ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ହ୍ରାସ ପାଇ ଦୈନିକ ସଂକ୍ରମଣ ସଂଖ୍ୟା ସାଢେ ତିନିହଜାର ତଳେ ପହଞ୍ଚିଛି । ତବେ ଦୈନିକ ମୃତ୍ୟୁରେ କିନ୍ତୁ ଲଗାମ ଲାଗିପାରୁ ନାହିଁ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୨ଜଣ କରୋନାରେ ଆଖି ବୁଜିଛନ୍ତି ।
ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଦିନରେ ରାଜ୍ୟରେ ଆଉ ୩୪୦୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍ରୁ ସର୍ବାଧିକ ୧୯୪୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେଶ୍ ରହିଛି ୧୪୬୩ ।
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିଲେ ବି ଉପକୂଳ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି । ଖୋରଧା ଜିଲ୍ଲା ଲଗାତାର ଭାବେ ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋରଧାରୁ ସର୍ବାଧିକ ୫୦୦ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୨୯୬, ଭଦ୍ରକରୁ ୧୭୯, କଟକରୁ ୨୩୦, ଜଗତ୍ସିଂହପୁରରୁ ୧୨୯, କେନ୍ଦ୍ରାପଡାରୁ ୭୩ ଓ ପୁରୀରୁ ୧୪୧ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଆଭ୍ୟନ୍ତରୀଣ ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ ସୀମିତ ରହିଛି ।
ସବୁଠାରୁ କମ୍ ମାତ୍ର ୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଝାରସୁଗୁଡା ଜିଲ୍ଲାରେ । ସେହିଭଳି ବଲାଙ୍ଗିରରେ ୧୮, ଦେବଗଡରେ ୨୩, ସୋନପୁରରେ ୨୫, ନୂଆପଡାରେ ୨୮, ଗଞ୍ଜାମରେ ୩୬, ରାୟଗଡାରେ ୪୫, ଅନୁଗୁଳ ଓ କଳାହାଣ୍ଡିରେ ୫୪ କରି ଓ କନ୍ଧମାଳରେ ୫୫ଜଣ ଚିହ୍ନଟ ହୋଇଛନ୍ତି ।
ଅଧିକାଂଶ ଜିଲ୍ଲାରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ସୀମିତ ଥିବାବେଳେ କରୋନା ମୃତ୍ୟୁ କିନ୍ତୁ କିଛିଦିନ ଧରି ୪୦ତକଳୁ ହ୍ରାସ ପାଉନାହିଁ । ଗତ ୨୪ଘଣ୍ଟାରେ କରୋନାରେ ରାଜ୍ୟରେ ୪୨ଜଣଙ୍କ ମୃତ୍ୟୁ ସହିତ ମୋଟ୍ ମୃତ୍ୟୁସଂଖ୍ୟା ୩୩୮୮ରେ ପହଞ୍ଚିଛି ।
ନୂଆ ମୃତକଙ୍କ ମଧ୍ୟରେ ପୁରୀ, ଖୋରଧା, କଟକ ଓ ଝାରସୁଗୁଡାରେ ୪ଜଣ କରି ଥିବାବେଳେ ଜଗତ୍ସିଂହପୁର, କଳାହାଣ୍ଡି ଓ ରାୟଗଡାରେ ୩ଜଣ କରି, ସୁନ୍ଦରଗଡ, ମାଲକାନଗିରି, କେନ୍ଦୁଝର ଓ ଗଞ୍ଜାରୁ ୨ଜଣ କରି ଏବଂ ବାଲେଶ୍ୱର, ବଲାଙ୍ଗିର, ଦେବଗଡ, କେନ୍ଦ୍ରାପଡା ଓ ନୂଆପଡାରୁ ଜଣେ କରି ରହିଛନ୍ତି ।
ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଆଜି ସୁଦ୍ଧା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୧,୧୦୪ ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ ଏକ କୋଟି ୨୭ଲକ୍ଷରୁ ଅଧିକ କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏବେ ଦୈନିକ ପରୀକ୍ଷା ୬୮ହଜାର ଉପରେ ରହୁଛି ।