Home General ସେବା, ସଂଗ୍ରାମ, ସଂକଳ୍ପ ସଫଳତାର ବୀଜମନ୍ତ୍ର

ସେବା, ସଂଗ୍ରାମ, ସଂକଳ୍ପ ସଫଳତାର ବୀଜମନ୍ତ୍ର

ଭୁବନେଶ୍ୱର : ସମୟ ସୁଅର ଅନୁକୂଳ ଦିଗରେ ଭାସି ନ ଯାଇ ପ୍ରତିକୂଳ ଦିଗରେ ସାହସ, ସଂକଳ୍ପ ଓ ବୁଦ୍ଧିର ସହ ସନ୍ତରଣ କଲେ ଜୀବନ ପରିପୂର୍ଣ୍ଣ ହେବା ସହ ସଫଳତା ମିଳେ । ଏହି ସଫଳତାର ଶ୍ରେୟ ନିଜେ ଉପଭୋଗ ନ କରି ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଲେ ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ବଡ ପରିବର୍ତ୍ତନ ଆସେ ।

ମହାତ୍ମା ଗାନ୍ଧୀଙ୍କଠାରୁ ମା’ ରମା ଦେବୀଙ୍କ ପର୍ଯ୍ୟନ୍ତ ସଂଗ୍ରାମୀ ଓ ସଂସ୍କାରକମାନେ ବାଣ୍ଟି ଯାଇଥିବା ଏହି ଆପ୍ତ ବାକ୍ୟକୁ କାର୍ଯ୍ୟରେ ପରିଣତ କଲେ ଆମ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିପାରିବ । ଏଥିପାଇଁ ସରଳ ଜୀବନ ଓ ଉଚ୍ଚ ଚିନ୍ତନକୁ ଅଭ୍ୟାସରେ ପରିଣତ କରିବା ପାଇଁ ହେବ ।

ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ମା’ ରମା ଦେବୀଙ୍କ ୩୭ତମ ଶ୍ରାଦ୍ଧୋତ୍ସବ ଅବସରରେ ବକ୍ତାମାନେ ଏଭଳି ମତବ୍ୟକ୍ତ କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ଗାନ୍ଧୀ ଓ ରମା ଦେବୀଙ୍କ ଭଳି ମହାମନିଷୀମାନଙ୍କ ଜୀବନ ଦର୍ଶନର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଥିବା ଉଲ୍ଲେଖ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମା’ ରମା ଦେବୀ ସ୍ମାରକୀ ବକ୍ତୃତା ପ୍ରଦାନ କରି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ତଥା ମା’ ରମା ଦେବୀଙ୍କ ନିକଟ ବଳୟରେ କାର୍ଯ୍ୟ କରିଥିବା ପ୍ରହଲ୍ଲାଦ କୁମାର ସିଂହ କହିଛନ୍ତି ଯେ ଗାନ୍ଧୀଜୀଙ୍କ ନିବେଦନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ଦେଶର ମାତୃଶକ୍ତି ଝାସ ଦେବା ପରେ ଆନ୍ଦୋଳନର ଗତି ଓ ଶକ୍ତି ବଢ଼ିଥିଲା ଏବଂ ସାମାଜିକ, ଆର୍ଥିକ, ସାଂସ୍କୃତିକ ଆଦି କ୍ଷେତ୍ରରେ ମଧ୍ୟ ନୂଆ ବିପ୍ଲବ ଆରମ୍ଭ ହୋଇଥିଲା ।

ଆଦୌ ବିଦ୍ୟାଳୟର ବାରଣ୍ଡା ମାଡିନଥିବା ରମା ଦେବୀ ସପରିବାର ଓ ସବାନ୍ଧବ ସେବା, ସଂଗ୍ରାମ ଓ ତ୍ୟାଗ କ୍ଷେତ୍ରରେ ଯେଉଁ ଅବଦାନ ଛାଡି ଯାଇଛନ୍ତି ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଭାରତରେ ନାରୀ ନିରାପତ୍ତା, ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ, ଦେଶର ଋଣବୋଝ, ବାଣିଜ୍ୟିକ ନିଅଣ୍ଟ, ବେକାରି, ବେରୋଜଗାରି, ରାଜନୀତିର ଅପରାଧିକରଣ ଆଦି ପ୍ରସଙ୍ଗ ଆମ କଷ୍ଟଲବ୍ଧ ସ୍ୱାଧୀନତାକୁ ବିପନ୍ନ କରୁଥିବା ବେଳେ ପୁଣି ଦେଶର ନାରୀ ଶକ୍ତି ସଂଗଠିତ ଭାବେ ସେମାନଙ୍କ ପରାକାଷ୍ଠା ପ୍ରତିପାଦନ କରିବାର ବେଳ ଆସିଛି ।

ଅବସରପ୍ରାପ୍ତ ବିଚାରପତି ଉମାଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀମାନଙ୍କ ଅଧିକାର ଓ ତାହାର ସୁରକ୍ଷା ଉପରେ ଆଲୋକପାତ କରିଥିବା ବେଳେ ବିଶିଷ୍ଟ ଐତିହାସିକ ପ୍ରଫେସର କୈଳାସ ଚନ୍ଦ୍ର ଦାସ ରମା ଦେବୀଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ବିଶ୍ୱବିିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆବାହିକା ଡଃ ମଧୁସ୍ମିତା ପତି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଡଃ ସଂଘମିତ୍ରା ଭଞ୍ଜ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଗାନ୍ଧୀ ଭଜନ ଓ ରାମଧୂନ୍‍ ପରିବେଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ପରିପ୍ରେକ୍ଷୀରେ ଛାତ୍ରୀ ଓ ଅଧ୍ୟାପିକାମାନଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯିବା ସହ ମା’ ରମା ଦେବୀ ଯେଉଁ ଆଦର୍ଶର କୀର୍ତ୍ତିସ୍ତମ୍ଭ ଭାବେ ରହିଛନ୍ତି ଦ୍ରୌପଦୀ ଦେଶର ରାଷ୍ଟ୍ରପତି ଭାବେ ତାହାକୁ ଅକ୍ଷୁର୍ଣ୍ଣ ରଖିବେ ବୋଲି ଉତ୍ସବରେ ମତପ୍ରକାଶ ପାଇଥିଲା ।

ସ୍ମାରକୀ ବକ୍ତୃତା ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମା’ ରମା ଦେବୀଙ୍କ ପ୍ରତିମୂର୍ତ୍ତିରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । (ତଥ୍ୟ)