କଟକ :ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ଵତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି । ତେବେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ତ୍ରୁଟି କରୁଥିବା ଗାଡ଼ି ଗୁଡ଼ିକୁ ଅଙ୍କୁଶ ଲଗାଇବାକୁ ଆଭିମୁଖ୍ୟକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ହୋଇଛି । ଏଭଳି ଗାଡ଼ିକୁ କେବଳ ଜରିମାନା ଲାଗୁ କରି ଛାଡ଼ିଦେବା ବଦଳରେ ମୋଟର ଯାନ ନିୟମ ଅନୁଯାୟୀ ଜବତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଏହି ସନ୍ଦର୍ଭରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି କରି ଅବଗତ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଏଥିରେ ଦର୍ଶାଯାଇଛି ଯେ, ଗତ ଏପ୍ରିଲ ପହିଲାରୁ ୩୦ ଜୁନ୍ ୨୦୨୬ ମଧ୍ୟରେ ହୋଇଥିବା ଏନଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷାରୁ ଜଣାପଡ଼ିଛି ଯେ, ନିୟମ ଉଲ୍ଲଙ୍ଘନ କରି ଚଳାଚଳ କରୁଥିବା ମୋଟର ଯାନଗୁଡ଼ିକ ବିରୋଧରେ ମୋଟର ଯାନ ଆଇନର ଧାରା ୧୯୨ ଅଧୀନରେ ଅନେକ ଚାଲାଣ ଜାରି ହୋଇଥିଲେ ସୁଦ୍ଧା ଧାରା ୨୦୭ ଅନୁଯାୟୀ ଗାଡ଼ି ଜବତ ସଂଖ୍ୟା କମ୍ ରହିଛି। ଏହି ସମୟରେ ସାରା ରାଜ୍ୟରେ ୧,୬୪,୮୮୨ ଚାଲାଣ ଜାରି ହୋଇଥିବା ବେଳେ ମାତ୍ର ୪୨୮ ଟି ଗାଡ଼ି ଜବତ ହୋଇଛି।
କେବଳ ଚାଲାଣ ଜାରି କରି ଅଯୋଗ୍ୟ ଏବଂ ଅନୁପଯୁକ୍ତ ଗାଡ଼ିକୁ ଛାଡ଼ିଦେବା ଦ୍ୱାରା ସଡ଼କ ସୁରକ୍ଷା ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏଭଳି ଅନୁପଯୁକ୍ତ ଗାଡ଼ି ଗୁଡ଼ିକ ବିନା ଉଚିତ୍ ସୁଧାରରେ ପୁଣି ଥରେ ରାସ୍ତାକୁ ଆସୁଛନ୍ତି । ଏହି ବେଆଇନ ଗାଡ଼ି ଚଳାଚଳ ଯୋଗୁଁ ଅନେକ ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେଣୁ ଏଣିକି ଯଦି କୌଣସି ଗାଡ଼ି ଫିଟନେସ୍ (FC) ବିନା ଗାଡ଼ି ଚଳାଉଛନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ସ୍ୱରୂପ ଗାଡ଼ି ଜବତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ପଞ୍ଜିକରଣ, ପରମିଟ୍ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ମଧ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପାଇଁ କୁହାଯାଇଛି।
ତେବେ ଏହି ପଦକ୍ଷେପରେ ପାରଦର୍ଶିତା ଲାଗି କୁହାଯାଇଛି ଯେ, ଯଦି ଏଭଳି କୌଣସି ଗାଡ଼ିକୁ ଏନଫୋର୍ସମେଣ୍ଟ ଅଧିକାରୀ ଜବତ କରନ୍ତି କିମ୍ବା ନ କରନ୍ତି, ଉଭୟ କ୍ଷେତ୍ରରେ ସେମାନେ କାର୍ଯ୍ୟାନୁଷ୍ଠାନର ଉଚିତ୍ କାରଣ ଦର୍ଶାଇବେ। ସମଗ୍ର ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯିବା ସହ ବାହନ ଏବଂ ଇ-ଚାଲାଣ ଡାସବୋର୍ଡରେ ଆଲର୍ଟ ବ୍ୟବସ୍ଥାର ସହାୟତା ମଧ୍ୟ ନିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ବି ଅଧିକାରୀ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନରମ ଆଭିମୁଖ୍ୟ ପୋଷଣ ନ କରିବାକୁ କୁହାଯାଇଛି।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ସଡ଼କ ଦୁର୍ଘଟଣା ହ୍ରାସକୁ ମିଶନ ଭାବରେ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ନିରୀହ ଜୀବନ ଅକାଳରେ ଚାଲିଯାଉଛି। ବିନା ଫିଟନେସ ଗାଡ଼ି ଯୋଗୁଁ ଦୁର୍ଘଟଣା ବଢ଼ୁଛି । ପୂର୍ବରୁ କେବଳ ଜରିମାନା ଜାରି ହେଉଥିବା ବେଳେ ପରେ ପଞ୍ଜିକରଣ ରଦ୍ଦ ଭଳି ଆଭିମୁଖ୍ୟ ନିଆଯାଇଛି । ତେବେ ଏହି ବିନା ଫିଟନେସ ଗାଡ଼ି ଚଳାଚଳ ଚିତ୍ରରେ ସୁଧାର ପାଇଁ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣର ଆବଶ୍ୟକତା ରହିଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ନ ହେବାକୁ ସମସ୍ତ ସଡ଼କ ବ୍ୟବହାରକାରୀ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଉଛି।

