Home Judiciary ବିଚାର ପ୍ରତୀକ୍ଷାରେ ୨୦ଲକ୍ଷ ମାମଲା

ବିଚାର ପ୍ରତୀକ୍ଷାରେ ୨୦ଲକ୍ଷ ମାମଲା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତରେ ଏବେ ୧୩ଲକ୍ଷରୁ ଅଧିକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଥିବା ଜାତୀୟ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ କହୁଥିବାବେଳେ ସରକାରଙ୍କ ହିସାବ ମୁତବାକ ଏହି ସଂଖ୍ୟା ପ୍ରାୟ ୧୫ଲକ୍ଷ । ମୋଟାମୋଟି ଭାବେ ଆମ ରାଜ୍ୟରେ ପାଖାପାଖି ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବା ସରକାରୀ ହିସାବରୁ ଜଣାପଡୁଥିବାବେଳେ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଏହି ସଂଖ୍ୟା ୧୬ଲକ୍ଷରୁ ଅଧିକ ।

ସେହିଭଳି ସାରା ଦେଶରେ ଆଇନ ଅଦାଲତ ଗୁଡିକରେ ୫କୋଟିରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା କଥା ସଂସଦରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡିଥିବାବେଳେ ଜାତୀୟ ଜୁଡିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଏହି ସଂଖ୍ୟା ୪ କୋଟି ୪୫ଲକ୍ଷରୁ ଅଧିକ । ଡାଟା ଗ୍ରୀଡ୍‍ର ହିସାବ ମୁତାବକ ଆମ ଦେଶରେ ୩କୋଟି ୩୪ଲକ୍ଷରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ପାଖାପାଖି ୬୬ହଜାର ଅପରାଧିକ ମାମଲା ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ଓଡ଼ିଶାରେ ବି ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଥିବା ଅପରାଧିକ ମାମଲା ସଂଖ୍ୟା ଅଢେଇ ହଜାରରୁ ଅଧିକ ।

୨୦୨୩ ଅକ୍ଟୋବର ୨୧ରେ ଜାତୀୟ ଡାଟା ଗ୍ରୀଡ୍‍ରୁ ସଂଗ୍ରହ କରାଯାଇଥିବା ତଥ୍ୟ ମୁତାବକ ଓଡ଼ିଶାର ନ୍ୟାୟାଳୟମାନଙ୍କରେ ନ୍ୟାୟ ପ୍ରତୀକ୍ଷାରେ ଥିବା ୧୬ଲକ୍ଷରୁ ଅଧିକ ମାମଲା ଭିତରୁ ୨,୯୫, ୭୫୧ଟି ଦେୱାନୀ ମାମଲା ଥିବାବେଳେ ୧୩,୦୪, ୮୨୯ଟି ହେଉଛି ଫୌଜଦାରୀ ମାମଲା । ମୋଟ ମାମଲା ଗୁଡିକ ଭିତରୁ ୩, ୫୬, ୮୧୬ଟି ୫ରୁ ୧୦ବର୍ଷର ପୁରୁଣା ଥିବାବେଳେ ୧୦ରୁ ୨୦ବର୍ଷର ପୁରୁଣା ମାମଲା ସଂଖ୍ୟା ହେଉଛି ୧, ୯୧, ୧୭୧ । ଏହାଛଡ଼ା ୨୦ରୁ ୩୦ବର୍ଷ ଧରି ବିଚାର ପ୍ରତୀକ୍ଷାରେ ଓଡ଼ିଶାରେ ୩୨, ୯୦୯ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ମୋଟାମୋଟି ଭାବେ ଓଡ଼ିଶାରେ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ପ୍ରାୟ ୩୭ ପ୍ରତିଶତ ।

ରାଜ୍ୟରେ ଯେତେ ମାମଲା ପଡି ରହିଛି ସେଥି ମଧ୍ୟରୁ ୧୦ଲକ୍ଷରୁ ଅଧିକ ବିଳମ୍ବିତ କାରଣ ଯୋଗୁ ଘୁଷୁଡୁ ଥିବାବେଳେ ମହିଳାମାନେ ରୁଜୁ କରିଥିବା ୭୮, ୧୦୮ ଓ ବରିଷ୍ଠ ନାଗରିକମାନେ ଦାୟର କରିଥିବା ୯୫, ୭୧୫ଟି ମାମଲା ଫଇସଲା ନହୋଇ ବିଚାର ପ୍ରତୀକ୍ଷାରେ ରହିଛି ।

ସାରା ଦେଶରେ ବିଳମ୍ବିତ କାରଣ ଯୋଗୁ ୨କୋଟିରୁ ଅଧିକ ମାମଲା ପଡିରହିଥିବା ଜାତୀୟ ଡାଟା ଗ୍ରୀଡ୍‍ର ତଥ୍ୟ କହୁଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ରୁଜୁ ହୋଇଥିବା ୨୮, ୧୩, ୯୭୭ ଓ ମହିଳାମାନେ ଦାୟର କରିଥିବା ୩୬, ୫୬, ୭୬୫ଟି ମାମଲା ସାରା ଦେଶରେ ବର୍ଷ ବର୍ଷ ଧରି ଗଡୁଛି । ଭାରତର ବିଭିନ୍ନ ନ୍ୟାୟାଳୟରେ ଯେତେ ମାମଲା ରହିଛି ସେଥିରୁ ୫ବର୍ଷରୁ ପୁରୁଣା ମାମଲାର ହାର ହେଉଛି ପ୍ରାୟ ୨୫ ପ୍ରତିଶତ ।

ଏହି ତଥ୍ୟ ମୁତାବକ ସୁପ୍ରିମ୍‍କୋର୍ଟରେ ଏବେ ୭୮, ୯୭୫ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୭, ୦୪୧ । ଏହି ତଥ୍ୟ ମୁତାବକ ଏବେ ଓଡ଼ିଶା ହାଇକୋର୍ଟରେ ୧, ୪୫, ୭୪୨ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସେଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା ହେଉଛି ୩୭, ୬୧୨ । ମହିଳାମାନେ ରୁଜୁ କରିଥିବା ୧୨, ୭୮୬ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ରୁଜୁ ହୋଇଥିବା ୧୮, ୭୬୫ଟି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାର ପାଇଁ ରହିଛି । ଡାଟାଗ୍ରୀଡ୍‍ର ତଥ୍ୟ ମୁତବାକ ଓଡ଼ିଶା ହାଇକୋର୍ଟରେ ଯେତେ ମାମଲା ରହିଛି ସେଥିମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ହେଉଛି ୫ବର୍ଷରୁ ଅଧିକ ପୁରୁଣା । ଏହି ପୁରୁଣା ମାମଲା ମଧ୍ୟରୁ ୬୮୨ଟି ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୪୬୦୬ଟି ୨୦ରୁ ୩୦ବର୍ଷ ଧରି, ୨୪, ୩୮୦ଟି ୧୦ରୁ ୨୦ବର୍ଷ ଧରି ଏବଂ ୩୩, ୫୮୬ଟି ୫ରୁ ୧୦ବର୍ଷ ଧରି ଫଇସଲା ପାଇଁ ରହିଛି ।(ତଥ୍ୟ)