ନୂଆଦିଲ୍ଲୀ : ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ । ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’ ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’ କୁହାଯିବ । ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ ।
ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି । ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ । ବର୍ତ୍ତମାନର ପ୍ରଯୁକ୍ତି ଧାରା ସହ ପରିଚିତ ଯୁବ ପ୍ରତିଭାମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେନାବାହିନୀରେ ସାମିଲ କରିବା ଲାଗି ଆମନ୍ତ୍ରଣ କରାଯାଉଛି ।
ଅନ୍ୟପଟେ ନିଯୁକ୍ତି ଅବଧି ଶେଷ ହେବା ପରେ ଅଗ୍ନିବୀରଙ୍କ ରୂପରେ ସମାଜକୁ ଏକ କୁଶଳ, ଶୃଙ୍ଖଳିତ ଏବଂ ଅନୁପ୍ରାଣିତ ଜନଶକ୍ତି ମିଳିପାରିବ । ଏହି ଯୋଜନା ମାଧ୍ୟମରେ ସେନାବାହିନୀକୁ ଅନେକଗୁଡ଼ିଏ ଲାଭ ମିଳିପାରିବ । ସୈନ୍ୟବାହିନୀରେ ଅଧିକ ଯୁବ ଉତ୍ସାହୀ ସୈନ୍ୟବଳ ନିଯୁକ୍ତ ହୋଇପାରିବେ ଯେଉଁମାନଙ୍କ ମଧ୍ୟରେ ‘ଜୋଶ’ (ଉତ୍ସାହ) ଏବଂ ‘ଜଜ୍ବା’ (ଦୃଢ଼ ମନୋବଳ) ରହିଥିବ । ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ, ସେନାବାହିନୀରେ ଅଧିକ ପ୍ରଯୁକ୍ତି ସକ୍ଷମ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ଦିଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଅଣାଯାଇ ପାରିବ ।
ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଭାରତୀୟ ସୈନ୍ୟବାହିନୀର ହାରାହାରୀ ବୟସ ରୂପରେଖ ବା ପ୍ରୋଫାଇଲ୍ ୪-୫ ବର୍ଷ ପର୍ଯ୍ୟନ୍ତ କମିଯିବ । ଆତ୍ମ-ଅନୁଶାସନ, ପରିଶ୍ରମ ଓ ଏକାଗ୍ରତାର ଗଭୀର ଜ୍ଞାନରେ ଅତ୍ୟଧିକ ଭାବେ ଅନୁପ୍ରାଣିତ ଯୁବବର୍ଗଙ୍କୁ ପ୍ରସ୍ତୁତ ଏବଂ ପ୍ରଶିକ୍ଷିତ କରାଯିବା ଫଳରେ ଦେଶକୁ ଅତ୍ୟଧିକ ଲାଭ ହେବ । ଏପରି ଯୁବକଯୁବତୀମାନେ ଯଥେଷ୍ଟ କୁଶଳୀ ହେବେ ଏବଂ ଅନ୍ୟ କ୍ଷେତ୍ରରେ ଯୋଗଦାନ କରିବା ଲାଗି ସକ୍ଷମ ହୋଇପାରିବେ ।
ଦେଶ, ସମାଜ ଏବଂ ଦେଶର ଯୁବପିଢ଼ିଙ୍କ ପାଇଁ ଏକ ସ୍ବଳ୍ପକାଳୀନ ସାମରିକ ସେବାର ଖୁବ୍ ଅଧିକ ଲାଭ ମିଳିବ । ଦେଶଭକ୍ତି ଭାବନା, ଦଳଗତ କାର୍ଯ୍ୟ, ଶାରୀରିକ ଫିଟନେସ ବୃଦ୍ଧି ସହିତ ଦେଶ ପ୍ରତି ନିଷ୍ଠା ବୃଦ୍ଧି ପାଇବ । ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ ।
ଅଗ୍ନିବୀରମାନଙ୍କୁ ଆକର୍ଷଣୀୟ ମାସିକ ବେତନ ପ୍ୟାକେଜ୍ ଦିଆଯିବ । ଏଥିରେ ତିନି ସେନାବାହିନୀ ପାଇଁ ପ୍ରଯୁଜ୍ୟ ବିପଦ ଓ ପରିଶ୍ରମ ଭତ୍ତା ସାମିଲ ରହିବ । ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀରମାନଙ୍କୁ ଏକକାଳୀନ ‘ସେବା ନିଧି’ ପ୍ୟାକେଜ୍ ଦିଆଯିବ । ଏଥିରେ କର୍ତ୍ତବ୍ୟରତ ଥିବା ସମୟରେ ସେମାନଙ୍କର ଆର୍ଥିକ ଯୋଗଦାନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମାନ ପରିମାଣର ଯୋଗଦାନ ଉପରେ ଲାଗୁ ସୁଧ ମିଶିବ ।
