ଭୁବନେଶ୍ୱର ପ୍ରତିବର୍ଷ ଭାଦ୍ରବ ମାସର ରବିବାରରେ ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଏ ଖୁଦୁରୁକୁଣୀ ଓଷା । ତେବେ ଏହି ଓଷା ସହ ଲୋକକଥାରେ ଜଡ଼ିତ ସ୍ଥାନଟି ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଥିବାବେଳେ ସେଠାକାର ବାସିନ୍ଦାମାନଙ୍କୁ ସରକାର ଅନ୍ୟତ୍ର ଥଇଥାନ କରିଛନ୍ତି ।
ଖୁଦୁରୁକୁଣୀ ଓଷା ପ୍ରତିପାଳନ ପଛରେ ଥିବା କିମ୍ବଦନ୍ତୀ ଗାଁଟି ହେଉଛି ସାତଭାୟା । ଏହା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅନ୍ତର୍ଗତ ଏକ ସମୁଦ୍ର କୂଳିଆ ଗାଁ । ଏହି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପଞ୍ଚୁବରାହୀ । ଖୁଦୁରୁକୁଣୀ ବ୍ରତର ତଥ୍ୟ ମୁତାବକ ବହୁ ବର୍ଷ ତଳେ ଗୋଟିଏ ସାଧବ ପରିବାରର ସାତଭାଇ ବୋଇତ ନେଇ ବିଦେଶକୁ ଯାଇଥିଲେ ବଣିଜ ବେପାର କରିବା ଲାଗି । ଘରେ ସେମାନଙ୍କର ସାତ ପତ୍ନୀଙ୍କ ସମେତ ଅଲିଅଳି ଭଉଣୀ ତଅପୋଇ ରହିଥିଲେ । ତେବେ ୬ଜଣ ଭାଉଜ ନଣନ୍ଦ ତଅପୋଇଙ୍କ ଉପରେ ଅତ୍ୟାଚାର କରିବା ସହିତ ତାଙ୍କୁ ଛେଳି ଚରାଇବା ଲାଗି ଜଙ୍ଗଲକୁ ପଠାଉଥିଲେ ଏବଂ ଭଲରେ ଗଣ୍ଡେ ଖାଇବା ପିଇବାକୁ ବି ଦେଉନଥିଲେ ।
ଲୋକ କଥା କୁହେ ଯେ ଏତେସବୁ ନିର୍ଯାତନା ସହି ତଅପୋଇ କିନ୍ତୁ ଭାଇମାନଙ୍କ ମଙ୍ଗଳ ମନାସି ସେମାନଙ୍କ ଫେରିବା ବାଟକୁ ଚାହିଁ ରହୁଥିଲେ । ସାମୁଦ୍ରିକ ଝଡ଼ ସହିତ ଜଳଦସ୍ୟୁଙ୍କ ଉତ୍ପାତ ଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଏହି ୭ ସାଧବ ପୁଅ ଫେରିବା ପରେ ଭଉଣୀ ତଅପୋଇଙ୍କ ଦୁରବସ୍ଥା ଦେଖି ଅତ୍ୟାଚାର କରିଥିବା ଭାଉଜମାନଙ୍କୁ ଦଣ୍ଡ ଦେଇଥିଲେ ।
କୁହାଯାଏ ଏହି ସାଧବ ସାତ ଭାଇଙ୍କ ନାଁରେ ସାତଭାୟା ଗାଁ ବସିଥିଲା । ତେବେ ଶହଶହ ବର୍ଷ ପରେ ସମୃଦ୍ଧ ସାତଭାୟା ଗାଁ ପ୍ରତି ସାମୁଦ୍ରିକ ବିପଦ ଲାଗି ରହିଲା । ସମୁଦ୍ର ମାଡ଼ି ଆସୁଥିବାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଏହି ଗ୍ରାମବାସୀଙ୍କୁ ବଗପାଟିଆ ନାମକ ଅଞ୍ଚଳକୁ ସ୍ଥାନାନ୍ତର କରିବା