ଭୁବନେଶ୍ୱର : ଅଣସଂରକ୍ଷିତ ସରକାରୀ ପଦ ପଦବୀରେ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଭିତ୍ତିରେ ସଂରକ୍ଷିତବର୍ଗର କର୍ମଚାରୀମାନଙ୍କୁ ପଦୋନ୍ନତି ଦିଆଯିବା ଘେନି ରାଜ୍ୟ ସରକାରଙ୍କ ସ୍ପଷ୍ଟ ନୀତି ନଥିବାରୁ ବିଭିନ୍ନ ପାହ୍ୟାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବହୁ କର୍ମଚାରୀ ପଦୋନ୍ନତି ପାଇପାରୁ ନାହାନ୍ତି । ଏମିତିକି ଯୋଗ୍ୟତା ପ୍ରଦର୍ଶନ କରିବା ସତ୍ୱେ ବି କେତେକ ସ୍ଥଳରେ ସଂରକ୍ଷିତବର୍ଗର ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ଆସନରେ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇ ପାରୁନାହିଁ । ଏଥିଘେନି ମାମଲା ସଂଖ୍ୟା ବଢି ଚାଲୁଥିବାବେଳେ ପଦବୀ ପୂରଣ ହେଉନଥିବାରୁ ସରକାରୀ କାମ ବ୍ୟାହତ ହେଉଛି ଏବଂ ବିନା ପଦୋନ୍ନତିରେ ଅନେକ କର୍ମଚାରୀ ଅବସର ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।
ଦୀର୍ଘବର୍ଷ ଧରି ପୂର୍ତ୍ତ ବିଭାଗରେ ପ୍ରାୟ ତିନିଶହ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡିଛି । ପ୍ରତ୍ୟକ୍ଷ ନିଯୁକ୍ତି କୋଟା ପରେ ଏଗୁଡିକ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବାକଥା । ଏଥିଲାଗି ସହକାରୀ ଯନ୍ତ୍ରୀ ପାହ୍ୟାର ଚୂଡାନ୍ତ ବରିଷ୍ଠତା ତାଲିକା ପ୍ରକାଶ ପରେ ଗତବର୍ଷ ସେପ୍ଟେମ୍ବର ମାସରେ ବିଭାଗୀୟ ପଦୋନ୍ନତି କମିଟି ବୈଠକ ବସାଯାଇ ଯୋଗ୍ୟ ପ୍ରାର୍ଥୀମାନଙ୍କ ନାମ ସୁପାରିଶ୍ କରାଯାଇଥିଲା । ତେବେ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସ୍ପଷ୍ଟନୀତି ନଥିବାରୁ ଏହି ଡିପିସିକୁ ଗତ ଚଳିତମାସରେ ବାତିଲ କରାଯାଇ ସାନି ଡିପିସି ବସାଇବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
‘ପୋଷ୍ଟ ବେସ୍ଡ ରୋଷ୍ଟର’ ବ୍ୟବସ୍ଥା ଏବଂ ଅଣସଂରକ୍ଷିତ ଆସନରେ ସଂରକ୍ଷିତବର୍ଗଙ୍କୁ ନିଯୁକ୍ତି ଓ ପଦୋନ୍ନତି ଦେବା ଘେନି ସରକାରୀକଳ ଦ୍ୱନ୍ଦରେ ରହୁଥିବାରୁ ଏଥିପାଇଁ ବାରମ୍ବାର ନିର୍ଦ୍ଦେଶନାମା ଜାରି ହେଉଛି ଏବଂ ସ୍ପଷ୍ଟିକରଣ ଆଳରେ ତାହାକୁ ପ୍ରତ୍ୟାହାର କରିନିଆଯାଉଛି । ଏମିତିକି ଯେକୌଣସି ପଦବୀ ପୂରଣ ପୂର୍ବରୁ ଏ ସଂକ୍ରାନ୍ତରେ ଆଇନ୍ ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମତାମତ ନେବାପାଇଁ କୁହାଯାଉଛି ।
ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାର ସ୍ଥାନ ସଂରକ୍ଷଣ ଆଇନ୍ର ସଂଶୋଧନ କରୁନଥିବାରୁ ପରସ୍ପର ବିରୋଧି ସରକାରୀ ସର୍କୁଲାର ଯୋଗୁଁ ସଂରକ୍ଷିତ ଓ ଅଣସଂରକ୍ଷିତବର୍ଗର କର୍ମଚାରୀଙ୍କ ମଧ୍ୟରେ ଆଇନ୍ଗତ ବିବାଦ ବଢି ଚାଲୁଛି । ଢେର ବରିଷ୍ଠ ହୋଇଥିଲେ ମଧ୍ୟ ସଂରକ୍ଷିତବର୍ଗର ହୋଇଥିବାରୁ ତାଙ୍କୁ ଅଣସଂରକ୍ଷିତ ଆସନରେ ପଦୋନ୍ନତିରୁ ବଞ୍ଚିତ କରାଯିବା ଘଟଣାରେ ଲଳିତ କୁମାର ନାୟକ ନାମକ କେନ୍ଦୁଝର ଜିଲ୍ଲାର ଜଣେ ସରକାରୀ କର୍ମଚାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ସୁପ୍ରିମ୍କୋର୍ଟଙ୍କ ବିଭିନ୍ନ ମାମଲାର ନଜିର, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଆଧାର କରି ହାଇକୋର୍ଟ ଏହି ମାମଲାରେ ଅଣସଂରକ୍ଷିତ ଆସନ କୌଣସି ବର୍ଗପାଇଁ ସଂରକ୍ଷିତ ନୁହେଁ ଏବଂ ଏସସି, ଏସଟି, ଏସ୍ଇବିସି ଆଦିର ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନ ପାଇଁ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ପଦୋନ୍ନତି ପାଇପାରିବେ ବୋଲି ହାଇକୋର୍ଟ ଏହି ମାମଲାରେ ସ୍ପଷ୍ଟକରିଦେବା ସହ ଏହାକୁ ଆଧାର କରି ଇତି ମଧ୍ୟରେ ଆଉ ଅନେକ ରାୟ ଦେଇସାରିଛନ୍ତି ।
ଏହା ସତ୍ୱେ ବି ଆଇନ୍ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଡିପିସି ହେବା ଓ ତାହା ବାତିଲ କରାଯିବା ଆଦି ଘଟଣା ଯୋଗୁଁ ପ୍ରାୟ ୩ଶହ ଯନ୍ତ୍ରୀ ପଦୋନ୍ନତ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏହି ଘଟଣା ଏବେ ପୁଣି ଆଇନ୍ ଅଦାଲତର ପରିସରକୁ ଆସିଥିବାବେଳେ ସରକାରୀ କର୍ତ୍ତୃପକ୍ଷ ଏହା ଉପରେ ବିଶେଷ ଗୁରୁତ୍ୱ ଦେଉନଥିବା ଘେନି ପଦୋନ୍ନତି ଆଶାୟୀ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତବର୍ଗର ବହୁ ଯନ୍ତ୍ରୀ କ୍ଷୋଭପ୍ରକାଶ କରୁଛନ୍ତି । (ତଥ୍ୟ)