ଭୁବନେଶ୍ୱର : ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାର୍ଟସିଟିରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମ ବସ୍ତୁତଃ ଲୋକଙ୍କ ସ୍ମାର୍ଟ ବିନାଶର କାରଣ ହେବବୋଲି ପରିବେଶବିତ୍ମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ବିଶେଷକରି ରାଜଧାନୀର ରାସ୍ତାକଡକୁ ମାଟିଶୂନ୍ୟ କରି ସେଠାରେ କଂକ୍ରିଟ ଓ ଟାଇଲ୍ ବିଛାଇବା ଫଳରେ ଭୂତଳ ଜଳସମ୍ପଦ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପଡୁଛି । ବର୍ଷାଦିନେ ରାସ୍ତାରୁ କଡକୁ ପାଣି ବୋହିଯାଇ ଦୁବ ଠାରୁ ଦାରୁ ପର୍ଯ୍ୟନ୍ତ ଛୋଟ ବଡ ଗଛର ଚେର ବାଟେ ମାଟିତଳକୁ ଯାଇ ଭୂତଳ ଜଳ ସଂରକ୍ଷଣ କ୍ଷମତା ବଢାଇଥାଏ ।
କିନ୍ତୁ ଏବେ କିଛିବର୍ଷ ଧରି ପିଚୁ ଓ କଂକ୍ରିଟ ରାସ୍ତାକଡରେ ଆଉ ଇଞ୍ଚେ ବି ମାଟି ଜାଗା ଛଡାଯାଉନାହିଁ । ଏଠାରୁ ମାଟି ଉଠାଇ କଂକ୍ରିଟ କିମ୍ବା ଟାଇଲ୍ ବିଛାଯାଉଛି । ଫଳରେ ଜଳ ସଂରକ୍ଷଣ ପାଇଁ ଯେତେ ପ୍ରଚାର କରାଗଲେ ବି ବସ୍ତୁତଃ ଭୂତଳ ଜଳସ୍ତର ଦ୍ରୁତ ହ୍ରାସ ପାଇବାରେ ଲାଗିଛି ।
କେବଳ ସେତିକି ନୁହେଁ ଆଗେ ରାସ୍ତାକଡରେ ଜଳ ନିଷ୍କାସନ ପାଇଁ ଯେତେସବୁ ଡ୍ରେନ ଥିଲା ସେଗୁଡିକରୁ ବି ଭୂତଳ ଜଳସମ୍ପଦକୁ ଫାଇଦା ମିଳୁଥିଲା । ଏବେ କିନ୍ତୁ ଗଭୀର ଡ୍ରେନଗୁଡିକ ସମ୍ପୂର୍ଣ୍ଣ କଂକ୍ରିଟରେ ନିର୍ମିତ ହେଉଥିବାରୁ ଡ୍ରେନରେ ବୋହି ଯାଉଥିବା ପାଣିରୁ ଟୋପାଏ ବି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେଉନାହିଁ ।
ଅନେକ ସ୍ଥାନରେ ଡ୍ରେନେଜ ସହ ସ୍ୱରେଜର ବର୍ଜ୍ୟବସ୍ତୁ ମିଶି ଆଖପାଖର ନଦୀନାଳକୁ ପ୍ରଦୂଷିତ କରୁଛି । ଏହି ପ୍ରଦୂଷଣ ଯୋଗୁଁ ଭୂତଳ ଜଳସମ୍ପଦ ବି ବ୍ୟାପକ ଭାବେ ବିଷାକ୍ତ ହେଉଛି । ଏମିତିକି ରାଜଧାନୀ ଉପକଣ୍ଠରେ ଥିବା ଗଙ୍ଗୁଆ, ଦୟା, କୁଆଖାଇ ଆଦିର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି ବାରମ୍ବାର ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । ଅଥଚ ଏହି ଜଳସମ୍ପଦ କାହିଁକି ନଷ୍ଟ ହେଉଛି ଓ ତାହାର ପ୍ରତିକାର ବ୍ୟବସ୍ଥା କ’ଣ ସେ ସଂକ୍ରାନ୍ତରେ କେବଳ ସ୍ମାର୍ଟଚିତ୍ର ଦେଖାଯାଉଛି ।
ମୂଳ ରାଜଧାନୀ ଯୋଜନା ଯେତିକି ଲୋକଙ୍କ ପାଇଁ ଥିଲା ଏବେ ତାହା ବହୁଗୁଣିତ ହୋଇଯାଇଛି । ଫଳରେ ମୂଳ ଯୋଜନାରେ ଯେଉଁ କେତୋଟି ଜଳ ଉତ୍ସ ଥିଲା ସେଗୁଡିକ ଏବେ ପ୍ରାୟ ସତ୍ତା ହରାଇଲେଣି । ଏହାଛଡା ୨୦/୩୦ବର୍ଷ ତଳେ ଏଠି ଯେତେସବୁ ଝରଣା ପ୍ରବାହିତ ହେଉଥିଲା ସେଗୁଡିକ ଏବେ ପ୍ରାୟ ମୃତବତ୍ । ଏହା ଫଳରେ ଭୂତଳ ଜଳସମ୍ପଦର ଅଭିବୃଦ୍ଧିରେ ଏକ ପ୍ରକାର ସରକାରୀ ରୋକ୍ ଲାଗିଛି ।
ବିକାଶ ନାମରେ ରାଜଧାନୀ ଉପକଣ୍ଠରେ ଥିବା ବ୍ୟାପକ ଚାଷଜମିରେ ଘର ତିଆରି ହେଉଛି । ଏମିତିକି ଏଥିଲାଗି କେବଳ ରାସ୍ତାକଡର ଗଛ ନୁହେଁ, ରାଜଧାନୀ ଉପକଣ୍ଠରେ ଥିବା ବହୁ ଜଙ୍ଗଲ ଓ ଛୋଟ ବଡ ପାହାଡ ମଧ୍ୟ ବଳି ପଡୁଛନ୍ତି । ଏହା ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ଗୋଟିଏ ପଟେ ନଦୀଜଳ ଅତି ମାତ୍ରାରେ ପ୍ରଦୂଷିତ ହୋଇଥିବାବେଳେ ଅନ୍ୟ ପଟେ ରାଜଧାନୀବାସୀଙ୍କୁ ବଞ୍ଚାଇବାପାଇଁ ଏବେ ମହାନଦୀରୁ ଜଳ ଅଣାଯାଉଛି ।
କିନ୍ତୁ ମହାନଦୀ ଯେଭଳି ଭାବେ ପ୍ରଦୂଷିତ ହୋଇ ଚାଲିଛି ଓ ହୀରାକୁଦର ଉପରମୁଣ୍ଡରେ ଛତିଶଗଡର ବ୍ୟାପକ ବନ୍ଧନିର୍ମାଣ ଯୋଗୁଁ ଏହାର ଜଳ ରାଶି ଯେମିତି ସଙ୍କୁଚିତ ହୋଇପଡୁଛି ତାହା ଆଉ କିଛିବର୍ଷ ମଧ୍ୟରେ ଭୟଙ୍କର ବିପଦ ସୃଷ୍ଟି କରିପାରେ । ଜଳସଙ୍କଟରୁ ମୁକ୍ତିପାଇଁ ରାଜଧାନୀ ଅନେକ ଲୋକ ଗଭୀର ନଳକୂପ ଖନନ କରି ୨୦୦/୩୦୦ ଫୁଟ ତଳୁ ପାଣି ଉଠାଉଛନ୍ତି । ତେବେ ଜଳସ୍ତର ଦ୍ରୁତ ଗତିରେ ତଳକୁ ଖସୁଥିବାରୁ କିଛିବର୍ଷ ମଧ୍ୟରେ ଅଧିକାଂଶ ବୋରିଂ ପଏଣ୍ଟ ଅଚଳ ହେବାର ଆଶଙ୍କା ରହିଛି । (ତଥ୍ୟ)