ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭ହଜାରକୁ ଅତିକ୍ରମ କରିଯାଇଛି । କରୋନାରେ ଆଉ ୬୮ ମୁଣ୍ଡ ଗଡିବା ସହିତ ମୋଟ୍ ମୃତ୍ୟୁସଂଖ୍ୟା ୭୦୨୧ରେ ପହଞ୍ଚିଛି ।
ମୃତ୍ୟୁବରଣ କରିଥିବା ୬୮ଜଣଙ୍କ ମଧ୍ୟରୁ ସର୍ବାଧିକ ୧୪ଜଣ କଟକରୁ ଥିବାବେଳେ ଅନୁଗୁଳ ଓ ଜଗତ୍ସିଂହପୁରରୁ ୮ଜଣ କରି, ଯାଜପୁରରୁ ୭, କେନ୍ଦ୍ରାପଡା ଓ ବାଲେଶ୍ୱରରୁ ୬ଜଣ କରି, ଖୋରଧା ଓ ଢେଙ୍କାନାଳରୁ ୫ଜଣ କରି, ପୁରୀ ଓ ରାୟଗଡାରୁ ୩ଜଣ କରି ଏବଂ ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝରରୁ ଜଣେ କରି ରହିଛନ୍ତି । ଖୋରଧାରେ ୫ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁସଂଖ୍ୟା ୧୩୯୪ରେ ପହଞ୍ଚିଛି ଯାହାକି ରାଜ୍ୟରେ ସର୍ବାଧିକ ।
ସେହିଭଳି ରାଜ୍ୟରେ ଲଗାତାର ଦୁଇଦିନ ଧରି ଦୈନିକ କରୋନା ସଂକ୍ରମଣ ଏକ ହଜାର ତଳେ ରହିଛି । ଗତ ୨୪ଘଣ୍ଟାରେ ରାଜ୍ୟରୁ ୭୨୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ବର୍ଷ ବୟସ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୯୬ ରହିଛି ।
ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୨୭୯ଜଣ ଥିବାବେଳେ କଟକରୁ ୯୧, ଜଗତ୍ସିଂହପୁରରୁ ୩୩, ମୟୁରଭଞ୍ଜରୁ ୨୯, ଯାଜପୁରରୁ ୨୮, ଭଦ୍ରକରୁ ୨୨, ବାଲେଶ୍ୱରରୁ ୧୯, ନୟାଗଡାରୁ ୧୮, ପୁରୀରୁ ୧୬, ଢେଙ୍କାନାଳ ଓ ଅନୁଗୁଳରୁ ୧୫ଜଣ କରି, କେନ୍ଦ୍ରାପଡାରୁ ୧୨, କେନ୍ଦୁଝର ଓ ସୁନ୍ଦରଗଡରୁ ୧୧ଜଣ କରି ରହିଛନ୍ତି । ଅବଶିଷ୍ଟ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ଏକ ଅଙ୍କରେ ସୀମିତ ରହିଛି ।
ନୂଆ ୭୨୦ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯,୯୬,୧୫୩ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୯,୭୯,୪୦୭ଜଣ ସୁସ୍ଥହୋଇ ସାରିଲେଣି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୬୭୨ ରହିଛି ।