Home Finance ଓଡିଶାରେ ରେକର୍ଡ ଜିଏସ୍‍ଟି ଆଦାୟ

ଓଡିଶାରେ ରେକର୍ଡ ଜିଏସ୍‍ଟି ଆଦାୟ

ଭୁବନେଶ୍ୱର : ମାର୍ଚ୍ଚ ମାସରେ ଓଡିଶାରେ ରେକର୍ଡ ପରିମାଣ ୩୨୮୫କୋଟି ୨୯ଲକ୍ଷ ଟଙ୍କାର ଜିଏସ୍‍ଟି ଆଦାୟ ହୋଇଛି । ଗତବର୍ଷ ମାର୍ଚ୍ଚମାସରେ ଆଦାୟ ହୋଇଥିବା ଜିଏସ୍‍ଟି ତୁଳନାରେ ଏହା ୨୫ପ୍ରତିଶତ ଅଧିକ ରହିଛି ।

ଜିଏସ୍‍ଟି ଆଦାୟ କ୍ଷେତ୍ରରେ ଓଡିଶା ଅନ୍ୟ ପଡୋଶୀ ରାଜ୍ୟ ତୁନଳାରେ ଆଗରେ ରହିଛି । ଗତବର୍ଷ ତୁଳନାରେ ଓଡିଶାରେ ଜିଏସ୍‍ଟି ଆଦାୟ ୨୫ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୫ପ୍ରତିଶତ, ବିହାରରେ ୧୩ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ଏହା ୧୮ପ୍ରତିଶତ ବଢିଛି ।

ମାର୍ଚ୍ଚ, ୨୦୨୧ ରେ ମୋଟ୍‍ ଜିଏସ୍‍ଟି ଆଦାୟ ରେକର୍ଡ ପରିମାଣ ୧,୨୩,୯୦୨ କୋଟି ଟଙ୍କା ହୋଇଥିବାବେଳେ ସିଜିଏସ୍‍ଟି ପରିମାଣ ୨୨,୯୭୩କୋଟି ଟଙ୍କା, ଏସ୍‍ଜିଏସ୍‍ଟି ୨୯,୩୨୯ ଏବଂ ଆଇଜିଏସ୍‍ଟି ୬୨,୮୪୨କୋଟି ଟଙ୍କା ରହିଛି । ଏଥି ମଧ୍ୟରେ ଆମଦାନୀ ହୋଇଥିବା ସାମଗ୍ରୀରୁ ୩୧,୦୯୭କୋଟି ଟଙ୍କା ଓ ସେସ୍‍ ବାବଦରେ ୮୭୫୭ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ସିଜିଏସ୍‍ଟି ବାବଦରେ ୨୧,୮୭୯ କୋଟି ଏବଂ ଏସ୍‍ଜିଏସ୍‍ଟି ଆକାରରେ ୧୭,୨୩୦କୋଟି ଟଙ୍କା ଆଇଜିଏସ୍‍ଟିରୁ ନିୟମିତ ଆକାରରେ ପ୍ରଦାନ କରିଛନ୍ତି ।

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୫୦:୫୦ ହାରରେ କେନ୍ଦ୍ର ସରକାର ଆଇଜିଏସ୍‍ଟିରୁ ୨୮ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟମାନଙ୍କ ଠାରୁ ମାର୍ଚ୍ଚ ମାସରେ ସିଜିଏସ୍‍ଟି ବାବଦରେ ୫୮,୫୮୨କୋଟି ଟଙ୍କା ଏବଂ ଏସ୍‍ଜିଏସ୍‍ଟି ବାବଦରେ ୬୦,୫୫୯ କୋଟି ଟଙ୍କା ଆଦାୟ କରାଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୩୦ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଜିଏସ୍‍ଟି କାର୍ଯ୍ୟକାରୀ ହେବା ପରଠାରୁ ଚଳିତବର୍ଷ ମାର୍ଚ୍ଚ ମାସରେ ସର୍ବାଧିକ ପରିମାଣ ଜିଏସ୍‍ଟି ଟିକସ ସଂଗ୍ରହ ହୋଇଛି । ଗତ ପାଞ୍ଚ ମାସର ଜିଏସ୍‍ଟି ଆଦାୟକୁ ହିସାବକୁ ନେଲେ ଗତବର୍ଷର ଏହି ସମୟ ତୁଳନାରେ ଏହା ୨୭ ପ୍ରତିଶତ ଅଧିକ ରହିଛି । ମାର୍ଚ୍ଚ ମାସରେ ଆମଦାନୀ ସାମଗ୍ରୀରୁ ଜିଏସ୍‍ଟି ଆଦାୟ ୭୦ ପ୍ରତିଶତ ବଢିଥିବାବେଳେ ଘରୋଇ କାରବାର ସମେତ ଆମଦାନୀ ଓ ସେବା କ୍ଷେତ୍ରରୁ ଗତବର୍ଷ ତୁଳନାରେ ୧୭ ପ୍ରତିଶତରୁ ଅଧିକ ଟିକସ ଆଦାୟ ହୋଇଛି ।

ଗତ ଆର୍ଥିକ ବର୍ଷର ୪ଟି ତ୍ରୌମାସିକରେ ଜିଏସ୍‍ଟି ଆଦାୟ ଧାରା ଗତବର୍ଷର ଏହି ସମୟ ତୁଳନାରେ ଯଥାକ୍ରମେ -୪୦ ପ୍ରତିଶତ, -୮ ପ୍ରତିଶତ, ୮ ପ୍ରତିଶତ ଓ ୧୪ ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଜିଏସ୍‍ଟି ଆଦାୟ ଓ ଅର୍ଥନୀତି ବ୍ୟବସ୍ଥାରେ ସୁଧାର ଆସିଛି । ବିଗତ ୬ମାସରେ ଜିଏସ୍‍ଟି ରାଜସ୍ୱ ଏକ ଲକ୍ଷ କୋଟି ଟପିଥିବାବେଳେ ମହାମାରୀ ସମୟରେ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧିକୁ ଏହା ସୂଚାଉଛି । ଜାଲ୍‍ ବିଲ୍‍ ଉପରେ କଡା ନଜର ରଖିବା, ଜିଏସ୍‍ଟି ସମେତ ଆୟକର, କଷ୍ଟମ ଆଇଟି ବ୍ୟବସ୍ଥା ଆଦିର ଡାଟା ଅନୁଶୀଳନ ସହିତ ପ୍ରଭାବଶାଳୀ ଟିକସ ପ୍ରଶାସନ ଯୋଗୁଁ ଗତ କିଛି ମାସରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । (ତଥ୍ୟ)