ଅଗ୍ନିପଥ ଯୋଜନା ଅଧୀନରେ, ଅଗ୍ନିବୀର ମାନଙ୍କୁ ନିର୍ଦ୍ଦିଷ୍ଟ ସେନାବାହିନୀରେ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ସେନାବାହିନୀରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପଦବୀ ବା ରେଙ୍କ ରହିବ । ଅନ୍ୟ ରେଙ୍କ ଠାରୁ ଏହା ଭିନ୍ନ ହେବ । ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସଂଗଠନର ଆବଶ୍ୟକତାକୁ ଆଧାର କରି ଏବଂ ବିଭିନ୍ନ ସମୟରେ ସଂଶୋଧିତ ହେଉଥିବା ସେନାବାହିନୀର ନୀତି ଅନୁଯାୟୀ, ଅଗ୍ନିବୀର ମାନଙ୍କୁ ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ନିମନ୍ତେ ଆବେଦନ କରିବା ଲାଗି ସୁଯୋଗ ଦିଆଯିବ ।
ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଦର୍ଶନକୁ ଆଧାର କରି ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ, କେନ୍ଦ୍ରୀକୃତ ଢଙ୍ଗରେ ଏସବୁ ଆବେଦନକୁ ବିଚାର କରାଯିବ । ଅଗ୍ନିବୀରଙ୍କ ପ୍ରତ୍ୟେକ ବ୍ୟାଚ୍ରୁ ୨୫% ପ୍ରାର୍ଥୀଙ୍କୁ ନିୟମିତ କ୍ୟାଡର ଭାବେ ସେନାବାହିନୀରେ ନିଯୁକ୍ତି ମିଳିବ । ଏଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା ପୃଥକ ଭାବେ ଜାରି ହେବ। ସେନାବାହିନୀର ବିଶେଷ ଅଧିକାର କ୍ଷେତ୍ରରେ ଏହି ଚୟନ କରାଯିବ । ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।
ସମସ୍ତ ତିନୋଟି ସେନାରେ ଅନଲାଇନ କେନ୍ଦ୍ରୀକୃତ ପ୍ରଣାଳୀ ମାଧ୍ୟମରେ ନିଯୁକ୍ତି ଦିଆଯିବ । ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱର୍କ ଆଦି ଭଳି ମାନ୍ୟତାପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନରୁ କ୍ୟାମ୍ପସ ସାକ୍ଷାତକାର ଏବଂ ସ୍ବତନ୍ତ୍ର ନିଯୁକ୍ତି ରାଲି ଜରିଆରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ । ‘ସର୍ବଭାରତୀୟ ସର୍ବ ଶ୍ରେଣୀ’ ଆଧାରରେ ନିଯୁକ୍ତି ଦିଆଯିବ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବ ।
ସୈନ୍ୟବାହିନୀର ନିର୍ଦ୍ଦିଷ୍ଟ ବର୍ଗ/ଟ୍ରେଡ ପାଇଁ ପ୍ରଯୁଜ୍ୟ ହେଉଥିବା ସ୍ବାସ୍ଥ୍ୟ ତଥା ଶାରୀରିକ ଯୋଗ୍ୟତା ଆଧାରରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ । ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଆବଶ୍ୟକ ହେଉଥିବା ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ । ଉଦାହରଣ ସ୍ବରୂପ : ଜେନେରାଲ ଡ୍ୟୁଟି ସୈନିକ ଭାବେ ପ୍ରବେଶ ପାଇଁ, ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ ।