ଭୁବନେଶ୍ୱର : ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପି ଆକ୍ରୋଶର ଶିକାର ହେବାକୁ ପଡୁଛି । ଯାହାକୁ ନେଇ ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେଲିନ ମହାନ୍ତି ବିଜେପି ସରକାରର ଏହି ହୀନ କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଦ୍ୱାରା ସମାଲୋଚିତ ହେଉଛି ବିଜେପି ସରକାର । ସୋସିଆଲ ମିଡିଆରେ ଯିଏ ବିଜେପି ସରକାରକୁ ସମର୍ଥନ କରୁଛି, ତାଙ୍କ ପାଇଁ ଅନ୍ୟ ଆଇନ ବ୍ୟବସ୍ଥା ରହୁଛି । ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ବିରୁଦ୍ଧରେ ମତପ୍ରକାଶ କରୁଛନ୍ତି, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ସେମାନଙ୍କୁ ଗିରଫ କରିବା ସହ ଥାନାକୁ ଡାକି ଭୟଭୀତ କରାଯାଉଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଛି । କିଛି ଲେଖିଲେ ବ୍ୟକ୍ତିବିଶେଷଙ୍କ ସୋସିଆଲ ମିଡିଆ ଆଇଡି ବନ୍ଦ କରିଦିଆଯାଉଛି ।
ସରକାର ଜନତାଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ସୋସିଆଲ ମିଡିଆରେ ବିଜେପି ସରକାର ବିରୁଦ୍ଧରେ ଲେଖିବାରୁ ତାଙ୍କ ଆଇଡିକୁ ବନ୍ଦ କରିଦିଆଯାଇଛି । ସୋସିଆଲ ମିଡ଼ିଆରେ ବିଜେଡ଼ିର ପ୍ରଚାର ପ୍ରସାର କରୁଥିବା ଆଇଡିକୁ ମଧ୍ୟ ବିଜେପି ସରକାର ଜାଣିଶୁଣି ବନ୍ଦ କରିଦେଉଛି । ବିଜେପି ଆଇଟି ସେଲ୍ ପକ୍ଷରୁ ଅନେକ ବ୍ୟକ୍ତି ବିଶେଷଙ୍କ ଚରିତ୍ର ସଂହାର କରାଯାଉଛି । କିନ୍ତୁ ସରକାର ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।
ଇପ୍ସୀତା ସାହୁଙ୍କ ନାମରେ ସୋସିଆଲ ମିଡିଆରେ ଯେଉଁପରି ଭାବେ କଦର୍ଯ୍ୟ ବ୍ୟବହାର କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ସରକାରଙ୍କ ଅପାରଗତା ପାଇଁ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହେଲା । ସେହି ତ୍ରୁଟିକୁ ନେଇ ସରକାର ବିରୁଦ୍ଧରେ ସୋସିଆଲ ମିଡିଆରେ ଯିଏ ଟୀକାଟିପ୍ପଣୀ ଦେଉଛି, ସିଏ ଆକ୍ରୋଶର ଶିକାର ହେଉଛି । ବିଜେପି ସରକାରଙ୍କୁ ବିରୋଧ କରିବାରୁ କଟକର ବିଶ୍ୱଜିତ ସାହୁଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି । ଯେଉଁପରି ଭାବେ ତାଙ୍କୁ ଗିରଫ କରାଯାଇଛି, ସେହିପରି ଅନ୍ୟ ଦଳର ନେତାଙ୍କ ଚରିତ୍ର ସଂହାର କରୁଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ।
ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ ଯେ, ବିଜେପି ସରକାର ଲୋକଙ୍କ ସରକାର କହୁଛନ୍ତି, କିନ୍ତୁ ଲୋକଙ୍କ ଦୁଃଖ ଶୁଣୁନାହାନ୍ତି । ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଲେ ଆକ୍ରୋଶର ଶୀକାର ହେବାକୁ ପଡୁଛି । ଲୋକେ ଅନେକ ସମସ୍ୟାରେ ପଡୁଥିବା ବେଳେ ସୋସିଆଲ ମିଡିଆରେ ସମସ୍ୟାକୁ ଉପସ୍ଥାପନ କରିଲେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି, ଯାହାକି ଆଦୌ ଗ୍ରହଣୀୟ ନୁହେଁ । ଆଇନ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଥିବାବେଳେ ତାହା କିନ୍ତୁ ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ ।

