାର ବୋଝ ହାଇକୋର୍ଟ ନିଜ ମୁଣ୍ଡ ଉପରକୁ ନେଲେ ବାକିଆ ମାମଲା ସଂଖ୍ୟା ଅଢ଼େଇ ଲକ୍ଷକୁ ଟପିଯାଇପାରେ ।

ବିିଭିନ୍ନ କର୍ମଚାରୀ ସଂଘର ନେତାମାନେ କହୁଛନ୍ତି ଯେ କେନ୍ଦ୍ର ସରକାରଙ୍କ କ୍ୟାଟ୍‍ ଓଡ଼ିଶାରେ କାର୍ଯ୍ୟ କରୁଥିବା ବେଳେ ସ୍ୟାଟ୍‍ ଉଚ୍ଛେଦ କରିବାର ଆବଶ୍ୟକତା ନ ଥିଲା । ଯଦି ଏହା ଉଚ୍ଛେଦ କରାଗଲା ତେବେ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଫଇସଲା ଲାଗି ହାଇକୋର୍ଟରେ ଅନ୍ୟୁନ ୬ଟି ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ଲାଗି ଅଧିକ ବିଚାରପତି ପଦବୀ ସୃଷ୍ଟିର ଆବଶ୍ୟକତା ରହିଛି ।

୧୦୬୫ ନମ୍ବର ରଖି ଓଏଏସ୍‍ ଚାକିରିରେ ପ୍ରାର୍ଥୀ ନିଯୁକ୍ତ ହୋଇଥିବା ବେଳେ ୧୩୬୫ ନମ୍ବର ରଖି ଏଥିରୁ ବଞ୍ଚିତ ହୋଇଥିବା ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ଦୁଇବର୍ଷ ଧରି ସ୍ୟାଟ୍‍ ଓ ହାଇକୋର୍ଟରେ ମାମଲା ପରେ ମାମଲା କରିଚାଲିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଆଇନ୍‍, ସାଧାରଣ ପ୍ରଶାସନ, ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜସ୍ୱ ବିଭାଗ ଆଦି ଏହି ବଞ୍ଚିତ ମେଧାବୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଅଦାଲତରେ ମାମଲା ଥିବା ବାହାନା ଦେଖାଇ ଓଡ଼ିଶା ଲୋକସେବା ଆୟୋଗ ସମୟ ଟାଳି ଚାଲିଛନ୍ତି ।

ଅନ୍ୟପକ୍ଷରେ ବହୁ ପୁରୁଣା ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ୨୦୧୯ ମସିହାରେ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲା ଶୁଣାରି ପାଇଁ କେତେବର୍ଷ ସମୟ ଲାଗି ତାହା କହିହେଉନାହିଁ । ସେହିଭଳି ପେନସନ୍‍ରୁ ବଞ୍ଚିତ ଅନ୍ୟ ଜଣେ ଆବେଦନକାରୀଙ୍କ ଦୁରବସ୍ଥା ନିଯୁକ୍ତି ପଦୋନ୍ନତି, ଗ୍ରେଡ୍‍ ପେ ଆଦି ସମସ୍ୟାରେ ଛନ୍ଦି ହୋଇ ସ୍ୟାଟ୍‍ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଅନେକ ଆବେଦନକାରୀ କହୁଛନ୍ତି ଯେ ଅଧିକ ବିଚାରପତି ନ ଥିବାରୁ ନୂଆ ମାମଲା ଶୁଣାଣି ହୋଇପାରୁନାହିଁ ।

ପୁରୁଣା ମାମଲାରେ ସ୍ୟାଟ୍‍ର ରହିତାଦେଶ ଉଠାଯାଇ ପାରୁନଥିବାରୁ ସରକାର ବି ଅନେକ କ୍ଷେତ୍ରରେ ଅପ୍ରସ୍ତୁତ ହେବା ସହ ନୂଆ ଅଦଲତ ଅବମାନନା ମାମଲା ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟରେ ଅନ୍ୟୁନ ୪ଟି ସର୍ଭିସ୍‍ ବେଞ୍ଚ ପ୍ରତିଷ୍ଠା କରିବା କିମ୍ବା ସେପର୍ଯ୍ୟନ୍ତ ସ୍ୟାଟ୍‍କୁ ପୁନଃ କାର୍ଯ୍ୟକ୍ଷମ କରିବା ଅଥବା ଏହି ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲାଗି ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଲାଗି ବରିଷ୍ଠ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)