ସହିତ ସେଠାରେ ମା’ ପଞ୍ଚୁବରାହୀଙ୍କ ନୂଆ ମନ୍ଦିର ମଧ୍ୟ କରାଇଛନ୍ତି । ଏସବୁ ସତ୍ତ୍ୱେ ଏବେ ବି ସାତଭାୟାରୁ ବାସଚ୍ୟୁତ ହୋଇଥିବା ଅନେକ ପରିବାର ସେମାନଙ୍କ ଭିଟାମାଟିକୁ ଆସି ପଞ୍ଚୁବରାହୀଙ୍କ ମୂଳ ପୀଠରେ ପୂଜା କରନ୍ତି ଏବଂ ଜମିବାଡ଼ି ମଧ୍ୟ ଦେଖାଶୁଣା କରିଥାନ୍ତି । କୁହାଯାଏ ସାତଭାୟାର ପଞ୍ଚୁବରାହୀ ଦେବୀ ଯେଉଁଠି ଆବିର୍ଭୁତା ହୋଇଥିଲେ ସେହି ସ୍ଥାନରେ ତଅପୋଇ ମା’ଙ୍କ ପୂଜାର୍ଚ୍ଚନା କରୁଥିଲେ ।
ଅତୀତର ସ୍ମୃତିକୁ ଆଧ୍ୟାତ୍ମିକ ପରିବେଶରେ ଉଜ୍ଜିବିତ କରି ରଖିବା ଲାଗି ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ଭାଦ୍ରବ ମାସ ରବିବାରରେ ଅବିବାହିତା ଝିଅମାନେ ନିଷ୍ଠାର ସହ ଖୁଦୁରୁକୁଣୀ ଓଷା ପାଳନ କରି ତଅପୋଇଙ୍କର ନିଷ୍ଠାର ସ୍ମରଣ କରିଥାନ୍ତି । କିନ୍ତୁ ବିଡମ୍ବନାର କଥା ଯେ ଅନେକ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ସାତଭାୟାକୁ ସମୁଦ୍ର କବଳରୁ ସୁରକ୍ଷିତ କରି ରଖାଯାଇପାରିଲା ନାହିଁ । କେବଳ ସାତଭାୟା ନୁହେଁ, ଓଡ଼ିଶାର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ପରି ୬ଟିଯାକ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ଗାଁ ପ୍ରତି ସାମୁଦ୍ରିକ ବିପଦ ମାଡ଼ି ଆସୁଛି । ଏହାର ସୁରକ୍ଷା ଲାଗି ଅନେକ ବନ୍ଧ ନିର୍ମାଣ ହେବା ପରେ ଏବେ ସାମୁଦ୍ରିକ ମୁହାଁଣ ସବୁ ଖୋଳି ସେଗୁଡ଼ିକୁ ପଟୁମୁକ୍ତ କରିବା ପାଇଁ ଚିନ୍ତା କରାଯାଉଛି ।
ଏ ସଂକ୍ରାନ୍ତରେ ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) କେତେକ ଗଠନମୂଳକ ପ୍ରସ୍ତାବ ଦେଇଛି । କର୍ଣ୍ଣାଟକରେ ଯେଭଳି ସଂରକ୍ଷଣ କରାଯାଇଛି ସେହି ମଡେଲ୍ ଓଡ଼ିଶାର ୬ଟି ଜିଲ୍ଲାରେ କାମ କରିବା ଲାଗି ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି କୁହାଯାଉଛି । ତେବେ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହୋଇ ପୁଣି ସାତଭାୟାରେ ଜନବସତି ରହିବ ସେଥିଘେନି ଜୋରଦାର ଚର୍ଚ୍ଚା ଚାଲିଛି ।(ତଥ୍ୟ)

