Home News in Odia ସ୍କୁଲ ବସ୍‍ ପଞ୍ଜିକରଣ ହେରଫେର୍‍ ଧରିଲେ ସିଏଜି

ସ୍କୁଲ ବସ୍‍ ପଞ୍ଜିକରଣ ହେରଫେର୍‍ ଧରିଲେ ସିଏଜି

ଭୁବନେଶ୍ୱର : ପଞ୍ଜିକରଣ ସମୟରେ ସ୍କୁଲ ବସ୍‍କୁ ଘରୋଇ ସେବା ଯାନ ଦର୍ଶାଇବାରୁ ରାଜକୋଷର ପ୍ରାୟ ଦେଢ କୋଟି ଟଙ୍କା କ୍ଷତି ହୋଇଛି । ରାଜ୍ୟର ୯ଟି ଆରଟିଓ ଦପ୍ତରରେ ଯାଞ୍ଚ ସମୟରେ ଏଭଳି ଅନିୟମିତତା ଧରିଛନ୍ତି ସିଏଜି ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ପରିବହନ ଯାନ ପାଇଁ ବିଭିନ୍ନ ବର୍ଗର ପରମିଟ୍‍ ପ୍ରଦାନ କରାଯାଇଥାଏ । ଏଥି ମଧ୍ୟରେ ସାମଗ୍ରୀ ପରିବହନ, ଠିକା ଯାନ, ଯାତ୍ରୀବାହୀ ଯାନ ପାଇଁ ସ୍ୱତନ୍ତ୍ର ପରମିଟ୍‍, ଘରୋଇ ସେବା ଯାନ, ଶିକ୍ଷାନୁଷ୍ଠାନ ବସ୍‍, ଜାତୀୟ ପରମିଟ୍‍ ଆଦି ରହିଛି । ଏହି ସମସ୍ତ ଅନୁମତି ବାହନ ପୋର୍ଟାଲ ଜରିଆରେ ଦିଆଯାଏ । ଓଡିଶା ମୋଟର କର ଅଧିନିୟମ ଅନୁଯାୟୀ ଯାନବାହାନ ଉପରେ ଟିକସ ପୈଠ କରିବାର ଖିଲାପ ପାଇଁ ୨ଶହ ପ୍ରତିଶତ ମଧ୍ୟ ଜୋରିମାନା ଆଦାୟ କରାଯାଇ ପାରିବ ।

ସିଏଜିଙ୍କ ପକ୍ଷରୁ ୯ଟି ଆରଟିଓରେ ୩୪୬୫ଟି ସ୍କୁଲ ବସ୍‍ ପରମିଟ୍‍ର ଯାଞ୍ଚ କରାଯାଇଥିଲା । ଏଥିରୁ ଦେଖାଗଲା ଯେ ସେହି ବସ୍‍ଗୁଡିକୁ ଶିକ୍ଷାନୁଷ୍ଠାନ ବସ୍‍ ହିସାବରେ ପରମିଟ୍‍ ନଦେଇ ଘରୋଇ ସେବା ଯାନ ହିସାବରେ ପରମିଟ୍‍ ଦିଆଯାଇଛି । ମୋଟ୍‍ ୨୧୦ଟି ଯାନ ଠାରୁ ଏଭଳି ଟିକସ ଆଦାୟ ହୋଇଥିବାବେଳେ ଏଥିରେ ପ୍ରଥମ ସ୍ଥାନରେ ଭୁବନେଶ୍ୱରର ଏକ ନମ୍ବର ପରିବହନ ଦପ୍ତର ରହିଛି । ଏଥିରେ ପ୍ରାୟ ଦେଢ କୋଟି ଟଙ୍କାର ଟିକସ ଏବଂ ଜୋରିମାନା କମ୍‍ ଆଦାୟ ହୋଇଥିଲା ।

