ଭୁବନେଶ୍ୱର : ବିଭିନ୍ନ କ୍ୟାଡର୍ର ୧୬ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ଓଏଏସ୍ କ୍ୟାଡର୍କୁ ଆଣି ଅତିରିକ୍ତ ଶାସନ ସଚିବ (ଏସିଏସ୍) ପାହ୍ୟାକୁ ପଦୋନ୍ନତି ଦେବା ପରେ ଏହା ବିରୋଧରେ ଆପତ୍ତି ଉଠାଇ କେତେକ ଓଏଏସ୍ ଅଧିକାରୀ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ଫଳରେ ଏମାନଙ୍କ ପଦୋନ୍ନତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ସ୍ଥାନ ସଂରକ୍ଷଣ ପ୍ରସଂଗକୁ କେନ୍ଦ୍ର କରି ପ୍ରାୟ ୩୦ବର୍ଷ ଧରି ଓଡ଼ିଶା ସରକାର ହଜାର ହଜାର ମାମଲାରେ ଛନ୍ଦି ହୋଇଛନ୍ତି । ଓଡ଼ିଶା ସିଭିଲ୍ ସର୍ଭିସ୍ ପାଇଁ ୯୦ ଦଶକରେ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ସୀମା ୨୭ ପ୍ରତିଶତକୁ ବଢ଼ାଇବାରୁ ଏହା ବିରୋଧରେ ସ୍ୟାଟ୍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅନେକ ମାମଲା ରୁଜୁ ହୋଇଥିଲା । ଏଥିଯୋଗୁ ନିଯୁକ୍ତି କ୍ଷେତ୍ରରେ ବି ବିଭ୍ରାଟ ଉପୁଜିଥିଲା ।
ଏ ପ୍ରସଂଗରେ ଓଏଏସ୍ରେ ନିଯୁକ୍ତି ନପାଇ ଓଡ଼ିଶା ଅର୍ଥ ସେବା, ଜଙ୍ଗଲ ସେବା, ସମବାୟ ସେବା, ଶିକ୍ଷା ସେବା, ସବ୍ ରେଜିଷ୍ଟ୍ରର ଆଦି ବିଭିନ୍ନ୍ କ୍ୟାଡର୍ରେ ନିଯୁକ୍ତି ପାଇ ସେଠାରେ ପଦୋନ୍ନତି ହାସଲ କରିଥିବା କେତେକ ଅଧିକାରୀ ସେମାନଙ୍କୁ ଓଏଏସ୍ କ୍ୟାଡର୍କୁ ଆଣିବା ପାଇଁ ପ୍ରଶାସନିକ ଓ ଆଇନ୍ ଅଦାଲତ ସ୍ତରରେ ଲଢ଼େଇ ଜାରି ରଖିଥିଲେ । ସୁପ୍ରିମକୋର୍ଟରେ ଏଭଳି ମାମଲା ପରିଚାଳନା ଦାୟିତ୍ୱରେ ଥିବା ଷ୍ଟାଣ୍ଡିଂ କାଉନ୍ସେଲ୍ ରାଜ୍ୟ ସରକାରଙ୍କ ଅଗୋଚରରେ କେତେକ ବକ୍ତବ୍ୟ ନିଜଆଡୁ ରଖିଥିଲେ ଏବଂ ତଦନୁଯାୟୀ ସୁପ୍ରିମକୋର୍ଟ ମଧ୍ୟ ଆଦେଶ ଦେଇଥିଲେ । ଏହା ଜଣାପଡିବା ପରେ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସଂପୃକ୍ତ ସରକାରୀ ଓକିଲ ରାଜ୍ୟ ସରକାରଙ୍କ ବିନା ସୂଚନାରେ କିଭଳି ମନଇଚ୍ଛା ବକ୍ତବ୍ୟ ରଖିଲେ ସେଥିଘେନି ଉଦ୍ବେଗ ପ୍ରକାଶ କରିବା ସହିତ ଆଇନ୍ ବିଭାଗ ତାଙ୍କ ବିରୋଧରେ ଭାରତୀୟ ବାର୍ କାଉନ୍ସିଲ୍ ନିକଟରେ ଅଭିଯୋଗ କରିବାକୁ ସ୍ଥିର କରାଯାଇଥିଲା ।
ତେବେ ୧୯୯୭ ମସିହାର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାକୁ କେନ୍ଦ୍ର କରି ଯେଉଁ ମାମଲା ଚାଲିଥିଲା ସେଥିରୁ କେତେକ ସରକାରୀ ଓକିଲଙ୍କ ବକ୍ତବ୍ୟ ମୁତାବକ ସୁପ୍ରିମକୋର୍ଟରେ ଫଇସଲା ହୋଇଯାଇଥିଲା । ଏହି ରାୟର ଅନୁପାଳନ କରାଯାଇନପାରିବାରୁ ଅଦାଲତ ଅବମାନନା ମାମଲା ମଧ୍ୟ ରୁଜୁ ହୋଇଥିଲା ଏବଂ ଆଉ କେତେକ ମାମଲାରେ ସମାନ ଆଦେଶ ପ୍ରଦାନ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା ।
ଏଭଳି ବିଚିତ୍ର ସ୍ଥିତିରେ ଗତ ଡିସେମ୍ବର ୧୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ରାଜସ୍ୱ ବିଭାଗକୁ ଏକ ପତ୍ର ଲେଖି ଓଏଏସ୍ ଚାକିରିରୁ ବଞ୍ôଚତ ଥାଇ ସବ୍ରେଜିଷ୍ଟ୍ରର, ଜଙ୍ଗଲ ସେବା, ଅର୍ଥ ସେବା, ଶିକ୍ଷା ସେବା, ସମବାୟ ସେବା ଆଦିରେ ପୂର୍ବରୁ ନିଯୁକ୍ତି ପାଇଥିବା ୧୬ଜଣ ଅଧିକାରୀଙ୍କୁ ଓଏଏସ୍ କ୍ୟାଡର୍କୁ ଆଣି ସେମାନଙ୍କୁ ଉପର ପାହ୍ୟାକୁ ପଦୋନ୍ନତି ଦେବାକୁ କୁହାଯାଇଥିଲା । ଏଥିପୂର୍ବରୁ ସେହି ବ୍ୟାଚ୍ର ମେଧା ତାଲିକାରେ ସଂଶୋଧନ ଆଣିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ କୁହାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆୟୋଗ ତାହାର ଅନୁପାଳନ କରିପାରିନଥିଲା । ଏପରି ସ୍ଥିତିରେ ଅଦାଲତ ଅବମାନନା ମାମଲାରୁ ବର୍ତ୍ତିବା ପାଇଁ ବିଭିନ୍ନ କ୍ୟାଡର୍ର ୧୬ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ଓଏଏସ୍ କ୍ୟାଡର୍ରେ ସାମିଲ କରି ଇତିମଧ୍ୟରେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏଥିଯୋଗୁ ବହୁ ଓଏଏସ୍ ଅଧିକାରୀ ବରିଷ୍ଠତା ତାଲିକାରେ ବିଭ୍ରାଟ ଉପୁଜିବା ସହିତ ସେମାନଙ୍କ ପଦୋନ୍ନତି ବ୍ୟାହତ ହେଉଥିବାରୁ ପୁଣି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି ଏବଂ ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଓ ଜଷ୍ଟିସ୍ ବିଜୟ ବିଷ୍ନୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଇତିମଧ୍ୟରେ ଏହି ମାମଲାରେ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି । (ତଥ୍ୟ)

