Home Culture ଶ୍ରୀମନ୍ଦିର ସମ୍ପତ୍ତିର ସୁରକ୍ଷା ଦାବି

ଶ୍ରୀମନ୍ଦିର ସମ୍ପତ୍ତିର ସୁରକ୍ଷା ଦାବି

ଶ୍ରୀଜଗନ୍ନାଥଧାମ ପୁରୀର ବିକାଶ ପାଇଁ ବ୍ୟାପକ ଯୋଜନା ଚାଲିଥିବାବେଳେ ଶ୍ରୀମନ୍ଦିର ସମ୍ପତ୍ତି ସୁରକ୍ଷା ପ୍ରସଙ୍ଗରେ ଏବେ ଦାବି ଜୋର ଧରୁଛି ।

ଶ୍ରୀମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ସହିତ ମନ୍ଦିର ଭିତରର ସୁରକ୍ଷା ଓ ନୀତିକାନ୍ତିର ଶୃଙ୍ଖଳା ଉପରେ କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ୱଆରୋପ କରୁଛନ୍ତି । ଏମିତିକି ଶ୍ରୀମନ୍ଦିରର ପ୍ରମୁଖ ଦ୍ୱାରଗୁଡିକର ରୂପା ଛାଉଣି ଲାଗି ବି କାର୍ଯ୍ୟ ଆରମ୍ଭ ହୋଇଛି । ଏ ପରିପ୍ରେକ୍ଷୀରେ କିଛିବର୍ଷ ତଳେ ଏମାର ମଠର ଏକ ପରିତ୍ୟକ୍ତ କୋଠରୀରୁ ବିପୁଳ ପରିମାଣର ରୂପା ଇଟା ଉଦ୍ଧାର ହୋଇଥିବାବେଳେ ସେହି ଇଟାର ବ୍ୟବହାର ଘେନି କିନ୍ତୁ ଏଯାବତ୍‍ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ଦିଗରେ ତୁରନ୍ତ ଆଇନ୍‍ଗତ ପ୍ରକ୍ରିୟା ସମାପନ କରି ଉଦ୍ଧାର କରାଯାଇଥିବା ବିପୁଳ ପରିମାଣର ରୂପା ଇଟାଗୁଡିକୁ ଠିକଣା ଭାବେ ବ୍ୟବହାର କରିବାକୁ ଜଗନ୍ନାଥପ୍ରେମୀମାନେ ମତବ୍ୟକ୍ତ କରୁଛନ୍ତି ।

ସେହିପରି ରାଜ୍ୟ ଭିତରେ ଓ ବାହାରେ ବନ୍ଦୋବସ୍ତ ରେକର୍ଡ ମୁତାବକ ଶ୍ରୀମନ୍ଦିରର ୬୦,୪୦୦ ଏକରରୁ ଅଧିକ ଜମି ଏଯାବତ୍‍ ଚିହ୍ନିତ ହୋଇଛି । ତେବେ ଏଥି ମଧ୍ୟରୁ ୨୦ହଜାର ଏକରରୁ ଅଧିକ ଜମିର ସଂଶୋଧିତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଏହି ଭୂସମ୍ପତ୍ତିରୁ ଅଧିକାଂଶ ଜବରଦଖଲରେ ରହିଛି । ଆଉ କେତେକ ସ୍ଥଳରେ ରେକର୍ଡରେ ବି ତ୍ରୁଟି ଥିବା ଘେନି ଅଭିଯୋଗ ହେଉଛି । ଏ ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ସମସ୍ତ ଭୂସମ୍ପତ୍ତି ସୀମିତ ସମୟ ମଧ୍ୟରେ କିଭଳି ମନ୍ଦିର ପ୍ରଶାସନ ହାତକୁ ଆସିପାରିବ ଏବଂ ଏହି ଜମିରୁ ମନ୍ଦିରକୁ ପର୍ଯ୍ୟାପ୍ତ ପରିମାଣର ରାଜଭାଗ ପ୍ରାପ୍ତ ହେବ ସେ ଦିଗରେ ତହସିଲୱାରୀ ବ୍ୟବସ୍ଥା କରିବାକୁ ମଧ୍ୟ ମତପ୍ରକାଶ ପାଉଛି ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ୧୯୭୮ମସିହାରେ ଖୋଲାଯାଇଥିଲା । ଇତି ମଧ୍ୟରେ ୪୨ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଏହି ରତ୍ନଭଣ୍ଡାର ଖୋଲାଯାଉନାହିଁ । କେତେବେଳେ ଚାବି ହଜିଛି ତ ଆଉ କେତେବେଳେ ଅନ୍ୟ କୌଣସି ଆଳ ଦେଖାଇ ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସମ୍ପତ୍ତିର ଠିକଣା ଆକଳନ କରାଯାଉନଥିବାରୁ ବିଭିନ୍ନ ମହଲରେ ସନ୍ଦେହର ସୂତ୍ରପାତ ହେବା ସ୍ୱାଭାବିକ । ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି ହଜିଛି ବୋଲି ଜଣାପଡିବା ପରେ ଏହାର ତଦନ୍ତ ଲାଗି ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏବଂ ଏହି କମିଶନରେ ପ୍ରାୟ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ରତ୍ନଭଣ୍ଡାର ଖୋଲିବା ଘେନି କିଛି ଫଳ ମିଳିନଥିଲା । ଅନ୍ୟ ପକ୍ଷରେ ରତ୍ନଭଣ୍ଡାର ଚାବି ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡରୁମ୍‍ରୁ ମିଳିଥିବା କୁହାଯାଇଥିଲା ।

୧୯୭୮ ମସିହାରେ କରାଯାଇଥିବା ସୁମାରି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସେତେବେଳେ ୧୨,୮୩୧ ଭରି ଅଣାଏ ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ ୨୨,୧୫୩ ଭରି ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଥିଲା । ଏହାଛଡା ଆଉ ୧୪ଟି ସୁନା ଓ ରୂପା ଜିନିଷ ଓଜନ କରାଯାଇ ପାରିନଥିଲା । ଏହି ସୁନା ରୂପା ଅଳଙ୍କାର ମଧ୍ୟରେ ବି ଅନେକ ମୂଲ୍ୟବାନ ପଥର ରହିଥିଲା । ତେବେ ୪୨ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଭକ୍ତମାନେ ଦେଇଥିବା ବ୍ୟାପକ ଦାନ ଦୃଷ୍ଟିରୁ ରତ୍ନଭଣ୍ଡାରର ସାମଗ୍ରୀ କେତେ ବଢିଛି ଏବଂ ପୂର୍ବରୁ ସୁମାରି କରାଯାଇଥିବା ସାମଗ୍ରୀଗୁଡିକ କିଭଳି ସୁରକ୍ଷିତ ରହିଛି ତାହା ଶ୍ରୀମନ୍ଦିର ଆଇନ୍‍ ଅନୁଯାୟୀ ନିୟମିତ ବ୍ୟବଧାନରେ ତନଖି କରିବାଲାଗି ମତପ୍ରକାଶ ପାଉଛି ।