ଭୁବନେଶ୍ୱର : ବିଏଡ୍ ନାମଲେଖାକୁ ରାଜ୍ୟ ସରକାର ସ୍ଥଗିତ କରିବାପରେ ଏବେ ଛାତ୍ରଛାତ୍ରୀମାନେ ସିଟି ପରୀକ୍ଷାମୁହାଁ ହୋଇଛନ୍ତି । ସିଟି ପରୀକ୍ଷା ଦେବାପାଇଁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଆବେଦନ ହୋଇଥିବାବେଳେ ବିଏଡରୁ ହତାଶ ହୋଇଥିବା ଛାତ୍ରଛାତ୍ରୀମାନେ ଏବେ ସିଟି ପରୀକ୍ଷା ଦେବାକୁ ମନ ବଳାଇଛନ୍ତି ।
ଚଳିତବର୍ଷ ପ୍ରାୟ ଦେଢ ଲକ୍ଷ ଛାତ୍ରଛାତ୍ରୀ ବିଏଡ୍ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ସଫଳ ହୋଇଥିଲେ । ରାଜ୍ୟରେ ଥିବା ପ୍ରାୟ ୨୭୦୦ଆସନରେ ନାମଲେଖା ପାଇଁ ଏମାନେ ଆବେଦନ କରିଥିଲେ । ହେଲେ ନାମଲେଖା ପାଇଁ ପ୍ରଥମ ତାଲିକା ପ୍ରକାଶ ପାଇବା ସମୟରେ ବିଏଡ୍ ପରୀକ୍ଷାରେ ଅନିୟମିତା ହେବାନେଇ ଅଭିଯୋଗ ଆସିବାରୁ ସରକାର ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ।
ଉଲ୍ଲେଖନୀୟ ଯେ ବିଏଡ୍ ପରୀକ୍ଷାଫଳ ପ୍ରକାଶ ପାଇବା ସମୟରେ କେତେ ଛାତ୍ରଛାତ୍ରୀ କେତେ ପ୍ରତିଶତ ନମ୍ବର ରଖିଛନ୍ତି ତାହା ପ୍ରକାଶ ପାଇନଥିଲା । ଫଳରେ କୃତକାର୍ଯ୍ୟ ତାଲିକାରେ ଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଥିଲେ । ଏହାକୁ ନେଇ କେତେକ ଗଣମାଧ୍ୟମରେ ଦୁର୍ନୀତି ହୋଇଥିବା ଖବର ପ୍ରକାଶନ ପରେ ସରକାର ବିଏଡ୍ ଖାତା ଯାଞ୍ଚ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ତେବେ ଏହି ଯାଞ୍ଚ କେବେ ହେବ ଓ କିଭଳି ହୋଇ କେଉଁ ତାରିଖରେ ସରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଉନାହିଁ । ଫଳରେ ବିଏଡ୍ ପଢିବାକୁ ପରୀକ୍ଷା ଦେଇଥିବା ଲକ୍ଷାଧିକ ଛାତ୍ରଛାତ୍ରୀ ଆଶା ଓ ଆଶଙ୍କାରେ ରହିଛନ୍ତି ।
ଇତି ମଧ୍ୟରେ ସିଟି ପରୀକ୍ଷା ଲାଗି ଆବେଦନ ଚାଲିଥିବାରୁ ବିଏଡ୍ ଆଶାୟୀମାନେ ବି ସିଟି ପରୀକ୍ଷାପାଇଁ ଆବେଦନ କରିବାରେ ଲାଗିଛନ୍ତି । ବିଏଡ୍ ନହେଲେ ଅତି କମ୍ରେ ସିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକତା କରିବାକୁ ସେମାନେ ଆଗଭର ହୋଇଛନ୍ତି । ସିଟି ପରୀକ୍ଷାରେ ଅଧିକ ଆସନ ଥିବାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
ଅବସ୍ଥା ଏଭଳି ହୋଇଛନ୍ତି ସ୍ନାତକ ଓ ସ୍ନତକୋତ୍ତର ଛାତ୍ରଛାତ୍ରୀମାନେ ସିଟି ପରୀକ୍ଷାରେ ବସିବାକୁ ଆବେଦନ କରୁଛନ୍ତି । ତେଣୁ ଏଥର ସିଟି ପରୀକ୍ଷାରେ କେବଳ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେନାହିଁ, ପରୀକ୍ଷାରେ ବି ପ୍ରତିଯୋଗିତା ବୃଦ୍ଧି ପାଇବ । ତେଣୁ ସିଟି ପରୀକ୍ଷାରେ ଯେଭଳି ବିଏଡ୍ ଭଳି ଅନିୟମିତତା ହେବନାହିଁ ତାହା ଉପରେ ନଜର ରଖିବାକୁ ଏବେ ଠାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କଲେଣି । (ତଥ୍ୟ)