Home General ସ୍କ୍ରାପିଂ ହେବ ପୁରୁଣା ଗାଡି

ସ୍କ୍ରାପିଂ ହେବ ପୁରୁଣା ଗାଡି

ଭୁବନେଶ୍ୱର : ପନ୍ଦର ବର୍ଷ ପୂରି ଯାଇଥିବା ସରକାରୀ ଯାନଗୁଡିକୁ ସରକାର ସ୍କ୍ରାପ୍‍ କରିବେ । ପରିବେଶ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏ ସଂକ୍ରାନ୍ତରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ପତ୍ର ଲେଖି ପଞ୍ଜିକରଣ ଠାରୁ ୧୫ ବର୍ଷ ଅବଧି ପୂରଣ କରିଥିବା ସରକାରୀ ଯାନଗୁଡିକୁ ସ୍କ୍ରାପ୍‍ ପାଇଁ ରେଜିଷ୍ଟ୍ରେଡ୍‍ ଭେଇକିଲ୍‍ ସ୍କ୍ରାପିଂ ଫାସିଲିଟି (ଆରଭିଏସଏଫ୍‍) ଜରିଆରେ ସ୍କ୍ରାପିଂ ପାଇଁ କହିଛନ୍ତି ।

କେନ୍ଦ୍ରୀୟ ମୋଟର ଯାନ ଆଇନ୍‍ରେ ହୋଇଥିବା ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର, ପୌରସଂସ୍ଥା, ସରକାରୀ ନିଗମ, ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଯାନ ଯାହାକି ପଞ୍ଜିକରଣର ୧୫ ବର୍ଷ ପୂରଣ କରିଥିବେ ସେଗୁଡିକ ଆଉ ଚଳାଚଳ କରିପାରିବେ ନାହିଁ । ସେହିଭଳି ଯଦି କୌଣସି ଗାଡି ୧୫ବର୍ଷ ପୂରଣ କରିବାପରେ ତାହାର ପଞ୍ଜିକରଣ ନବୀକରଣ ହୋଇଥିବ ସେହି ନବୀକରଣକୁ ବାତିଲ ବୋଲି ଧରି ନିଆଯିବ ବୋଲି ପ୍ରମୁଖ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ମର୍ମରେ ନିକଟରେ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଥିବା ସେ ଦର୍ଶାଇଛନ୍ତି ।

ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରିବାପାଇଁ ଓଡିଶା ମୋଟର ଯାନ ନୀତି ୨୦୨୨ କୁ ପରିବହନ ବିଭାଗ ବିଜ୍ଞପ୍ତି ଆକାରରେ ଜାରି କରିଛନ୍ତି । ଏହି ନୀତିରେ ଥିବା ନିୟମ ଅନୁଯାୟୀ ସମସ୍ତ ସରକାରୀ ବିଭାଗ, ପୌରସଂସ୍ଥା, ନିଗମ, ସରକାରଙ୍କ ଅଧିନରେ ଥିବା ସ୍ୱୟଂଶାସିତ ସଂସ୍ଥାର ଗାଡି ଯେଉଁଗୁଡିକ ୧୫ବର୍ଷ ପୂରଣ ହୋଇଥିବ ସେଗୁଡିକୁ ଆରଭିଏସ୍‍ଏଫ୍‍ ଜରିଆରେ ସ୍କ୍ରାପିଂ କରିବା ବାଧ୍ୟତାମୂଳକ ଅଟେ ।

ତଦନୁଯାୟୀ ଉପରୋକ୍ତ ଅବଧି ପୂରଣ କରିଥିବା ଯାନ ଯେଉଁଗୁଡିକ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ, କ୍ଷେତ୍ର ସ୍ତରୀୟ ଦପ୍ତର, ରାଷ୍ଟ୍ରାୟତ ସଂସ୍ଥା, ପୌରସଂସ୍ଥା ଆଦିରେ ରହିଛି ସେଗୁଡିକୁ ୨୦୨୩ ମାର୍ଚ୍ଚ ୩୧ ତାରିଖ କିମ୍ବା ଏହା ପୂର୍ବରୁ ସ୍କ୍ରାପିଂ କରିବାପାଇଁ ପ୍ରମୁଖ ସଚିବ ସମସ୍ତ ବିଭାଗମାନଙ୍କୁ କହିଛନ୍ତି । ଏହି ଗାଡିଗୁଡିକର ସ୍କ୍ରାପିଂ ପରେ ବିଭାଗ ଓ ଦପ୍ତରଗୁଡିକ ସମ୍ପୃକ୍ତ ଗାଡିର ପଞ୍ଜିକରଣ ବାତିଲ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅବଗତ କରିବେ ।

ସେହିଭଳି ମାର୍ଚ୍ଚ ୩୧ ତାରିକ ସୁଦ୍ଧା ସ୍କ୍ରାପିଂ ହେବାକୁ ଥିବା ଯାନଗୁଡିକର ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ଶ୍ରୀମତୀ ପାଢୀ କହିଛନ୍ତି । ପରିବହନ ବିଭାଗର ଯୁଗ୍ମ କମିଶନର ସଞ୍ଜୟ କୁମାର ବିଶ୍ୱାଳଙ୍କୁ ଏଥିପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଇତି ମଧ୍ୟରେ ପୁରୁଣା ଗାଡିର ସ୍କ୍ରାପିଂ ପାଇଁ ରାଜ୍ୟ ସରକାର କେତେକ ଘୋଷଣା କରିଛନ୍ତି । ଏଥି ମଧ୍ୟରେ ନିଜର ୧୫ବର୍ଷରୁ ଅଧିକ ପୁରୁଣା ଗାଡିକୁ ସ୍କ୍ରାପିଂ କରିବାକୁ ଚାହୁଁଥିବା ମାଲିକଙ୍କୁ ଉତ୍ସାହିତ ଲାଗି ଗୋଟିଏ ବର୍ଷର ଅଧିକ ବକେୟା ଟିକସ ଓ ଜୋରିମାନା ଛାଡ ବ୍ୟବସ୍ଥା କରିଛନ୍ତି । ବାୟୁ ପ୍ରଦୂଷଣକୁ ରୋକିବା ସହିତ ସଡକ ସୁରକ୍ଷା, ଇନ୍ଧନ ସଂରକ୍ଷଣ, ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ଆଦିକୁ ଦୃଷ୍ଟିରେ ରଖି ପୁରୁଣା ଗାଡିର ସ୍କ୍ରାପିଂ ଉପରେ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)