ଏଥି ସହିତ ବାହନ ତଥ୍ୟରେ ଏହା ଲକ୍ଷ୍ୟ କରାଯାଇଥିଲା ଯେ ୧୯ଟି ମାମଲାରେ ଶିକ୍ଷାନୁଷ୍ଠାନ ବସ୍‍ ଭାବରେ ପଞ୍ଜିକୃତ ଯାନୁଡିକୁ ପ୍ରଦାନ କରାଯାଇଥିବାବେଳେ ସେଗୁଡିକ ଠିକା ଯାନ କିମ୍ବା ଘରୋଇ ସେବା ଯାନ ଭାବରେ ଦର୍ଶାଯାଇଛି । ୩୨ଟି ମାମଲାରେ ସେବା ପ୍ରକାରକୁ ବିଳାସପୂର୍ଣ୍ଣ, ଡିଲକ୍ସ କିମ୍ବା ଏକ୍ସପ୍ରେସ୍‍ ସେବା ଭାବରେ ଦର୍ଶାଯାଇଥିଲା ଯାହା ଆଦୌ ଠିକ୍‍ ନଥିଲା । କାରଣ ଏହି ପ୍ରକାରର ଅନୁମତି ଶିକ୍ଷାନୁଷ୍ଠାନ ବସ୍‍ ପାଇଁ ପ୍ରଯୁଜ୍ୟ ନଥିଲା । ବାହାନରେ ଇନ୍‍ପୁଟ୍‍ ବୈଧତାର ଅଭାବ ଯୋଗୁଁ ଭୁଲ୍‍ ବର୍ଗରେ ଅନୁମତି ପ୍ରଦାନ କରାଯାଇଥିଲା ଏବଂ ଅଯୋଗ୍ୟ ସେବାଗୁଡିକୁ ଅନୁମୋଦନ କରାଯାଇଥିଲା । ଫଳସ୍ୱରୂପ ଟିକସ ଆଦାୟ ଉପରେ ଏହାର କୁପ୍ରଭାବ ପଡିଥିଲା ।

ତେବେ ସରକାର କହିଥିଲେ ଯେ ବାହନରେ ଯାନବାହାନ ଶ୍ରେଣୀର ଭୁଲ୍‍ ଏଣ୍ଟ୍ରି ଯୋଗୁଁ ଭୁଲ୍‍ ପରମିଟ୍‍ ପ୍ରଦାନ କରାଯାଇଥିଲା । ସମସ୍ତ ଆରଟିଓଗୁଡିକୁ ବର୍ଗୀକରଣ ସଂଶୋଧନ କରିବାକୁ ଏବଂ ଡିମାଣ୍ଡ ନୋଟିସ୍‍ ଜାରିପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତା’ ପରେ ଜୋରିମାନା ସହିତ ଟିକସ ଆଦାୟ ପାଇଁ ମାମଲା ରୁଜୁପାଇଁ କୁହାଯାଇଛି ।

ସିଏଜି ଯେଉଁସବୁ ଆରଟିଓରେ ଯାଞ୍ଚ କରିଥିଲେ ସେଗୁଡିକ ମଧ୍ୟରେ ଭୁବନେଶ୍ୱର-୧, ଏଆରଟିଓ ଖୋର୍ଦ୍ଧା, ଭୁବନେଶ୍ୱର-୨, ଆରଟିଓ କଟକ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ଏଆରଟିଓ ବଡବିଲ୍‍, ଆରଟିଓ ମୟୁରଭଞ୍ଜ, ଏଆରଟିଓ ରାଇରଙ୍ଗପୁର, ଆରଟିଓ ରାଉରକେଲା ଏବଂ ଆରଟିଓ ତାଳଚେର ସାମିଲ ଥିଲା । ଯେଉଁ ୨୧୦ଟି ସ୍କୁଲ ବସ୍‍କୁ ଅନ୍ୟଯାନ ବର୍ଗରେ ଦର୍ଶାଯାଇଥିଲା ସେଥି ମଧ୍ୟରେ ଗଞ୍ଜାମ ଆରଟିଓରେ ସର୍ବାଧିକ ୧୧୯ଟି ଥିବାବେଳେ ଭୁବନେଶ୍ୱର-୧ ଆରଟିଓ ଏବଂ ତାଳଚେର ଆରଟିଓର ୨୮ଟି କରି ରହିଥିଲା । (ତଥ୍ୟ)