Home News in Odia ସୂତାଖିଅରେ ଝୁଲୁଛନ୍ତି ଠିକା କର୍ମଚାରୀ

ସୂତାଖିଅରେ ଝୁଲୁଛନ୍ତି ଠିକା କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌରସଂସ୍ଥା ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟରତ ପ୍ରାୟ ୨ହଜାର କର୍ମଚାରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । କ୍ଷମତାପନ୍ନ କମିଟି ଓ ଅର୍ଥ ବିଭାଗରେ ସବୁଜ ସଙ୍କେତପରେ ବି ମାସାଧିକକାଳ ହେଲା ଏମାନଙ୍କ ଚାକିରିର ନବୀକରଣ ହେଉନଥିବାରୁ ସେମାନେ ନିଜ ନିଜ ଚାକିରି ନେଇ ଆଶଙ୍କାରେ ରହିଛନ୍ତି ।

ବିଭିନ୍ନ ପୌରସଂସ୍ଥାରେ କମ୍ୟୁନିଟି ଅର୍ଗାନାଇଜର (ସିଓ), ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଭଳି ପ୍ରକଳ୍ପରେ ମଧ୍ୟ ଏକାଧିକ ଠିକା କର୍ମଚାରୀ ରହିଛନ୍ତି । ଏମାନଙ୍କୁ ବିଭିନ୍ନ ସଂସ୍ଥା ଜରିଆରେ ନିଯୁକ୍ତି ମିଳିଛି । ଏହି କର୍ମଚାରୀମାନଙ୍କର ଚାକିରି ପ୍ରତିବର୍ଷ ମାର୍ଚ୍ଚମାସରେ ନବୀକରଣ ହୋଇଥାଏ । ତେବେ ନବୀକରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚ କ୍ଷମତାପନ୍ନ କମିଟି ଏହି ନିଯୁକ୍ତିକୁ ଅନୁମୋଦନ କରିଥାଏ । ପରେ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଇଥାଏ ।

ତେବେ ଚଳିତ ବର୍ଷ ମାର୍ଚ୍ଚମାସରେ କିନ୍ତୁ ଏହି ଠିକା କର୍ମଚାରୀଙ୍କ ନିଯୁକ୍ତିର ନବୀକରଣ ହୋଇନାହିଁ । ଯଦିଓ ଉଚ୍ଚ କ୍ଷମତାପନ୍ନ କମିଟି ଓ ଅର୍ଥ ବିଭାଗ ସବୁଜ ସଙ୍କେତ ଦେଇ ସାରିଛନ୍ତି, କିନ୍ତୁ ଏହାର ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ତେବେ ବିଳମ୍ବକୁ ଲକ୍ଷ୍ୟକରି ଏହାକୁ ଅସ୍ଥାୟୀ ଭାବେ ତିନି ମାସ ପାଇଁ ଅନୁମୋଦନ କରାଯାଇଥିଲା । ତଦନୁଯାୟୀ ଏହି କର୍ମଚାରୀମାନଙ୍କ ନିଯୁକ୍ତି ଜୁନ୍‍ ୩୦ତାରିଖ ପର୍ଯ୍ୟନ୍ତ ବୈଧ ଥିଲା । ଏହାପରେ ଜୁଲାଇ ମାସ ସରିଥିଲେ ବି ଆଉ ଏହାର ନବୀକରଣ ହୋଇନଥିବା ଜଣାଯାଇଛି । ନିଯୁକ୍ତି ନବୀକରଣ ନହେବା ଫଳରେ ଏହି ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କର ପାଉଣା ପାଇପାରୁ ନାହାନ୍ତି ।

ତେବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିଜସ୍ୱ କ୍ୟାଡର ନଥିବାରୁ ଏମାନେ ଅନ୍ୟ ବିଭାଗ ବିଶେଷକରି ଆଉଟିସୋର୍ସିଂ ସଂସ୍ଥାରୁ ଅସ୍ଥାୟୀ କର୍ମଚାରୀଙ୍କୁ ଆଣିଥାନ୍ତି । ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଚଳାଇବା ମୁଖ୍ୟତଃ ଏହି ଅସ୍ଥାୟୀ କର୍ମଚାରୀଙ୍କ ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ପ୍ରାୟ ୨ହଜାର କର୍ମଚାରୀ ମାସେ ହେଲା ବିନା ନବୀକରଣରେ କାର୍ଯ୍ୟ କରୁଥିବାବେଳେ ସେମାନେ କିନ୍ତୁ ଆଶଙ୍କା ଭିତରେ ରହିଛନ୍ତି । କାରଣ ନିଯୁକ୍ତି ନବୀକରଣ ନହେଲେ ସେମାନେ ଆଉ ସହଜରେ ପାଉଣା ପାଇବେ ନାହିଁ । ବିନା ପାଉଣାରେ ଠିକା କର୍ମଚାରୀମାନେ କେତେ ଦିନ କିଭଳି କାର୍ଯ୍ୟ କରିବେ ଓ ସରକାରୀ ଯୋଜନାଗୁଡିକୁ ଆଗେଇନେବେ ତାହା ଏବେ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।(ତଥ୍ୟ)