Home Judiciary ସାଇବର ମାମଲାରେ ଦଣ୍ଡ ବିଧାନ ଶୂନ

ସାଇବର ମାମଲାରେ ଦଣ୍ଡ ବିଧାନ ଶୂନ

ଭୁବନେଶ୍ୱର : ଓଡିଶାରେ ବର୍ଷକୁ ବର୍ଷ ସାଇବର ଅପରାଧ ବଢି ଚାଲୁଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂଆ ନୂଆ ସାଇବର ଥାନାମାନ ଖୋଲୁଛନ୍ତି । ଅଥଚ ସାଇବର ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ । ଗତବର୍ଷ ଓଡିଶାରେ ଜଣେ ହେଲେ ସାଇବର ଅପରାଧିଙ୍କୁ ଦଣ୍ଡିତ କରାଯାଇନଥିବାବେଳେ ମାତ୍ର ଦୁଇଟି ମାମଲାର ଫଏସଲା କରି ଦୁଇଟି ଯାକର ଅଭିଯୁକ୍ତଙ୍କୁ ଅଦାଲତ ଦୋଷମୁକ୍ତ କରିଦେଇଛନ୍ତି ।

ଗତ ୫ବର୍ଷ ମଧ୍ୟରେ ଓଡିଶାରେ ସାଇବର ମାମଲା ସଂଖ୍ୟା ୭ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ରେ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟରେ ରାଜ୍ୟରେ ୧୯୩ଟି ସାଇବର ମାମଲା ବିଚାର ପ୍ରତୀକ୍ଷାରେ ଥିବା ଦର୍ଶାଯାଇଥିବାବେଳେ ସଦ୍ୟ ପ୍ରକାଶିତ ଏହି ରିପୋର୍ଟରେ ଓଡିଶାରେ ଥିବା ବିଚାରାଧିନ ସାଇବର ମାମଲା ସଂଖ୍ୟା ୧୩୬୨ ବୋଲି ଦର୍ଶାଯାଇଛି ।

୨୦୧୫ ସୁଦ୍ଧା ଓଡିଶାରେ ୨୧୬ଟି ସାଇବର ମାମଲା ରହିଥିଲା । ଉକ୍ତ ବର୍ଷରେ ୨୩ଟି ସାଇବର ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ମାତ୍ର ୪ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୧୯ଟିରେ ଅଭିଯୁକ୍ତ ଖଲାସ ହୋଇଯାଇଥିଲେ । ଫଳରେ ବର୍ଷ ଶେଷ ବେଳକୁ ବିଚାର ପ୍ରତୀକ୍ଷାରେ ୧୯୩ଟି ସାଇବର ମାମଲା ରହିଥିଲା ।

ଅନ୍ୟ ପକ୍ଷରେ ଗତମାସରେ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ ଶେଷ ସୁଦ୍ଧା ଓଡିଶାରେ ୧୦୪୯ଟି ସାଇବର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୧ ବର୍ଷରେ ଆଉ ୩୧୩ଟି ନୂଆ ସାଇବର ମାମଲା ରୁଜୁ ହୋଇଥିଲା । ମୋଟାମୋଟି ଭାବେ ୨୦୨୧ ବର୍ଷରେ ୧୩୬୨ଟି ସାଇବର ମାମଲା ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୨ଟି ଫଏସଲା ହୋଇଥିଲା ଏବଂ ଏଥିରେ ଜଣେ ହେଲେ କାହାକୁ ଦଣ୍ଡିତ କରାଯାଇ ନାହିଁ ।

ଗତବର୍ଷ ମୋଟ ସାଇବର ମାମଲାରୁ ଓଡିଶାରେ ମାତ୍ର ଦଶମିକ ୧ ପ୍ରତିଶତ ଫଏସଲା ହୋଇଥିବାବେଳେ ୯୯.୯ ପ୍ରତିଶତ ବିଚାର ନହୋଇ ବଳକା ମାମଲା ଭାବେ ୨୦୨୨କୁ ଆସିଛି । ଏନ୍‍ସିଆରବିର ତଥ୍ୟ ମୁତାବକ ଓଡିଶାରେ ସାଇବର ମାମଲାରେ ଦଣ୍ଡବିଧାନ ହାର ଶୂନ ପ୍ରତିଶତ ରହିଛି ।

ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ସାଇବର ଥାନା ପ୍ରତିଷ୍ଠା ହେଉଥିବାବେଳେ ସାଇବର ମାମଲାଗୁଡିକର ବିଜ୍ଞାନସମ୍ମତ ତଦନ୍ତ ପାଇଁ ପର୍ଯ୍ୟାପ୍ତ ବୈଷୟିକ ଭିତ୍ତିଭୂମି ନଥିବାରୁ ଏ କ୍ଷେତ୍ରରେ ଓଡିଶାର ସାଇବର ପୁଲିସ୍‍କୁ ଅନ୍ୟ ରାଜ୍ୟର ଗବେଷଣାଗାର ଉପରେ ନିର୍ଭର କରିବାକୁ ପଡୁଛି । ଏମିତିକି କେତେକ କ୍ଷେତ୍ରରେ ପୀଡିତା ଓ ଅଭିଯୁକ୍ତଙ୍କ ମୋବାଇଲ ଡାଟା ସଂକ୍ରାନ୍ତରେ ତଥ୍ୟ ଦେବାଲାଗି ବି ଅନ୍ୟ ରାଜ୍ୟ ଉପରେ ଓଡିଶା ନିର୍ଭରଶୀଳ ।

ସାଇବର ଅପରାଧର ବିଚାର ପାଇଁ ସାଇବର ବିଜ୍ଞାନରେ ଦକ୍ଷ ବିଚାରପତିଙ୍କ ଅଭାବ ରହିଛି । ତେଣୁ ମାମଲା ବିଚାର ବେଳେ ସେମାନଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଏବଂ ବାଦି ଓ ପ୍ରତିବାଦୀଙ୍କ ଓକିଲଙ୍କ ବୟାନ ଉପରେ ଅଧିକ ଭରସା କରିବାକୁ ହେଉଛି । ଏହି କାରଣ ଯୋଗୁଁ ସାଇବର ମାମଲା ଫଏସଲା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାବେଳେ ଦଣ୍ଡବିଧାନ ହାର ଉତ୍ସାହଜନକ ହେଉନାହିଁ ।

ଏହାଛଡା ସାଇବର ମାମଲାର ବିଚାରପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ସାଇବର ଅଦାଲତ ନାହିଁ । ଫଳରେ ଅନ୍ୟ ଅପରାଧିକ ମାମଲା ଭଳି ସାଇବର ମାମଲାଗୁଡିକ ଫୌଜଦାରୀ ଅଦାଲତର ବିଚାରପାଇଁ ଆସୁଛି । ବର୍ଷକୁ ବର୍ଷ ସାଇବର ଅପରାଧ ହୁ ହୁ ହୋଇ ବଢୁଥିବାବେଳେ ଏହାର ନିୟନ୍ତ୍ରଣ କରିବା ଏବେ କାଠିକରପାଠ ହୋଇପଡୁଛି । (ତଥ୍ୟ)