Home Finance ସୁଧୁରୁଛି ରାଜ୍ୟ ଅର୍ଥନୀତି

ସୁଧୁରୁଛି ରାଜ୍ୟ ଅର୍ଥନୀତି

କରୋନା ଯୋଗୁଁ ଉପୁଜିଥିବା ଅର୍ଥନୈତିକ ଅନିଶ୍ଚିତତା ଏବେ ଧିରେ ଧିରେ ପ୍ରଶମିତ ହେବାରେ ଲାଗିଛି । କାରଣ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ସକ୍ରିୟ ହେବାଯୋଗୁଁ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି ।

ସଦ୍ୟତମ ପ୍ରସ୍ତୁତ ରାଜ୍ୟ ଅର୍ଥନୈତିକ ସୂଚୀ (ଷ୍ଟେଟ ଇକୋନୋମିକ ଇଣ୍ଡେକ୍ସ) ରୁ ଏହା ଜଣାଯାଇଛି । ଲକ୍‍ଡାଉନ୍‍ ଯୋଗୁଁ ଅପ୍ରେଲ ମାସରେ ଯେଉଁ ଅର୍ଥନୈତିକ ଅନିଶ୍ଚିତତା ଉପୁଜିଥିଲା ସେପ୍ଟେମ୍ବରମାସ ବେଳକୁ ତାହା ପ୍ରଶମିତ ହୋଇଯାଇଛି ଏବଂ ଅକ୍ଟୋବର ମାସରେ ଏହି ଅବସ୍ଥା ଦୂରୀଭୂତ ହେଉଥିବା ପରିଲକ୍ଷିତ ହୋଇଛି । ରାଜ୍ୟରେ ଜିଏସ୍‍ଟି, ଅବକାରୀ ଟିକସ, ଖଣି ରୟାଲିଟି, ମୋଟରଯାନ ଟିକସ ଓ ବିଦ୍ୟୁତ୍‍ ଟିକସ ସଂଗ୍ରହ ସମୀକ୍ଷାରୁ ଏହା ଜଣାଯାଇଛି ।

ଏହିସବୁ ନିଜସ୍ୱ ଟିକସ ଓ ନିଜସ୍ୱ ଅଣଟିକସ ସଂଗ୍ରହ କ୍ଷେତ୍ରରେ ଉନ୍ନତି କ୍ରମଶଃ ପରିଲକ୍ଷିତ ହେଉଥିବା ସଦ୍ୟତମ ରିପୋର୍ଟରୁ ଜଣାଯାଇଛି । ସେପ୍ଟେମ୍ବରମାସ ଶେଷ ସୁଦ୍ଧା ରାଜ୍ୟରେ ୫୪୨୦କୋଟି ଜିଏସ୍‍ଟି, ୧୧୮୦କୋଟି ଅବକାରୀ ଟିକସ, ୪୮୭ କୋଟି ମୋଟରଯାନ ଟିକସ ଏବଂ ସର୍ବାଧିକ ୧୫୧୭କୋଟି ବିଜୁଳି ଟିକସ ଆଦାୟ ହୋଇଛି । ମୋଟ୍‍ ୧୩,୪୧୧ କୋଟି ନିଜସ୍ୱ ଟିକସ ରାଜସ୍ୱ ସେପ୍ଟେମ୍ବର ଶେଷସୁଦ୍ଧା ଆଦାୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ ୩୮,୩୫୦ କୋଟି ଟଙ୍କାର ଟିକସ ଆଦାୟ ହେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ତେବେ ନିଜସ୍ୱ ଟିକସ ଆଦାୟ ସନ୍ତୋଷଜନକ ନହୋଇଥିଲେ ସୁଦ୍ଧା ନିଜସ୍ୱ ଅଣଟିକସ ରାଜସ୍ୱ ଆଦାୟ କ୍ଷେତ୍ରରେ ବେଶ୍‍ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ସମୀକ୍ଷାରୁ ଜଣାଯାଏ ।

ସେପ୍ଟେମ୍ବର ମାସ ଶେଷସୁଦ୍ଧା ନିଜସ୍ୱ ଅଣଟିକସ ରାଜସ୍ୱ ୮୨୬୯କୋଟି ଟଙ୍କା ସଂଗୃହୀତ ହୋଇ ୩୦ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୧୭,୬୫୦କୋଟି ନିଜସ୍ୱ ଅଣଟିକସ ରାଜସ୍ୱ ଆଦାୟ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ୬୩୫୩କୋଟି ଟଙ୍କା ଆଦାୟ ହୋଇ ମାତ୍ର ୧୩ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଥିଲା । ତେଣୁ ଏଥିରୁ ସ୍ପଷ୍ଟ ବାରିହୋଇ ଯାଉଛି ଯେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧିହେବା ଫଳରେ ବିଶେଷକରି ଖଣି ଖାଦାନରୁ ଆୟ ବୃଦ୍ଧି ଯୋଗୁଁ ନିଜସ୍ୱ ଅଣଟିକସ ରାଜସ୍ୱରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଚଳିତ ଆର୍ଥିକ ବର୍ଷର ୬ମାସ ମଧ୍ୟରେ ମୋଟ୍‍ ୨୧,୬୮୦କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ସଂଗୃହୀତ ହୋଇଛି । ଯାହା ଗତବର୍ଷ ଅପେକ୍ଷା ପ୍ରାୟ ୨ପ୍ରତିଶତ ଅଧିକ । କରୋନା ମହାମାରୀ ଯୋଗୁଁ ଆର୍ଥିକ ବ୍ୟବସ୍ଥା ସଙ୍କୁଚିତ ହୋଇଥିବା ଫଳରେ ଏଭଳି ସ୍ୱଳ୍ପ ଅଭିବୃଦ୍ଧି ହାସଲ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୫୬ହଜାର କୋଟି ଟଙ୍କାର ମୋଟ୍‍ ଟିକସ ଆଦାୟ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏହାର ୩୯ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ଛଅମାସ ମଧ୍ୟରେ ଅନ୍ତତଃ ପକ୍ଷେ ୪୫ ପ୍ରତିଶତରୁ ଅଧିକ ଟିକସ ଆଦାୟ ହେବାକଥା ।