Home Agriculture ସାର କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ

ସାର କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ

ଭୁବନେଶ୍ୱର : ଚଳିତ ଖରିଫ ଚାଷ ଋତୁରେ ସମଗ୍ର ଓଡ଼ିଶାରେ ଦେଖାଦେଇଥିବା ସାରର ଘୋର ଅଭାବ, ବ୍ୟାପକ କଳାବଜାରୀ ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ କଲବଲ ହେଉଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ପ୍ରାୟ ୩୯ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଏ। ଚଳିତ ଖରିଫ ଋତୁରେ ରାଜ୍ୟକୁ ପ୍ରାୟ ୧୧.୪୩ ଲକ୍ଷ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଛି। କିନ୍ତୁ ୧୭ ଜୁଲାଇ ସୁଦ୍ଧା ମାତ୍ର ପ୍ରାୟ ୧.୮୧ ଲକ୍ଷ ମେଟ୍ରିକ ଟନ ସାର ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକରେ ପହଞ୍ଚିଛି।

ଚାଷୀଙ୍କୁ ପ୍ରାୟ ୧.୧୪ ଲକ୍ଷ ମେଟ୍ରିକ ଟନ ସାର ବଣ୍ଟନ କରାଯାଇଛି। ସମଗ୍ର ଖରିଫ ଋତୁରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ସାର ଯୋଗାଣ ହୋଇଥିବାରୁ ରାଜ୍ୟରେ କୃତ୍ରିମ ସାର ସଙ୍କଟ ସୃଷ୍ଟି ହୋଇଛି। “ଡବଲ ଇଞ୍ଜିନ ସରକାର’ ବାସ୍ତବରେ ଓଡ଼ିଶାର ଚାଷୀଙ୍କ ପାଇଁ “ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଅମୂଳକ। ବହୁ ଜିଲ୍ଲାରେ ଚାଷୀମାନେ ଗୋଟିଏ ବସ୍ତା ୟୁରିଆ ପାଇଁ ପ୍ୟାକ୍ସ ଓ ସାର ଦୋକାନ ଆଗରେ ସାରା ରାତି ଅପେକ୍ଷା କରି ରହୁଛନ୍ତି। ୟୁରିଆ ଅଭାବକୁ ଲୁଚାଇବା ପାଇଁ ସରକାର କମ୍ପ୍ଲେକ୍ସ ସାର ଓ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦୁର୍ଭାଗ୍ୟଜନକ। ସରକାର ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ବିକଳ୍ପ ସାର ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ।

ସଞ୍ଜୟ ଦାସବର୍ମା କହିଥିଲେ ଯେ, ଭାରତ ସରକାରଙ୍କ ଜାତୀୟ ସାର ବଣ୍ଟନ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ସାରର କୌଣସି ଅଭାବ ନଥିବା ସମବାୟ ମନ୍ତ୍ରୀ ଦାବି କରୁଥିବା ବେଳେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ଜିଲ୍ଲା ପ୍ରଶାସନକୁ ବିକଳ୍ପ ସାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି।