ଭୁବନେଶ୍ୱର : ରାଜଧାନୀର ରାଜରାସ୍ତା ଏବେ ଖାଲ ଖମାରେ ଭର୍ତ୍ତି । କେଉଁଠି ରାସ୍ତା ମଝିରେ ଗର୍ତ୍ତ ତ ଆଉ କେଉଁଠି ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ପୂର୍ତ୍ତ ବିଭାଗ କିମ୍ବା ମହାନଗର ନିଗମ ଏଥିପ୍ରତି କାହାର ନଜର ପଡୁଥିବା ଭଳି ଲକ୍ଷ୍ୟ କରାଯାଉ ନାହିଁ ।
ସ୍ୱାୟତ୍ତଶାସନ ଦିବସ ପାଳନ ପାଇଁ ସହରର ବିଭିନ୍ନ ରାସ୍ତାପାଶ୍ୱର୍ରେ ବ୍ଲିଚିଂ ପାଉଡର ସିଞ୍ଚନ ସହିତ ବେଲୁନରେ ସଜେଇ ହେଉଛି । ହେଲେ ରାସ୍ତାର ଅବସ୍ଥା କିନ୍ତୁ ଦିନ ଦିନ ବିଗିଡିବାରେ ଲାଗିଛି । ଅନ୍ୟ କେଉଁ ରାସ୍ତା କଥା ଛାଡ, ଖୋଦ୍ ଏଜି ଛକରୁ ଆଚାର୍ଯ୍ୟବିହାରକୁ ଲମ୍ବିଥିବା ସଚିବାଳୟମାର୍ଗ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ପିଏମଛି ଛକ ଟ୍ରାଫିକ ସମ୍ମୁଖରେ ରାସ୍ତାରେ ଗାତ ସୃଷ୍ଟିହୋଇ ମାଟି ଦିଶୁଛି । ଏହା ଆଖପାଖରେ ପରସ୍ତ ପରସ୍ତ ପିଚୁ ଉଠିଗଲାଣି । ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ଯୋଗୁଁ ଛୋଟ ଛୋଟ ଗୋଡି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗାଡିମୋଟରରେ ମାଡ ହେଉଛି ।
ସେହିଭଳି ଅନ୍ୟତମ ଜନଗହଳିପୂର୍ଣ୍ଣ ରାସ୍ତା ହେଉଛି ଫାୟାରଷ୍ଟେସନ ଛକରୁ କ୍ୟାପିଟାଲ ହସ୍ପିଟାଲ । ଖୋର୍ଦ୍ଧା, ନୟାଗଡ ଆଦି ସ୍ଥାନରୁ ଆସୁଥିବା ଆମ୍ବୁଲାନ୍ସ ଏହି ରାସ୍ତାଦେଇ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି । ଏହାଛଡା ପୁରୀକୁ ଚଳାଚଳ କରୁଥିବା ବସ୍ଗୁଡିକ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରି ଏହି ରାସ୍ତାଦେଇ କଳ୍ପନାରେ ପହଞ୍ଚୁଛନ୍ତି । ରାଜଧାନୀର ସର୍ବବୃହତ୍ ପରିବା ହାଟକୁ ଆସୁଥିବା ଶତାଧିକ ଛୋଟ ବଡ ଗାଡି ଏହି ରାସ୍ତାଦେଇ ଆସୁଛନ୍ତି । ଏହି ରାସ୍ତାରୁ ଏବେ ପରସ୍ତ ପରସ୍ତ ପିଚୁ ଉଠିବାରେ ଲାଗିଛି । ରାସ୍ତା ମଝିରେ ବି ଗାତ ସୃଷ୍ଟି ହୋଇଗଲାଣି ।
କେବଳ ଏହି ଦୁଇଟି ସଡକ ନୁହେଁ, ଜନପଥ ଠାରୁ ଆରମ୍ଭ କରି ରାଜଧାନୀର ପ୍ରାୟ ଅଧିକାଂଶ ପିଚୁ ରାସ୍ତାର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ପିଚୁ ଉଠି ଯାଉଥିବାବେଳେ ନିମ୍ନମାନର କାମ ଯୋଗୁଁ ଏଭଳି ହେଉଥିବା କୁହାଯାଉଛି ।
ଯେଉଁସବୁ ସ୍ଥାନରେ ଗୋଡି ଉପରେ ପିଚୁ ବିଛାଯାଇ ସ୍ୱତନ୍ତ୍ର ଭାବେ ରାସ୍ତା ପ୍ରସ୍ତୁତ ହୋଇଛି ତାହାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପିଚୁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହେଲାଣି । ପୂର୍ତ୍ତ ବିଭାଗର ଆଖି ସାମ୍ନାରେ ରାଜଧାନୀର ପିଚୁ ରାସ୍ତାର ଅବସ୍ଥା ଏଭଳି ହେଉଥିବାବେଳେ କାହିଁକି ଏ ଦିଗରେ ବିଭାଗ ପଦକ୍ଷେପ ନେଉନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ଚଳିତ ମାସରୁ ପାର୍ବଣଋତୁ ଆରମ୍ଭ ହେଉଥିବାବେଳେ ରାସ୍ତାଘାଟରେ ଅଧିକରୁ ଅଧିକ ଗାଡିମୋଟର ସହିତ ଲୋକେ ଯା’ଆସ କରିବେ । ବର୍ତ୍ତମାନ ଯଦି ରାସ୍ତାର ମରାମତି ନହୁଏ ତେବେ ଗଣେଶପୂଜା ଠାରୁ ଦଶହରା ପର୍ଯ୍ୟନ୍ତ ରାସ୍ତାରେ ଗାଡିମୋଟର ତ ଦୂରରକଥା ଚାଲିକରି ଯିବା ବି କଷ୍ଟକର ହୋଇପଡିବ । କେବେ ରାଜଧାନୀର ପ୍ରମୁଖ ରାସ୍ତା ନୁହେଁ, ଗଳିକନ୍ଦିର ରାସ୍ତା ମଧ୍ୟ ଖରାପ ହେବାରେ ଲାଗିଛି । ଏଥିସହିତ ଯେଉଁସବୁ ସ୍ଥାନରେ ଜନସ୍ୱାସ୍ଥ୍ୟ, ମହାନଗରନିଗମ, ବିଜୁଳି ଓ ଟେଲିଫୋନ୍ ବିଭାଗ ନିଜ ନିଜ କାର୍ଯ୍ୟପାଇଁ ରାସ୍ତା ଖୋଳି ଦେଉଛନ୍ତି ସେଠାରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । (ତଥ୍ୟ)

