Home Health ସାତଟି ମେଡିକାଲ କଲେଜକୁ ୮୧୭ କୋଟି ମଞ୍ଜୁର

ସାତଟି ମେଡିକାଲ କଲେଜକୁ ୮୧୭ କୋଟି ମଞ୍ଜୁର

ଭୁବନେଶ୍ୱର : ଓଡିଶାରେ ୭ଟି ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର ୮୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବିନ୍‍ ପାୱାର ରାଜ୍ୟସଭାରେ ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ଦର୍ଶାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅନୁଯାୟୀ ଜିଲ୍ଲା ଓ ରେଫରାଲ ହସ୍ପିଟାଲଗୁଡିକରେ ନୂତନ ମେଡିକାଲ କଲେଜ ସ୍ଥାପନ କରାଯିବ । ଏହି ଯୋଜନା ଅଧିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଅଂଶଧନ ଆଧାରରେ ଓଡିଶାରେ ୭ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି ।

ଏହି ଯୋଜନାରେ କେନ୍ଦ୍ର ସରକାର ଯେଉଁ ୭ଟି ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠାପାଇଁ ମଞ୍ଜୁର ଦେଇଛନ୍ତି ସେଗୁଡିକ ହେଲା ବାଲେଶ୍ୱର, ମୟୁରଭଞ୍ଜର ବାରିପଦା, ବଲାଙ୍ଗିର, କୋରାପୁଟ, ପୁରୀ, ଯାଜପୁର ଏବଂ କଳାହାଣ୍ଡିର ଭବାନୀପାଟଣା । କେନ୍ଦ୍ର ସରକାରଙ୍କ ୯୧୨ କୋଟି ଟଙ୍କା ମଧ୍ୟରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୮୧୭ କୋଟି ଟଙ୍କା ମଞ୍ଜୁର କରିଛି । ମନ୍ତ୍ରାଳୟ ପକ୍ଷରୁ ୯୫କୋଟି ଟଙ୍କା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ନୂତନ ମେଡିକାଲ କଲେଜ ସ୍ଥାପନ ଲାଗି ଦିଆଯାଇଛି । ଅବଶିଷ୍ଟ ଅର୍ଥ ୬ଟି ନୂତନ ମେଡିକାଲ କଲେଜ ପାଇଁ ମଞ୍ଜୁର ହୋଇଛି ।

ବାଲେଶ୍ୱର, ବାରିପଦା, ବଲାଙ୍ଗିର, କୋରାପୁଟ ଏବଂ ପୁରୀ ଠାରେ ପ୍ରସ୍ତାବିତ ପ୍ରତ୍ୟେକ ନୂତନ ମେଡିକାଲ କଲେଜ ପାଇଁ ୧୮୯କୋଟି ଟଙ୍କା କରି ମଞ୍ଜୁର ହୋଇଥିବାବେଳେ ଯାଜପୁର ଠାରେ ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ପାଇଁ ୨୫୦ କୋଟି ଏବଂ କଳାହାଣ୍ଡିଠାରେ ନୂତନ ମେଡିକାଲ କଲେଜ ପାଇଁ ୩୨୫ କୋଟି ଟଙ୍କା ଦିଆଯାଇଛି ।

ସେହିଭଳି ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବର୍ତ୍ତମାନ ଥିବା ମେଡିକାଲ କଲେଜରେ ଏମ୍‍ବିବିଏସ୍‍ ଓ ପିଜି ଆସନ ବୃଦ୍ଧି ପାଇଁ ଓଡିଶାକୁ ୨୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ମଧ୍ୟରୁ ବୁର୍ଲା ସ୍ଥିତ ଭିଏସ୍‍ଏସ୍‍ ମେଡିକାଲ କଲେଜ, ବ୍ରହ୍ମପୁରର ଏମ୍‍କେସିଜି ପାଇଁ ୧୨୦କୋଟି ଟଙ୍କା କରି ମଞ୍ଜୁର ହୋଇଛି । କେନ୍ଦ୍ର ସରକାର ତାଙ୍କର ଅଂଶଧନ ବାବଦରେ ଦୁଇଟି ମେଡିକାଲ କଲେଜକୁ ୭୨କୋଟି ଟଙ୍କା କରି ଯୋଗାଇ ଦେଇଛନ୍ତି ।

ଅନୁରୂପ ଭାବେ ପିଜି ଆସନ ବୃଦ୍ଧି ପାଇଁ ଭିଏସ୍‍ଏସ୍‍ ମେଡିକାଲ କଲେଜକୁ ୫.୪୦ କୋଟି, ଏମ୍‍କେସିଜିକୁ ୮କୋଟି ଏବଂ କଟକ ସ୍ଥିତ ଏସ୍‍ସିବି ମେଡିକାଲ କଲେଜକୁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ର ସରକାର ତାଙ୍କର ଅଂଶଧନ ବାବଦରେ ଏହି ତିନି ପୁରୁଣା ମେଡିକାଲ କଲେଜ ପାଇଁ ଯଥାକ୍ରମେ ୩.୫୯ କୋଟି, ୫.୭୬ ଏବଂ ୪.୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରଦାନ କରାଯାଇଥିବା ଅର୍ଥର ବ୍ୟୟ ଏବଂ ରାଜ୍ୟର ଦାବିକୁ ଦେଖି ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । (ତଥ୍ୟ)