Home General ସ୍କୁଟର ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ ଋଣ ଦିଅ

ସ୍କୁଟର ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ ଋଣ ଦିଅ

ଭୁବନେଶ୍ୱର : ନୂତନ ଭାବେ ଆରମ୍ଭ ହୋଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଓ ମୋ ଘର ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଣ ପାଇଁ ସମସ୍ତ ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ ରାଜ୍ୟ ସରକାର କହିଛନ୍ତି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଏସ୍‍ଏଲବିସି ଅଧ୍ୟକ୍ଷ ଅଶ୍ୱିନୀ କୁମାର ଗତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏହା କହିଥିବା ଜଣାଯାଇଛି ।

ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିଥିବା ୪୦ ହଜାର ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ ପାଇଁ ଉନ୍ନୟନ କମିଶନର କହିଛନ୍ତି । ଏଥି ସହିତ ମୋ ଘର ଯାଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ପକ୍କାଘର ନିର୍ମାଣ ଓ ମରାମତି ପାଇଁ ଆବଶ୍ୟକ ପରିମାଣର ଋଣ ଯୋଗାଣ ପାଇଁ ମଧ୍ୟ କହିଛନ୍ତି । ଉନ୍ନୟନ କମିଶନର ମଧ୍ୟ ଏମଏସ୍‍ଏମ୍‍ଗୁଡିକୁ ସୁଧ ଭରଣା ପାଇଁ ସମସ୍ତ ଅଂଶଗ୍ରହଣକାରୀମାନେ ଦୃଷ୍ଟିଦେବାକୁ କହିଛନ୍ତି । ଏମଏସ୍‍ଏସ୍‍ଇକୁ ଦିଆଯାଉଥିବା ଋଣ ପରିମାଣର ବଢୁନଥିବା ମଧ୍ୟ ସେ ବୈଠକରେ ଉଲ୍ଲେଖ କରିଥିଲେ ।

ଏଥି ସହିତ ବ୍ୟାଙ୍କଶାଖା ନଥିବା ଅଞ୍ଚଳରେ ବ୍ୟାଙ୍କ୍‍ସେବା ଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଉନ୍ନୟନ କମିଶନର କହିଥିଲେ । ରାଜ୍ୟ ସରକାର ଆଣିଥିବା ସିଏସପି ପ୍ଲସ ଯୋଜନାରେ ବ୍ୟାଙ୍କ୍‍ମାନେ ସହଯୋଗର ହାତ ବଢାଇବା ସହିତ ଅନ୍ୟ ରାଜ୍ୟପାଇଁ ଉଦାହରଣ ସାଜିବାକୁ କହିଛନ୍ତି ।

ଅନୁରୂପ ଭାବେ ଏସଏଲବିସି ଅଧ୍ୟକ୍ଷ ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକାରୀ ପାଇଁ ମିଶନ ଶକ୍ତି ବିଭାଗକୁ ପ୍ରଶଂସା କରିଥିଲେ, ଯାହାକି ମହିଳାମାନଙ୍କୁ ସଶକ୍ତ କରିବା ସହିତ ବ୍ୟାଙ୍କଗୁଡି କାରବାର ବୃଦ୍ଧିରେ ସହାୟକ ହେବ । ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରି ରାଜ୍ୟର ଗ୍ରାମାଞ୍ଚଳର ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବାପାଇଁ ସେ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିବା ସହିତ ଏହି ଯୋଜନା ଜରିଆରେ ରାଜ୍ୟର ୨ଲକ୍ଷ ମିଶନ ଶକ୍ତି ମହାସଂଘର ମୁଖ୍ୟ ଏବଂ ଗୋଷ୍ଠି କର୍ମଚାରୀ ସହାୟତା ପାଇପାରିବେ ବୋଲି କହିଥିଲେ । ଏହି ଯୋଜନାରେ ଏସଏଚ୍‍ଜି ସଦସ୍ୟମାନେ ସ୍କୁଟର ଖରିଦ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିବା ଋଣ ଉପରେ ସମସ୍ତ ସୁଧ ରାଜ୍ୟ ସରକାର ପରିଶୋଧ କରିବେ । ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ସୁଧ ବାବଦରେ ୫୨୮ କୋଟି ଟଙ୍କା ଯୋଗାଇଦେବେ ।

ସେହିଭଳି ଚଳିତ ବର୍ଷ ମଇ ୨୯ ତାରିଖରେ ରାଜ୍ୟ ସରକାର ମୋ ଘର ଯୋଜନା ଘୋଷଣା କରିବା ସହିତ ଘର ମରାମତି କରିପାରୁନଥିବା ଲୋକଙ୍କୁ ଋଣ ବାବଦରେ ସହାୟତା ପ୍ରଦାନ ପାଇଁ କହିଥିଲେ । ଏହି ଯୋଜନାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ହିତାଧିକାରୀ ଏହାକୁ ୧୦ବର୍ଷ ମଧ୍ୟରେ ସ୍ୱଳ୍ପ କିସ୍ତିରେ ପରିଶୋଧ କରିବେ । ଋଣ ନେବାର ପ୍ରଥମ ବର୍ଷ କିସ୍ତି ଦେବାକୁ ପଡିବ ନାହିଁ । ଏହି ଯୋଜନାରେ ଋଣ ପରିମାଣ ଏକ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ଲକ୍ଷ ଟଙ୍କା ରହିଛି ।

ଯେଉଁମାନଙ୍କ ମାସିକ ରୋଜଗାର ୨୫ହଜାର ଟଙ୍କାରୁ କମ୍‍ ଥିବା ସେମାନେ ଘର ସହାୟତା ବାବଦରେ ୭୦ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ । ୩ଲକ୍ଷ ଟଙ୍କାର ଋଣ ଉପରେ ରାଜ୍ୟ ସରକାର ସର୍ବାଧିକ ୬୦ହଜାର ଟଙ୍କାର ସବସିଡ୍‍ ପ୍ରଦାନ କରିବେ ଏବଂ ସମ୍ବେଦନଶୀଳ ବର୍ଗ ପାଇଁ ସବସିଡ୍‍ ପରିମାଣ ୭୦ହଜାର ଟଙ୍କା ରହିଛି । (ତଥ୍ୟ)