Home General ସାରା ଦେଶରେ ବଢୁଛି ମହିଳାଙ୍କ ପ୍ରତି ଅପରାଧ

ସାରା ଦେଶରେ ବଢୁଛି ମହିଳାଙ୍କ ପ୍ରତି ଅପରାଧ

ଭୁବନେଶ୍ୱର : ବିଶ୍ୱ ମହିଳା ଦିବସ ପାଳନ ଅବସରରେ ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ନ୍ୟାୟ ପ୍ରସଂଗରେ ଚାରିଆଡ଼େ ବ୍ୟାପକ ସଭା ସମିତି ହେଉଥିବାବେଳେ ବାସ୍ତବରେ କିନ୍ତୁ ମହିଳାମାନଙ୍କ ପ୍ରତି ବିଭିନ୍ନ କିସମର ଅପରାଧ ବଢ଼ି ଚାଲିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜାତୀୟ ଅପରାଧ ନଥି ସଂସ୍ଥାନର ବିଭିନ୍ନ ବର୍ଷର ରିପୋର୍ଟ ମୁତାବକ ଓଡ଼ିଶା ସମେତ ସାରା ଦେଶରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟପକ୍ଷରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଫଇସଲା ଅତି ମାନ୍ଦା ଗତିରେ ଚାଲୁଥିବାବେଳେ ଦଣ୍ଡବିଧାନ ହାର ମଧ୍ୟ ଢେର କମ୍‍ ରହୁଛି । କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟ ମୁତାବକ ୨୦୧୬ ଶେଷ ବେଳକୁ ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ୮୨,୩୬୪ ମାମଲା ବିଚାର ପାଇଁ ପଡ଼ିରହିଥିବାବେଳେ ଏ ସଂଖ୍ୟା ବଢ଼ିବଢ଼ି ୨୦୨୨ ଶେଷ ବେଳକୁ ୧,୬୯,୫୭୨ରେ ପହଞ୍ôଚଛି । ଅର୍ଥାତ୍‍ ଏହି ୬ବର୍ଷ ଭିତରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ବିଚାରାଧୀନ ମାମଲା ସଂଖ୍ୟା ଦୁଇଗୁଣରୁ ଅଧିକ ବଢ଼ିଛି ।

୨୦୧୬ ବର୍ଷରେ ଓଡ଼ିଶାରେ ଏ ସଂକ୍ରାନ୍ତୀୟ ବିଚାରାଧୀନ ମାମଲାରୁ ମାତ୍ର ୭.୭ ପ୍ରତିଶତ ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୬.୨ ପ୍ରତିଶତ । ଅଥଚ ୨୦୨୫ ସେପ୍ଟେମ୍ବର ମାସରେ ପ୍ରକାଶିତ କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୩ ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାରେ ଏ କିସମର ମାମଲା ହାର ୫.୩ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ବି ୬.୯ ପ୍ରତିଶତ ଥିଲା । ମୋଟାମୋଟି ଭାବେ ୨୦୧୬ ମସିହାରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ମାମଲାରେ ୩୯୨ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୫୯୧୨ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ । ଅନ୍ୟପକ୍ଷରେ ୨୦୨୩ ବର୍ଷରେ ଓଡ଼ିଶାରେ ଏହି କିସମର ମାମଲାରେ ମାତ୍ର ୬୭୦ଟିରେ ଦଣ୍ଡବିଧାନ କରାଯାଇଥିବାବେଳେ ୯୧୦୪ରେ ଅଭିଯୁକ୍ତ ଖଲାସ ହୋଇଥିଲେ ।

ଏହି ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୧ ବର୍ଷରେ ସାରା ଦେଶରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ମାମଲାର ମାତ୍ର ୫ ପ୍ରତିଶତ ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୨୬.୫ ପ୍ରତିଶତ । ୨୦୨୨ ବର୍ଷରେ ସାରା ଦେଶରେ ଏହି କିସମର ମାମଲାରେ ଫଇସଲା ହାର ୭.୭ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର କିନ୍ତୁ ଥିଲା ୨୫.୩ ପ୍ରତିଶତ । ୨୦୨୩ ବର୍ଷରେ ଜାତୀୟ ସ୍ତରରେ ଏହି କିସମର ୯.୨ ପ୍ରତିଶତ ମାମଲା ଫଇସଲାହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୨୧.୩ ପ୍ରତିଶତ । ତେବେ କେନ୍ଦ୍ର ସରକାରଙ୍କ ରିପୋର୍ଟର ତଥ୍ୟ ମୁତାବକ ୨୦୨୦ ଶେଷ ବେଳକୁ ସାରା ଦେଶର ବିଭିନ୍ନ ଅଦାଲତରେ ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ୧୭,୮୯,୬୭୨ ମାମଲା ବିଚାରାଧୀନ ଥିବାବେଳେ ୨୦୨୩ ଶେଷ ସୁଦ୍ଧା ଏହି ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇ ୨୩,୦୩,୬୫୭ରେ ପହଞ୍ôଚଥିଲା ।

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସମେତ ଦେଶର ବହୁ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲା ସଂଖ୍ୟା ଢେର ବଢ଼ିଥିବା ତଥ୍ୟ କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଏ ପରିପ୍ରେକ୍ଷୀରେ ମହିଳାମାନେ କିପରି ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ସହିତ ତ୍ୱରିତ ନ୍ୟାୟ ପାଇପାରିବେ ସେଥିଘେନି ବିଭିନ୍ନ ମହିଳା ସଂଗଠନ ଚିନ୍ତାବ୍ୟକ୍ତ କରୁଛନ୍ତି ।