ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ଵର ଯିବା ଲାଗି ଆଉ ବସରେ ବସି ୧୫ ଘଣ୍ଟାର ଲମ୍ବା ଯାତ୍ରା କରିବାକୁ ପଡିବ ନାହିଁ। କାରଣ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମାଲକାନଗିରି ବିମାନ ବନ୍ଦର। ଆଜି ମାଲକାନଗିରି ବିମାନ ବନ୍ଦରରେ ଇଣ୍ଡିଆ ଅନ୍ ଏୟାରର ପ୍ରଥମ ଯାତ୍ରୀବାହୀ ବିମାନ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି।
ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗୀକ ବ୍ୟବସ୍ଥାର ତଦାରଖ କରିବା ପାଇଁ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିଛନ୍ତି ବେସାମରିକ ବିମାନ ଚଳାଚଳ ବିଭାଗର ୨ ଜଣ ବରିଷ୍ଠ ଅଧିକାରୀ ମନୋଜ କୁମାର ଦାସ ଓ ନିରଜ କୁମାର ନାୟକ। ବିମାନ ବନ୍ଦରର ରନୱେ, ଟର୍ମିନାଲ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଡଭାନ୍ସ ଲାଇଫ ସପୋର୍ଟ ସହ ବିମାନ ବନ୍ଦର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।
ବିମାନ ଅବତରଣ କରିବାର ୩ ଘଣ୍ଟା ପୂର୍ବରୁ ସମସ୍ତ ବିଭାଗ ପ୍ରସ୍ତୁତ ରହିଥିଲେ। ଇଣ୍ଡିଆ ଅନ୍ ଏୟାରର ୯ ଆସନ ବିଶିଷ୍ଟ ବିମାନ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଦମକଳ ବାହିନୀ ପକ୍ଷରୁ ୱାଟର କେନନ ଦିଆଯାଇ ବିମାନଟିକୁ ସ୍ବାଗତ କରାଯାଇଛି। ଟ୍ରାଏଲ ରନ ସଫଳ ହୋଇଥିବା ପାଇଲଟ କହିଛନ୍ତି। ଖୁବ୍ ଶୀଘ୍ର ସାଧାରଣ ଯାତ୍ରୀ ମାଲକାନଗିରିରୁ ବିମାନରେ ବସି ଯାତ୍ରୀ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

