ଭୁବନେଶ୍ୱର : ଟାଟା ପାୱାର ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରିପେଡ୍ ସ୍ମାର୍ଟ ମିଟର ସେବା ବିଜୁଳି ଗ୍ରାହକଙ୍କ ପାଇଁ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆରମ୍ଭ କରାଯାଇଛି । ଗ୍ରାହକମାନେ ଯେତିକି କମ୍ପ୍ୟୁଟର ଚିପ୍ ପକାଇବେ, ସେତିକି ଟଙ୍କାର ବିଜୁଳି ସେବା ପାଇପାରିବେ ବୋଲି କୁହାଯାଇଛି । ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ପୋଷ୍ଟପେଡ୍ ମିଟର ସେବା ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଏହି ପ୍ରିପେଡ୍ ସ୍ମାର୍ଟ ମିଟର ସେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିରୋଧ କରାଯାଇଛି । ତୁରନ୍ତ ଟାଟା ପାୱାର ଏହି ସେବାକୁ ପ୍ରତ୍ୟାହାର ନ କଲେ ରାଜ୍ୟର ୯୨ଲକ୍ଷ ଉପଭୋକ୍ତା ରାଜରାସ୍ତାକୁ ଆସି ପ୍ରତିବାଦ କରିବେ ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଟାଟା ପାୱାରକୁ ସତର୍କ କରାଇଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ବିଜୁଳି ସଂସ୍କାର ଆରମ୍ଭ ହେବାର ଦୀର୍ଘ ୨୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଗ୍ରାହକମାନଙ୍କୁ ସଠିକ୍ ବିଜୁଳି ସେବା ଯୋଗାଇ ଦିଆଯାଇପାରିନାହିଁ ।
ସଂସ୍କାର ସମୟରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ରାଜ୍ୟରେ ବିଜୁଳି ସେବା ଶସ୍ତା, ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ହେବ । କିନ୍ତୁ ଏସବୁ ପ୍ରତିଶ୍ରୁତି ଆଜି ପାଣିର ଗାର ହୋଇଛି । ଘଣ୍ଟା ଘଣ୍ଟା ଅହେତୁକ ପାୱାରକଟ୍ର ଦୁର୍ଦ୍ଦଶାରୁ ଗ୍ରାହକମାନେ ମୁକୁଳି ପାରିନାହାନ୍ତି । ଏହାସତ୍ୱେ ଜନମତକୁ ବେଖାତିର କରି ଓଇଆରସିକୁ ଢାଲ ବନାଇ ରାଜ୍ୟ ସରକାର ବିଜୁଳି ଗ୍ରାହକଙ୍କ ଉପରେ ଟାଟା ପାୱାରକୁ ଲଦି ଦେଇଛନ୍ତି ।
ଟାଟା ପାୱାର ମନଇଚ୍ଛା ବିଜୁଳି ବିଲ୍ ଦେବା, ଘଣ୍ଟା ଘଣ୍ଟା ବିଜୁଳିକାଟ କରିବା ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ପ୍ରତିବାଦ କଲେ ଶୁଣିବାକୁ କେହି ନାହିଁ । ପୁଣିଥରେ ସ୍ମାର୍ଟ ମିଟର ପ୍ରିପେଡ୍ ସେବା ନାଁରେ ଗ୍ରାହକଙ୍କୁ ଚକମା ଦେବାପାଇଁ ଟାଟା ପାୱାର ପକ୍ଷରୁ ଏହି ସେବା କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆରମ୍ଭ କରାଯାଇଛି ଓ ଏହାକୁ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଲାଗୁ କରାଯିବାର ଯୋଜନା ରହିଛି ।
ଏହି ପ୍ରପେଡେ୍ ସ୍ମାର୍ଟ ସେବା ଯୋଗୁଁ ଗ୍ରାହକମାନେ ଆହୁରି ଅଧିକ ଶୋଷଣର ସମ୍ମୁଖୀନ ହେବେ ବୋଲି ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ବିଜୁଳି ଭିତ୍ତିଭୂମିକୁ ସଜାଡ଼ିବା ପରିବର୍ତ୍ତେ ଟାଟା ପାୱାର ବିଭିନ୍ନ ଆଳ ଦେଖାଇ ଗ୍ରାହକଙ୍କୁ ଶୋଷଣ କରିବାର ଯେଉଁ ତରିକାକୁ ଆପଣେଇ ନେଇଛି, ତାହା ସଂପୂର୍ଣ୍ଣ ଜନବିରୋଧି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଟାଟା ପାୱାରକୁ ଏହି ସେବାରୁ କ୍ଷାନ୍ତ ହେବାରୁ ନିବୃତ୍ତ ହେବାକୁ ଦାବି କରାଯାଇଛି । ଏହା ବ୍ୟତୀତ ଗ୍ରାହକମାନଙ୍କୁ ଓଡ଼ିଆ ଭାଷାରେ ବିଜୁଳି ବିଲ୍ ଦେବାପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଅଘୋଷିତ ବିଜୁଳିକାଟ ବନ୍ଦ କରିବା, ବିଜୁଳି କମ୍ପାନୀମାନଙ୍କର ଲାଭ କ୍ଷତିର ହିସାବର ସିଏଜି ଅଡିଟ୍ କରିବା ଓ ରାଜ୍ୟ ସରକାର ବିଜୁଳି ସଂସ୍କାର ଉପରେ ଏକ ସ୍ୱତଃପତ୍ର ପ୍ରକାଶ କରି ବିଜୁଳି ବିଭାଗର ଭିତ୍ତିଭୂମି ବିକାଶରେ ବିଗତ ୧୦ ବର୍ଷ ଭିତରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି ।